ଭୁବନେଶ୍ୱର: ପଶ୍ଚିମା ଝଡର ପ୍ରଭାବ ଯୋଗୁଁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଥିଲା । ପାଗର ପରିବର୍ତ୍ତନ ଯୋଗୁଁ ଶୀତ ବଢିଛି । ଫେବୃଆରୀ ୯ ଏବଂ ୧୦ ତାରିଖରେ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଦିନ ମଧ୍ୟମ ଧରଣର ବର୍ଷା, ଝଡ ସହିତ ବଜ୍ରପାତ ଓ କୁଆପଥର ବୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୋମବାର ସୂଚନା ଦିଆଯାଇଛି ।
ରାଜ୍ୟର ଉପକୂଳବର୍ତ୍ତୀ ଅଂଚଳରେ ଫେବୃଆରୀ ୧୦ ଏବଂ ୧୧ ତାରିଖରେ ଝଡ ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି । ସୋମବାର ଠାରୁ ଦିନ ଏବଂ ରାତିର ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ଥିବା ବେଳେ ବର୍ଷା ଏବଂ ଝଡ ହେବା ଯୋଗୁଁ ରାତିର ତାପମାତ୍ରା କେତେକ ସ୍ଥାନରେ କମିବାର ସମ୍ଭାବନା ରହିଛି ।
ସେହିପରି ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ କନ୍ଧମାଳରେ ଘନ କୁହୁଡି ହେବ। କୁହୁଡି ଯୋଗୁ ବିଭିନ୍ନ ସ୍ଥାନରେ ଦୁର୍ଘଟଣାର ଆଶଙ୍କା ରହିଛି। ତେଣୁ ପରିବହନ ବ୍ୟବସ୍ଥା ଉପରେ ନଜର ରଖିବାକୁ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିସନର ନିର୍ଦ୍ଦେଶ ଦେଇଛନ୍ତି।