ଏନକାଉଣ୍ଟର ସମୟରେ ଦୁଇ ମାଓବାଦୀଙ୍କୁ ଧରିଲା ପୋଲିସ

ମଙ୍ଗଳବାର ରାତିରେ କେରଳର ୱାୟନାଡ଼ ଜିଲ୍ଲାରେ ଏନ୍କାଉଣ୍ଟର୍ ସମୟରେ କେରଳ ପୁଲିସ ୨ଜଣ ମାଓବାଦୀଙ୍କୁ ଧରିଥିବା ସୂଚନା ମିଳିଛି। ଧରା ପଡ଼ିଥିବା ୨ଜଣ ମାଓବାଦୀଙ୍କୁ ହାଜତକୁ ନିଆଯାଇଛି। କେରଳ ପୁଲିସର ‘ସ୍ପେସାଲ୍ ଅପରେସନ୍ସ୍ ଟିମ୍’ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା। ଅନ୍ୟମାନଙ୍କୁ ଧରିବା ପାଇଁ ଏବେ ମଧ୍ୟ ଘଟଣାସ୍ଥଳରେ ତଲାସ ଜାରି ରହିଛି। ତଳପୁଜା ଅଞ୍ଚଳରେ ପହଞ୍ଚିଥିବା ଏକ ୫ଜଣିଆ ମାଓବାଦୀ ଦଳକୁ ଗତ ରାତିରେ ‘ସ୍ପେସାଲ୍ ଅପରେସନ୍ ଗ୍ରୁପ୍’ (ଏସ୍ଓଜି) ଏବଂ ‘ଥଣ୍ଡର୍ବୋଲ୍ଟ୍ ସ୍କ୍ବାଡ୍’ ଘେରି ଯାଇଥିଲେ। ପ୍ରାୟ ୩୦ ମିନିଟ୍ କାଳ ଗୁଳି ବିନିମୟ ହେବା ପରେ ଯବାନମାନେ ଚନ୍ଦ୍ରୁ ଓ ଉନ୍ନିମୟା ନାମରେ ୨ଜଣ ସଶସ୍ତ୍ର ମାଓବାଦୀଙ୍କୁ ଧରି ପକାଇଥିଲେ। ହେଲେ ଅନ୍ୟମାନେ ଘଟଣାସ୍ଥଳରୁ ଖସି ପଳାଇଛନ୍ତି। ଖସି ପଳାଇଯାଇଥିବା ମାଓବାଦୀମାନଙ୍କ ଦେହରେ ଗୁଳି ବାଜିଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ସେମାନଙ୍କୁ ଠାବ କରିବା ପାଇଁ ‘ଥଣ୍ଡର୍ବୋଲ୍ଟ୍’ ତଲାସ ତୀବ୍ରତର କରିଛି। ପଡ଼ୋଶୀ ଜିଲ୍ଲା କୋଜିକୋଡ଼ରୁ ଗତକାଲି ଧରାପଡ଼ିଥିବା ଜଣେ ମାଓ ସମର୍ଥକଙ୍କଠାରୁ ପ୍ରାପ୍ତ ସୂଚନା ଆଧାରରେ କେରଳ ପୁଲିସ ‘କମ୍ବିଙ୍ଗ୍ ଅପରେସନ୍’ ଆରମ୍ଭ କରିଥିଲା। ଖବର ଅନୁସାରେ ୩ ସପ୍ତାହ ପୂର୍ବେ ଦଳେ ସଶସ୍ତ୍ର ମାଓବାଦୀ ୱାୟନାଡ଼ ଜିଲ୍ଲାସ୍ଥିତ ଏକ ପ୍ରାଇଭେଟ୍ ରିସର୍ଟରେ ପହଞ୍ଚି ‘ଇଷ୍ଟେଟ୍ ଶ୍ରମିକ’ମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ଗଣମାଧ୍ୟମକୁ ଜଣାଇବା ଲାଗି ମ୍ୟାନେଜର୍ଙ୍କ ମୋବାଇଲ୍ ଫୋନ୍ ନେଇଯାଇ ଥିଲେ। ‘କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ’ର (ମାଓବାଦୀ) ‘କବାନି ଏରିଆ କମିଟି’ର ମୁଖପାତ୍ର ବୋଲି ଦାବି କରୁଥିବା ଜଣେ ବ୍ୟକ୍ତି ଉକ୍ତ ମୋବାଇଲ୍ରେ ବିବୃତି ଜାରି କରିଥିଲେ। ଅଧିକାର ହାସଲ କରିବା ଲାଗି ଶ୍ରମିକମାନେ ମିଳିତ ପ୍ରତିବାଦ କରନ୍ତୁ ବୋଲି ମଧ୍ୟ ସେ ଡାକରା ଦେଇଥିଲେ।