କୋଣାର୍କ ସୂର୍ଯ୍ୟମନ୍ଦିର ଢାଞ୍ଚାରେ ନିର୍ମାଣ ହେବ ଭବ୍ୟ ରାମ ମନ୍ଦିର । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସ ଏନେଇ ସୂଚନା ଦେଇଛନ୍ତି । ଶ୍ରୀରାମଜନ୍ମଭୂମି ମନ୍ଦିର ଆପଣାଇବ ଓଡିଶାର ପ୍ରାଚୀନ ସ୍ଥାପତ୍ୟ କଳା । ଯେମିତି ପ୍ରତି ବର୍ଷ ରାମନବମୀ ତିଥିରେ ସିଂହାସନ ଉପରେ ବିରାଜମାନ ରାମଲାଲାଙ୍କ ଉପରେ ପଡିବ ସୂର୍ଯ୍ୟଙ୍କ ପ୍ରଥମ କିରଣ । ଏଥିପାଇଁ ମନ୍ଦିରର ଡିଜାଇନ୍ ଚୂଡାନ୍ତ କରିବା ଲାଗି ବୈଜ୍ଞାନିକ, ଇଞ୍ଜିନିୟର ଏବଂ ଆକାଶବିଜ୍ଞାନୀଙ୍କ ସହ ବିଚାର ବିମର୍ଶ କରାଯାଉଛି । ଆଜିକୁ ୮ଶହ ବର୍ଷ ତଳେ କୋଣାର୍କ ମନ୍ଦିର ନିର୍ମାଣ କରାଯାଇଥିଲା । ଆଜି ବି ଏହା ଭାରତୀୟ ପ୍ରାଚୀନ ବିଜ୍ଞାନ, ଗଣିତ, ଜ୍ୟୋତିର୍ବିଜ୍ଞାନ, ଜ୍ୟାମିତି ଏବଂ କଳା ସମନ୍ବୟର ପ୍ରତୀକ ଭାବରେ ଛିଡା ହୋଇଛି । ମୁଖ୍ୟ ମନ୍ଦିର ସଂପୂର୍ଣ୍ଣ ଭାଙ୍ଗି ଯାଇଛି । କେବଳ ନାଟମନ୍ଦିର ଏବଂ ମୁଖଶାଳା ଭଗ୍ନ ଅବସ୍ଥାରେ ଛିଡା ହୋଇଛି । ମୁଖଶାଳାକୁ ମଧ୍ୟ ବନ୍ଦ କରିଦିଆଯାଇଛି । ହେଲେ ଆଜି ବି ଏହାର ସୂକ୍ଷ୍ମ କାରୁକାର୍ଯ୍ୟ ଅବାକ କରେ । ମନ୍ଦିର କଳା ଉପରେ ଗବେଷଣା କରୁଥିବା ବିଜ୍ଞାନୀଙ୍କୁ ତାଜୁବ କରେ । କୋଣାର୍କ ଚକ ଗୋଟିଏ ଗୋଟିଏ ସୂର୍ଯ୍ୟ ଘଡି ଭାବରେ ତିଆରି କରାଯାଇଥିଲା । ପୁଣି ନାଟମନ୍ଦିର ଏବଂ ମୁଖାଶାଳା ଦେଇ ସୂର୍ଯ୍ୟଙ୍କ ପ୍ରଥମ କିରଣ ପଡୁଥିଲା ଗର୍ଭଗୃହ ଭିତରେ । କୁହାଯାଏ ସୂର୍ଯ୍ୟଙ୍କ ପ୍ରତିମୂର୍ତ୍ତିରେ ଲାଗିଥିବା ଅମୂଲ୍ୟ ହୀରକ ଏହି ସୂର୍ଯ୍ୟକିରଣରେ ଝଲସି ଉଠିବା ସହ ଏକ ଅପୂର୍ବ ଦୃଶ୍ୟ ତିଆରି କରୁଥିଲା । ଇତିହାସ ଗର୍ଭରେ କୋଣାର୍କର ମୁଖ୍ୟ ମନ୍ଦିର ନଷ୍ଟ ହୋଇ ଯାଇଛି, କିନ୍ତୁ ଆଜି ବି ଆଧୁନିକ ସ୍ଥାପତ୍ୟ ପାଇଁ ପାଲଟିଛି ପ୍ରେରଣା ।
କୋଣାର୍କ ମନ୍ଦିର ଢାଞ୍ଚାରେ ଅନୁପ୍ରାଣିତ ହୋଇ ଶ୍ରୀରାମନ୍ଦିର ନିର୍ମାଣ କଥା ବିଚାର କରାଯିବା ଏହାର ବଡ଼ ଉଦାବହରଣ । ୨୦୨୩ ଡିସେମ୍ବର ସୁଦ୍ଧା ଶ୍ରୀରାମମନ୍ଦିର ଗର୍ଭଗୃହ ନିର୍ମାଣ ସରିବା ନେଇ ଲକ୍ଷ୍ୟ ରଖାଯାଇଛି । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଦିଲ୍ଲୀ, ଆଇଆଇଟି ମୁମ୍ବାଇ ଏବଂଏନଆଇଟି ରାଉରକେଲା ସମେତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବିଲଡିଂ କନଷ୍ଟ୍ରକସନ୍ର ବିଶେଷଜ୍ଞଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଭୂକମ୍ପ ଜୋନ୍ ଭିତରେ ଆସୁଛି ଉତ୍ତରପ୍ରଦେଶ, ସେପଟେ ମନ୍ଦିର ପାଖରେ ବୋହି ଯାଉଛି ସରଜୁ ନଦୀ । ଏହାକୁ ଲକ୍ଷ୍ୟ ରଖି ମନ୍ଦିରର ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି । ୪ଶହ ଫୁଟ ଲମ୍ବା ଏବଂ ୩ଶହ ଫୁଟ ଓସାର ପ୍ଲିନ୍ଥ ହେଉଛି, ୟାହା ଉପରେ ୩୬୫ ଫୁଟ ଲମ୍ବା ଏବଂ ୧୭୧ଫୁଟ ଉଚ୍ଚ ମନ୍ଦିର ନିର୍ମାଣ ହେବ । ଅଯୋଧ୍ୟା ରାମମନ୍ଦିର ଭାରତୀୟ ବିଜ୍ଞାନ ଏବଂ କଳାର ସମିଶ୍ରଣ ପ୍ରସ୍ତୁତ କରିବ । ଏଥିପାଇଁ ଇଞ୍ଜିନିୟରମାନେ ସବୁ ଦିଗକୁ ଲକ୍ଷ୍ୟ ରଖି ଡିଜାଇନ୍ ପ୍ରସ୍ତୁତ କରୁଛନ୍ତି । ଆଉ ମନରେ ରଖିଛନ୍ତି ବ୍ଲାକ୍ ପାଗୋଡା କୋଣାର୍କର ଢାଞ୍ଚା ।