ସିଦ୍ଧି ପାଇବାର
ବହୁ ଦିନ ପରେ
ବୁଦ୍ଧଦେବ ଆସିଥିଲେ
କପିଳବାସ୍ତୁର
ରାଜଦ୍ଵାରେ ରହି
“ଭିକ୍ଷାଂ ଦେହି” କହିଥିଲେ।
ରାଣୀହଂସପୁରୁ
ଯଶୋଧାରା ଆସି
ଦ୍ବାରଦେଶେ ଠିଆ ହେଲେ
ତଥାଗତଂକର
ଶୀର୍ଣ ତନୁ ଦେଖି
ବିଚଳିତ ହୋଇଗଲେ।
‘ସ୍ବାମୀ’ ବୋଲି ତାଙ୍କୁ
ସମ୍ବୋଧନ କରି
ଆଗକୁ ସେ ଆସୁଥିଲେ
“ସେହିଠାରେ ରୁହ”
କହି ତଥାଗତ
ଦୁଇପାଦ ଘୁଂଚିଗଲେ।
କହିଥିଲେ ସିଏ
“ଆହେ ଯଶୋଧାରେ,
ଆଶୀର୍ବାଦ ମୋର ନିଅ
ସ୍ବ ହସ୍ତରେ ଆଣି
ଭିକ୍ଷା ହିଁ ମୁଠିଏ ଦିଅ।”
ପତ୍ନୀ ଯଶୋଧାରା
ରହିଗଲେ ତହିଁ
ଚିନ୍ତା କରିଥିଲେ କିଛି
ଗୋଟିଏ କଥା ହିଁ
କହିଥିଲେ ସିଏ
ଅନେକ ଭିତରୁ ବାଛି।
“ବହୁ ଦିନ ପରେ
ଆସିଛ ହେ ପ୍ରଭୁ
ମାଗିବି ତୁମକୁ କିଛି
ଏ ପବିତ୍ର ବେଳା
ଆସିବ କି ନାହିଁ
ମାଗିବି ହୋଇଲେ ରାଜି।
କହିଲେ ସିଦ୍ଧାର୍ଥ
ମୁହିଁ ତ ଭିକ୍ଷୁକ
କିବା ମୁଁ ପାରିବି ଦେଇ
ମୋ ଦ୍ୱାରା ସମ୍ଭବ
ଯାହା ବି ହୋଇବ
ମନା ମୁଁ କରିବି ନାହିଁ।”
ଯଶୋଧାରା ତହୁଁ
ଡାକିଲେ ପୁତ୍ରକୁ
ଆଆରେ ରାହୁଳ ଆଆ
ବୁଦ୍ଧଂ ଧର୍ମଂ ସଂଘଂ
ଶରଣଂ ଗଛାମି
ତୋ ମୁଖରେ କହିଯାଆ।”
ଆସିଲା ରାହୁଳ
କହିଥିଲା ସିଏ
ବୁଦ୍ଧଂ ଶରଣଂ ଗଛାମି
ଆହୁରି କହିଲା
ଧର୍ମଂ ଶରଣଂ
ସଂଘଂ ଶରଣଂ ଗଛାମି।
ପିତାଂକ ସମ୍ମତି
ମିଳିଗଲା ତାକୁ
ଅନୁମତି ମିଳିଗଲା
ମାତା ସ୍ନେହ ଛାଡି
ପିତାଙ୍କର ସିଏ
ଅନୁଗାମୀ ହୋଇଗଲା।
ପିତା ସାଥେ ପୁତ୍ର
ରାଜପଥେ ଗଲା
ଲଣ୍ଡିତ ମସ୍ତକ ହୋଇ
ବୁଦ୍ଧ ବଢାଇଲେ
ପୁତ୍ର ରାହୁଳକୁ
ନିଜର ସଂସ୍କାର ଦେଇ।
ଧନ୍ଯ ଯଶୋଧାରା
ଧନ୍ଯ ତୁମ ତ୍ଯାଗ
ପୁତ୍ରକୁ ସମର୍ପି ଦେଲ
ପିତାର ସଂସ୍କାର
ପୁତ୍ର ଠାରେ ଦେଇ
ନିଶ୍ଚିତ ବି ହୋଇଗଲ।
*******
ଅକ୍ଷୟ ମହାନ୍ତି। ନିର୍ମାଲ୍ୟ