
ଭୁବନେଶ୍ୱର : ହାଇ ସିକ୍ୟୁରିଟ୍ ନମ୍ବର ପ୍ଲେଟ୍ ହେବା ପରେ ରାଜଧାନୀରୁ ବାଇକ୍ ଚୋରି କମିଯିବ ବୋଲି ଲୋକେ ଆଶା କରିଥିଲେ। ଏମିତି କି ହାଇ ସିକ୍ୟୁରିଟ୍ ନମ୍ବର ପ୍ଲେଟ୍ ଥିବା ଗାଡ଼ିକୁ ଚୋରିକଲେ ଧରାପଡ଼ିବାର ଅଧିକ ସମ୍ଭାବନା ରହିଛି ବୋଲି ପରିବହନ ବିଭାଗ ମଧ୍ୟ ସଫେଇ ଦେଇଛି। କିନ୍ତୁ ବାସ୍ତବରେ ଏହା ଚୋରଙ୍କ ଉପରେ କିଛି ପ୍ରଭାବ ପକାଇପାରୁ ନ ଥିବା ଭଳି ମନେ ହେଉଛି। ସେମାନେ ଏହି ହାଇସିକ୍ୟୁରିଟ୍ ନମ୍ବର ପ୍ଲେଟ୍ ଥିବା ଗାଡ଼ିକୁ ଚୋରିକରି ନେଉଛନ୍ତି। ଗତ ଦୁଇ ମାସରେ ରାଜଧାନୀରୁ ୧୭୦ଟି ବାଇକ୍ ଚୋରି ହୋଇଥିବା ସୂଚନା ମିଳିଛି। ଏଥିରୁ ପ୍ରାୟ ୮୦ଟି ବାଇକ୍ ହାଇସିକ୍ୟୁରିଟ୍ ନମ୍ବର ପ୍ଲେଟ୍ ଥିବା ଗାଡ଼ି ରହିଛି। ରାଜଧାନୀରେ ଦିନକୁ ୪୦ରୁ ଊର୍ଦ୍ଧ୍ୱ ବାଇକ୍ ଚୋରି ହୋଇଥିବା ନେଇ ମାମଲା ରୁଜୁ ହୋଇଛି। ଏହିଭଳି ଦୁଇ ଦିନରେ ୩୦ଟି ବାଇକ୍ ସହରର ବିଭିନ୍ନ ଥାନା ଅଞ୍ଚଳରୁ ଚୋରି ହୋଇଥିବା ନେଇ ମାମଲା ହୋଇଛି। ନିକଟରେ ସହରର କିଛି ପ୍ରମୁଖ ଥାନାରେ ଘନଘନ ବାଇକ୍ ଚୋରି ହେଉଥିବା ବେଳେ ପୁଲିସ ଏହି ଗ୍ୟାଙ୍ଗ୍କୁ ଧରିବାରେ ବିଫଳ ହୋଇଛି।
ବାଇକ୍ ଚୋରି ଗ୍ୟାଙ୍ଗ ପଛରେ ବଙ୍ଗୀୟ ଲୁଟେରାଙ୍କ ହାତ ରହିଛି। ସେ ପଶ୍ଚିମବଙ୍ଗ ଏବଂ ନୟାଗଡ଼ର କିଛି ପିଲାଙ୍କୁ ଏହି ଗ୍ୟାଙ୍ଗ୍ରେ ସାମିଲ କରିଛନ୍ତି। ସେମାନେ ସକାଳୁ ଟ୍ରେନ୍ରେ ଭୁବନେଶ୍ୱର ପହଞ୍ଚୁଛନ୍ତି। ସମସ୍ତେ ଏକାଠି ହୋଇ ବିଭିନ୍ନ ସ୍ଥାନକୁ ବାଇକ୍ ଚୋରି କରିବାକୁ ପଳାଉଛନ୍ତି। ବାଇକ୍ ଚୋରି କରିବା ପରେ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଏକାଠି ହୋଇ ଦଲାଲଙ୍କ ମାଧ୍ୟମରେ ବାଇକ୍ ବିକ୍ରିକରି ଟଙ୍କା ନେଇ ସନ୍ଧ୍ୟାରେ ପଳାଉଛନ୍ତି। ଆଉ ଚୋରି ବାଇକ୍ ସବୁ ଏକାଠି କରି ଗାଡ଼ିରେ ବଙ୍ଗୀୟ ଯୁବକମାନେ ପଶ୍ଚିମବଙ୍ଗରେ ବିକ୍ରି କରୁଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।
ପୁଲିସ ରେକର୍ଡ ମୁତାବକ କ୍ୟାପିଟାଲ ଥାନା ଅଞ୍ଚଳରୁ ସର୍ବାଧିକ ବାଇକ୍ ଚୋରି ହୋଇଥିବା ସୂଚନାମିଳିଛି। ଗତକାଲି ଏୟାରପୋର୍ଟ ଥାନା ମଧୁସୂଦନ ପାର୍କ ନିକଟରୁ ସଞ୍ଜୟ ମଲ୍ଲିକ୍ ନାମକ ଜଣେ ବ୍ୟକ୍ତିଙ୍କ ବାଇକ୍ ଚୋରି ହୋଇଛି। ସେ କୌଣସି କାମରେ ପାର୍କ ଯାଇଥିଲେ। ଫେରିବା ପରେ ସେଠାରେ ତାଙ୍କ ବାଇକ୍ ଚୋରି ହୋଇଯାଇଥିଲା। ସେହିପରି ବଡ଼ଗଡ଼ ଥାନା ଭାସ୍କରେଶ୍ୱର ମନ୍ଦିରକୁ ପ୍ରମୋଦ କୁମାର କଅଁର ବୁଲିବାକୁ ଯାଇଥିଲେ। ସେ ବୁଲି ବାହାରିବା ପରେ ତାଙ୍କ ବାଇକ୍ ଚୋରି ହୋଇଯାଇଥିଲା। ସେହିପରି ବାଲିପାଟଣା ଥାନା ବାଳକାଟି ଦେବୀ ମଣ୍ଡପ ନିକଟରୁ ସ୍ୱାଧୀନ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ବାଇକ୍ ଚୋରି ହୋଇଥିବା ନେଇ ଥାନାରେ ମାମଲା ହୋଇଛି। ସେହିପରି କ୍ୟାପିଟାଲ ଥାନା ୟୁନିଟ୍-୮ ମାଛ ଦୋକାନକୁ ପୁରୁଣା ଭୁବନେଶ୍ୱରର ସଞ୍ଜିବ ମଣ୍ଡଳ ଯାଇଥିଲେ। ସେ ବାଇକ୍ ପାର୍କିଂ କରି ମାଛ କିଣିବା ସମୟରେ ତାଙ୍କ ବାଇକ୍ କେହି ଚୋରି ହୋଇଯାଇଥିଲା।
ସହରରେ ହେଉଥିବା ଲୁଟ୍ପାଟ ମାମଲାର ତଦନ୍ତ ଭାର କେବଳ ଏହି ପିଓପିଡି ଟିମ୍କୁ ଦିଆଯାଉଛି। ତେଣୁ ବାଇକ୍ ଚୋରି ମାମଲା ଏହି ଟିମ୍ ନେଉଛି। ସହରରେ ଗୋଟିଏ ଦିନରେ ୩୦ଟି ବାଇକ୍ ଚୋରି ହେଉଥିଲେ ମଧ୍ୟ କିଭଳି ଏହି ଗ୍ୟାଙ୍ଗ୍କୁ ଧରି ପାରୁନାହାନ୍ତି ତାହାକୁ ନେଇ ପ୍ରଶ୍ନ ଉଠୁଛି। ପୁଲିସ ନିଜ ଉପରୁ ମାମଲା ବୋଝ କମାଇବା ପାଇଁ ଅନେକ ବାଇକ୍ ଚୋରି ଅଭିଯୋଗରେ ମାମଲା ରୁଜୁ କରୁନି। ଯେଉଁ ଚୋରି ହୋଇଥିବା ବାଇକ୍ର ଇନ୍ସ୍ୟୁରାନ୍ସ ନାହିଁ, ତାହା ମାମଲା ରୁଜୁ କରାଯାଉନି।