ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୪ ମାଓବାଦୀ
ନୂଆପଡ଼ା : ଛତିଶଗଡରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୪ ମାଓବାଦୀ। ନୂଆପଡା ଓ ଛତିଶଗଡର ଗରିଆବନ୍ଧ ସୀମାରେ ବଡଧରଣର ଏନକାଉଣ୍ଟର ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୧୪ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ମାଓ କ୍ୟାଡର ରହିଛନ୍ତି। ଘଟଣାସ୍ଥଳରୁ ଗୋଟିଏ ଏସ୍ଏଲ୍ଆର୍ ଓ ୩ଟି ବିସ୍ଫୋରକ ଜବତ ହୋଇଛି। ଅନେକ ମାଓ ସାମଗ୍ରୀ ମଧ୍ୟ ମିଳିଛି। ତେବେ ଓଡ଼ିଶା-ଛତିଶଗଡ଼଼ ସୀମାରେ ମାଓ ଗତିବିଧି ବୃଦ୍ଧି ପାଉଥିବା ନେଇ ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା। ଛତିଶଗଡ଼଼ ରାଜ୍ୟ ଗରିଆବନ୍ଧ ଜିଲା ମଣିପୁର ଥାନା ଅଞ୍ଚଳରେ ମାଓ ମେଳି ହେଉଥିବା ଜଣାପଡ଼ିଥିଲା। ନୂଆପଡ଼ା ଜିଲା ସୀମାରୁ ମାତ୍ର ୫ କିଲୋମିଟର ଦୂର। ତେଣୁ ଓଡ଼ିଶା ଓ ଛତିଶଗଡ଼଼ ପୁଲିସ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ ସହ ମିଶି ମିଳିତ ଅପରେସନ ଆରମ୍ଭ କରିଥିଲେ। ଏଥିରେ ୩ ଏସଓଜି, ୨ ଛତିଶଗଡ଼଼ ପୁଲିସ ଟିମ ଓ ୫ଟି ସିଆର୍ପିଏଫ୍ ଦଳ ସାମିଲ ରହିଥିଲେ। ଗତକାଲି ସକାଳୁ କୁଲାରିଘାଟ ଜଙ୍ଗଲରେ ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ବର୍ତ୍ତମାନ ମଧ୍ୟ ସେହି ଅଞ୍ଚଳରେ ଗୁଳି ବିନିମୟ ଜାରି ରହିଥିବା ଡିଜିପି କହିଛନ୍ତି।