ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୪ ଓମିକ୍ରନ ସଂକ୍ରମିତ । ନୂଆ ସଂକ୍ରମିତଙ୍କ ସହ ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି । ଏନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ପ୍ରଥମେ ୨୧ ତାରିଖରେ ଦୁଇ ଜଣ ପରେ ୨୩ ତାରିଖରେ ଆଉ ଦୁଇ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ପ୍ରଥମେ ଚିହ୍ନଟ ହୋଇଥିବା ଦୁଇ ଜଣ ନାଇଜେରିଆ ଏବଂ କାତାରରୁ ଫେରିଥିଲେ ।
ରାଜ୍ୟରେ ଦିନକୁ ଦିନ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ସାରା ବିଶ୍ୱରେ କରୋନାର ନୂଆ ପ୍ରଜାତି ଓମିକ୍ରନର ସଂକ୍ରମଣ ବଢିବାରେ ଲାଗିଛି ।
ଭାରତରେ ଓମିକ୍ରନ ଯୋଗୁଁ ତୃତୀୟ ଲହର ଆଶଙ୍କା ରହିଛି । ଏଥିପାଇଁ କେନ୍ଦ୍ର ସରକାର ଆଗୁଆ ରଣନୀତି ପ୍ରସ୍ତୁତି କରିଛନ୍ତି । ଦେଶବ୍ୟାପୀ ଓମିକ୍ରନ୍ ସଂକ୍ରମଣ ବୃଦ୍ଧି ମଧ୍ୟରେ କେନ୍ଦ୍ର ସରକାର ୧୦ଟି ରାଜ୍ୟକୁ କେନ୍ଦ୍ରୀୟ ଟିମ୍ ପଠାଇଛନ୍ତି । ସଂକ୍ରମଣ ବୃଦ୍ଧି ହେଉଥିବା ରାଜ୍ୟ ଏବଂ କମ୍ ଟିକାକରଣ ଥିବା ୧୦ ରାଜ୍ୟରେ କେନ୍ଦ୍ରୀୟ ଟିମ୍ ମୁତୟନ ହୋଇଛନ୍ତି । ଏହି ୧୦ ରାଜ୍ୟ ମଧ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ୨ ରାଜ୍ୟ ଉତ୍ତରପ୍ରଦେଶ ଏବଂ ପଂଜାବ ଅଛି । ଉକ୍ତ ୨ ରାଜ୍ୟ ସହିତ କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ମିଜୋରାମ, କର୍ଣ୍ଣାଟକ, ବିହାର ଏବଂ ଝାଡ଼ଖଣ୍ଡକୁ କେନ୍ଦ୍ର ସରକାର ଟିମ୍ ପଠାଇଛନ୍ତି । ୫ ଦିନ ପାଇଁ ଉପରୋକ୍ତ ରାଜ୍ୟମାନଙ୍କରେ କେନ୍ଦ୍ରୀୟ ଟିମ୍ ରହିବେ । କେନ୍ଦ୍ରୀୟ ଟିମ୍ ରାଜ୍ୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷମାନଙ୍କ ସହ ମିଶି କାମ କରିବେ । ସେମାନେ ପ୍ରତି ରାଜ୍ୟରେ ଟିକାକରଣ ହାରକୁ ଭଲଭାବେ ଚେକ୍ କରିବେ ଏବଂ ହସ୍ପିଟାଲ୍ ଭିତ୍ତିଭୂମି ସଂକ୍ରାନ୍ତ ସ୍ଥିତି ସମୀକ୍ଷା କରିବେ । କେନ୍ଦ୍ରୀୟ ଟିମ୍ ମୁତୟନ ହୋଇଥିବା ଉପରୋକ୍ତ ୧୦ ରାଜ୍ୟମାନଙ୍କରେ ଜାତୀୟ ହାରାହାରି ଠାରୁ ଟିକାକରଣ ମଧ୍ୟ କମ୍ ରହିଛି । କେନ୍ଦ୍ରୀୟ ଟିମ୍ ଏହି ରାଜ୍ୟମାନଙ୍କରେ ନିୟମିତ ସ୍ଥିତି ଯାଞ୍ଚ କରିବା ସହ ପ୍ରତିଦିନ ସନ୍ଧ୍ୟା ୭ଟା ସୁଦ୍ଧା ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବେ ।