ଓଡ଼ିଆ ଗଳ୍ପପୂଜା ପାର୍ବଣ

ବାହାଘର ବଜେଟ

ଆସନ୍ତୁ ପଢିବା ଆଜିର ରାତ୍ରି କାହାଣୀ

ରଚନା: ଅରବିନ୍ଦ ଦାସ

-ବାହାଘର ବଜେଟ ହିସାବ କରିଛୁ ? କେତେ ଖର୍ଚ୍ଚ ହେବ, ଟଙ୍କା କେଉଁଠୁ ଆସିବ ସେକଥା ଚିନ୍ତା କରିଛୁ ? ପୁଅ ବାହାଘରରେ ଆଜିକାଲି ବେଶୀ ଖର୍ଚ୍ଚ।”

ପୁଅ ଅମିତକୁ ପ୍ରଶ୍ନ କରୁଥିଲେ ଘନଶ୍ୟାମ ବାବୁ। ତିନିବର୍ଷ ହେଲାଣି ଚାକିରୀରୁ ଅବସର ନେଇଥିବା ଘନଶ୍ୟାମ ବାବୁଙ୍କ ଦୁଇ ଝିଅ ଓ ଗୋଟିଏ ପୁଅ । ତିନି ପିଲାଙ୍କ ପାଠପଢ଼ା ଓ ଦୁଇ ଝିଅଙ୍କ ବାହାଘରରେ ସମସ୍ତ ଜମାପୁଞ୍ଜି ସାରିଦେଥିଲେ ଘନଶ୍ୟାମ ବାବୁ । ତେଣୁ ଏବେ ଚିନ୍ତା ପୁଅର ବାହାଘର ଖର୍ଚ୍ଚ ପାଇଁ । ସଫ୍ଟୱେର କମ୍ପାନୀରେ ପୁଅ ଓ ଭାବି ବୋହୁ ଉଭୟେ ଚାକିରୀ କରୁଛନ୍ତି।
ଘନଶ୍ୟାମ ବାବୁଙ୍କ କଥା ଶୁଣି ଦମ୍ଭିଲା ସ୍ୱରରେ ଅମିତ କହିଲା,

– ଆପଣ ବ୍ୟସ୍ତ ହୁଅନ୍ତୁନି ବାପା।ସବୁ କାମ ହୋଇଯିବ।”

– ବ୍ୟସ୍ତ କେମିତି ହେବିନି ? ମନକୁ ମନ ତୁ ଝିଅ ଠିକ କରି ଲଭ ମ୍ୟାରେଜ କରୁଛୁ । ବାହାଘର ହେଲେ କେବଳ ତୋ ସାଙ୍ଗ ଆସିବେ, ବନ୍ଧୁ ବାନ୍ଧବ କୁଣିଆମଇତ୍ର ଆସିବେ। ଘର ମରାମତି ହୋଇ ରଙ୍ଗ ହେବ। ମଣ୍ଡପ ବା ହୋଟେଲ ବୁକିଙ୍ଗ ହେବ। ଜିନିଷ କିଣାକିଣି, ଭୋଜିଭାତ ଅଛି। ତାଛଡା, ବରଯାତ୍ରୀ, ବାଜା, ରୋଷଣୀ, ବାଣ। ଲୋକଙ୍କ ରହିବା, ନେବା ଆଣିବା ବ୍ୟବସ୍ଥା।”

ପଛପଟୁ ପ୍ରତିଭା କହିଲେ,

-ତୋର ଓ ବୋହୂର ଲୁଗାପଟା, ବୋହୁ ପାଇଁ ଗୋଟେ ସେଟ,ଦବା ନେବା, ଝିଅ ଝିଆଣି ଙ୍କ ପାଇଁ ଭାର ବେଭାର ଅଛି। ପୁଅ ବୋହୁ ଦୁହେଁ ସଫ୍ଟୱେର ଚାକିରିଆ ବୋଲି ଶୁଣି କୁଣିଆ ମଇତ୍ର ଙ୍କ ଆଶା ଅଧିକ ପାଇବା ପାଇଁ। ତୋ ମାାଇଁ , ପିଉସୀମାନେ ପାଟ ଶାଢ଼ୀ ପାଇଁ ମୋତେ କହିସାରିଲେଣି। ଗାଁରୁ ତୋ ବଡ଼ବୋଉ ଫୋନ କରି କହୁଥିଲେ, ଅମୁ କୁ ତ ଥୋଡେ ଯୌତୁକ ଓ କାର ମିଳୁଥିବ। ପୁଅ, ବୋହୁଙ୍କୁ ନେଇ ଗାଁକୁ ଆସି ଏଠାରେ ଗୋଟେ ଭୋଜି ଦେବ।ସେମାନେ କଣ ଜାଣନ୍ତି ଯେ ପୁଅଝିଅ ରାଜିରୁଜା ହୋଇ ବାହା ହେଉଛନ୍ତି ବୋଲି ଦେବାନେବା କିଛି ନାହିଁ ବୋଲି ? ମୁଁ ଯେତେ କହିଲେ ବି ବିଶ୍ବାସ କରୁନାହାନ୍ତି।”

ଚିଡିଯାଇ ଅମିତ କହିଲା,

-ଦେବାନେବା, ଯୌତୁକ ଏସବୁ ସାମାଜିକ ଅପରାଧ ଓ କଳଙ୍କ।”

-ସେମାନେ ଏସବୁ ଅପରାଧ, କଳଙ୍କ ମୁଣ୍ଡେଇ ମୁଣ୍ଡେଇ ଅଭ୍ୟସ୍ତ । ତୋ ବଡବାପା, ଦାଦାଙ୍କ ପୁଅ ସବୁ ପରା ଥୋଡେ ଥୋଡେ ଟଙ୍କା ଯୌତୁକ ଆଣି ସେଥିରେ ଭୋଜିଭାତ କରିଥିଲେ । ତେବେ ତୋ ବାପା ଓ ମୁଁ ଦୁହେଁ ଯୌତୁକ ବିରୋଧୀ। ହେଲେ ଟଙ୍କା ତ ଦରକାର। ଆଉ ହଁ, ଏଠି ଟାଉନ ରେ ଯେଉଁ ବାହାଘର, ରିସେପସନ ହେବ, ସେଥିପାଇଁ ଗାଁ ଲୋକଙ୍କୁ ଅଲଗା ବାଟଖର୍ଚ୍ଚ ନହେଲେ ଏସି ବସରେ ନେବା ଆଣିବା ପାଇଁ ଯୋଗାଡ଼ କରିବାକୁ ବି ତୋ ବଡବାପା କହିଛନ୍ତି।”

ଚିହିଁକି ଉଠି ଅମିତ କହିଲା,

-ଗାଁ ବାଲାଙ୍କୁ ବାଟ ଖର୍ଚ୍ଚ କାହିଁକି ? କାହା ବାହାଘର ପାଇଁ ଆମେ ଗାଁକୁ ଗଲେ, କେହିତ ଆମକୁ ବାଟଖର୍ଚ୍ଚ ଦିଅନ୍ତିନି। ଯିଏ ଏଠିକି ଆସିବ, ନିଜ ଖୁସିରେ ଆସିବ। ଆମେ କାହିଁକି ଟଙ୍କା ଦେଇ ଲୋକଙ୍କୁ ଡ଼କାଇବୁ ?”

ଘନଶ୍ୟାମ ବାବୁ କହିଲେ,

-ଇୟେ ପା ଗାଁ ବାଲାଙ୍କ ନୀତି । ଯଦିଓ ସମସ୍ତଙ୍କର କୋଠା ବାଡ଼ି, ଜମିବାଡ଼ି ଗାଡି ମଟର ଅଛି, ତଥାପି ସେମାନେ ନିଜକୁ ସହରରେ ଥିବା ଲୋକଙ୍କ ଅପେକ୍ଷା ଗରିବ ବୋଲି ଭାବନ୍ତି । ଖାଲି ବାହାଘର ନୁହେଁ, ଶ୍ରାଦ୍ଧ କାମରେ ବି ଟାଉନ କୁ ଆସିବାକୁ ଟଙ୍କା ମାଗନ୍ତି । ବେଭାର ଅଲଗା । ତୋ ଜେଜେମା ଦଶ, ଏଗାର କର୍ମ ପାଇଁ ପା ମୁଁ ସାହି ଭାଇଙ୍କ ଲାଗି ଟଙ୍କା ଦେଇଥିଲି । ତେଣୁ ତୁ ଆଗେ ବଜେଟ ତିଆରି କରି ଦେଖେ, କେତେ ଖର୍ଚ୍ଚ ହେବ। ସମୁଦିଙ୍କ ଘରୁ ତ ଆମେ ଟଙ୍କାଟିଏ ଆଣୁନେ । ତେବେ ଖର୍ଚ୍ଚ ପାଇଁ ଟଙ୍କା ଆସିବ କେଉଁଠୁ ? ତୋର ତ ସେଭିଂ ବେଶୀ ନଥିବ । ଆଉ ହଁ , ଆଗରୁ ମୁଁ କହି ଦେଉଛି, ମୋଠୁ ଟଙ୍କାଟିଏ ବି ଆଶା କରିବୁନି । କମ୍ପାନୀ ଚାକିରିଆ ବୋଲି ମୋର ସରକାରୀ ଚାକିରିଆଙ୍କ ଭଳି ମାସିକିଆ ପେନସନ ବି ନାହିଁ।”

ସୋଫାରେ ବାପାଙ୍କ ପାଖରେ ବସି ଅମିତ କହିଲା,

-ଓହୋ ଆପଣ ଟେନସନ ନିଅନ୍ତୁନି। ଆଜିକାଲି ଟ୍ରେଣ୍ଡ ହେଉଛି ହଳଦୀ, ମେହେନ୍ଦି , ରିଙ୍ଗ ସେରିମନି, ବାହାଘର ଓ ରିସେପସନ। ଧୂମଧାମ ରେ ସବୁ ହେବ। ମୁଁ ଓ ରେଖା ଆମେ ସବୁ ପ୍ଲାନ କରିଛୁ। ପ୍ରି-ୱେଡିଙ୍ଗ ଫଟ ଶୁଟ ପାଇଁ ଆମେ ଦୁହେଁ ରାଜସ୍ଥାନ ଓ କେରଳ ଯିବୁ।”

ପ୍ରତିଭା ଚମକି ପଡି କହିଲେ,

-ଆଲୋ ହଳଦୀ, ମେହେନ୍ଦି ଓ ଏତେ ସବୁ ଫଙ୍କସନ ପୁଣି କଣ ?”
ଘନଶ୍ୟାମ କହିଲେ,

-ଇୟେ ସବୁ ଆଜିକାଲିକା ଷ୍ଟାଇଲ, ଲୋକଙ୍କୁ ଲୁଟିବା ପାଇଁ। ଆଗରୁ ମନ୍ଦିରରେ ନିର୍ବନ୍ଧ ହେଉଥିଲା, ପୁଅ ଝିଅଙ୍କ ବିନା ଉପସ୍ଥିତିରେ ମୁରବି ମାନେ ଠାକୁରଙ୍କୁ ସାକ୍ଷୀ ରଖି ବାହାଘର ପାଇଁ ନିୟମ ସତ୍ୟ ପାଠ କରୁଥିଲେ। ହେଲେ ଏବେ ହୋଟେଲରେ ନିର୍ବନ୍ଧ ହେଉଛି, ନାଚ ଗୀତ ସହ। ଆଉ ଆମର ମଙ୍ଗଳପାଗ/ମଙ୍ଗନ ଭଳି ହଳଦୀ ମେହେନ୍ଦି। ଇୟେ ବି ହୋଟେଲ ଅଥବା ଘରକୁ ହୋଟେଲ ଭଳି ସଜାଇ ଫୋଟୋ, ଭିଡିଓ ଓ ନାଚ। ସବୁଦିନ ପାଇଁ ଅଲଗା ଅଲଗା ଡ୍ରେସ। ଆଗରୁ ବାହାଘର ସରିଲା ପରେ ପୁଅ ବୋହୂ ଏକାଠି ଫଟ ଉଥାଉଥିଲେ, ଏବେ ବାହାଘର ପୁର୍ବରୁ ବିବାହିତ ଯୋଡି ଭଳି ଏକାଠି ଫଟ, ଭିଡିଓ ଶୁଟିଙ୍ଗ କରି ସିନେମା ଟ୍ରେଲର ଭଳି ସମସ୍ତଙ୍କୁ ପଠା ଉଛନ୍ତି। ଟଙ୍କା ଖାଲି ଶ୍ରାଦ୍ଧ କରିବା କଥା। ତେବେ ଅମୁ ଏସବୁ କଣ ଆମର ନିହାତି ଦରକାର ! ଟଙ୍କା କେଉଁଠୁ ଆସିବ ?”

ତାଙ୍କ କାନ୍ଧରେ ହାତ ରଖି ଅମିତ କହିଲା,

-ଦେଖନ୍ତୁ ବାପା, ଆମେ ଦୁହେଁ ଚାକିରୀ କରୁଛୁ ଓ ଇଣ୍ଡିପେଁଡେଣ୍ଟ ବି। ଆମେ ଦୁହେଁ ଲୋନ ନେଉଛୁ।ରେଖା ଓ ମୁଁ ଦୁହେଁ ମିଶିକି ସୁଝିବୁ।ଏଷ୍ଟିମେଟ କରିଛୁ, ପ୍ରାୟ ଚାଳିଶ/ପଚାଶ ଲକ୍ଷ ଖର୍ଚ୍ଚ ହେବ। ଆମେ ଦୁହେଁ ୨୦/୨୫ ଲକ୍ଷ ପର୍ସନାଲ ଲୋନ ନେବୁ। ପ୍ରତିମାସ ଇଏମଆଇ ଦେଇ ସୁଝିଦେବୁ।”
ଗୁମ ହୋଇ ବସିଲେ ଘନଶ୍ୟାମ ବାବୁ। ସଂଧ୍ୟାବେଳକୁ
କଟକ ଯାଉଥିଲା ବେଳେ ରାସ୍ତାରେ ,ରେଖା ଠାରୁ ଫୋନ ପାଇ ଆଶ୍ଚର୍ଯ୍ୟ ହୋଇଗଲା ଅମିତ।

-ଶୁଣ ତୁମ ବାପା ମୋ ବାପାଙ୍କୁ ତୁମ ଘରକୁ ଏଇନା ଡ଼କାଇଛନ୍ତି।ବାହାଘରବଜେଟ, ବ୍ୟବସ୍ଥା ଓ ଖର୍ଚ୍ଚ ବିଷୟରେ ଆଲୋଚନା ପାଇଁ। ଏଇନା କି କଥା ? ନିଶ୍ଚୟ ଟଙ୍କା ଡିମାଣ୍ଡ। ତମ ଘର ଲୋକ ଯଦି ଯୌତୁକ ପାଇଁ ଆଗ୍ରହୀ ତେବେ ମୋତେ ପ୍ରଥମରୁ ଜଣାଇ ଦେଇଥାନ୍ତ।”

-କିନ୍ତୁ ବାପା, ବୋଉ ଦୁହେଁ ଯୌତୁକ ବିରୋଧୀ।”

-ତା ହେଲେ, ଏଇନା ଡକରା କାହିଁକି ? ବାପା ରିଟାୟାର ମଣିଷ, କେଉଁଠୁ ଟଙ୍କା ଆଣିବେ। ମୁଁ ତ ଲୋନ ନେଉଛି। ଠିକ ଅଛି, ସାମ୍ନା ସାମ୍ନି କଥା ହୋଇଯାଉ। ବାପାଙ୍କ ସହ ମୁଁ ବି ତମ ଘରକୁ ଆସୁଛି।”
ଅମିତ ଗାଡି ବୁଲାଇ ଘର ଆଡ଼କୁ ମୁହାଁଇଲା। ବାପାଙ୍କ ଫୋନ ବିଜି ଆସୁଛି। ହେ ଭଗବାନ!ଏ ବୟସ୍କ ଲୋକମାନଙ୍କ ମନରେ ଟଙ୍କା ଲାଳସା ଯେମିତି ହେଉ ରହିବ।ନିଜ ଭାଇମାନଙ୍କ ପୁଅମାନେ ଟଙ୍କା ଆଣି ଧୁମଧାମରେ ବାହାଘର କରିଛନ୍ତି ବୋଲି ୟାଙ୍କର ବି ଇଛା ହେଉଥିବ।

ଅମିତ ଘରେ ପହଞ୍ଚିଲା ବେଳକୁ ଡ୍ରଇଂ ରୁମରେ ବାପା, ବୋଉଙ୍କ ସାମ୍ନାରେ ରେଖା ଓ ତାଙ୍କ ବାପା, ବୋଉ ବସି ଚା ପିଉଥିଲେ। ରେଖା ଆଡ଼କୁ ଦେଖି, ଅମିତ ମୁହଁ ବୁଲାଇ ବାପାଙ୍କୁ ପଚାରିଲା,

-ବାପା, ଆପଣ ଏମିତି କରିବେ ବୋଲି ମୋର ଆଶା ନଥିଲା।ଲୋନ ତ ମୁଁ ନେଉଛି। ଦରକାର ପଡ଼ିଲେ ଆଉ ନେବି।”

ରେଖା ଚଟ କିନା ତା କଥାରେ ବାଧା ଦେଇ କହିଲା,

-ନା, ଅମିତ, ଆମେ ଭୁଲ ବୁଝିଛେ। ଅସଲରେ…

ରେଖାର ମା ମୃଦୁ ହସି କହିଲେ,

-ସମୁଦିଙ୍କ ଭଳି ବୁଝିଲା ସୁଝିଲା, ଭଲ ମଣିଷ ମୁଁ ଦୁନିଆରେ ଦେଖିନି। ଏମିତି ଘରକୁ ବୋହୁ ହୋଇ ଆସିବା ରେଖା ପାଇଁ ବହୁତ ଭାଗ୍ୟର ବିଷୟ।”

ଘନଶ୍ୟାମ ବାବୁ ବଡ଼ ପାଟିରେ ହସି ଅମିତ କୁ ଅନାଇ କହିଲେ,

-ତମେ ଦୁହେଁ ବିନା ଜାକଜମକରେ ତମ ଚାକିରୀ ଜାଗାରେ, କୌଣସି ମନ୍ଦିର ବା କୋର୍ଟରେ ବାହାହୋଇ ପଡ଼। ଆମେ କହିବୁ ପୁଅ ଝିଅ ତାଙ୍କର ରାଜିରୁଜା ହୋଇ ବାହାହୋଇଗଲେ।”

-କିନ୍ତୁ ବାପା, ଆମ ବନ୍ଧୁ ବାନ୍ଧବ, ସାଙ୍ଗ….

– ବନ୍ଧୁବାନ୍ଧବ କଣ କାଲି ଆମ ପିଠିରେ ପଡିବେ ? ତମ ସାଙ୍ଗ, ଆମ ବନ୍ଧୁବାନ୍ଧବ ତମ ଦୁହିଁଙ୍କ ଲୋନ ସୁଝିବେ ? ବାପା, ମା ହିସାବରେ ଆମର ବି ଇଛା ଜାକଜମକରେ ପିଲାଙ୍କ ବାହାଘର ହେଉ। କିନ୍ତୁ ଆଜିକାଲିର ଅତ୍ୟାଧୁନିକ ଗୋଡାଣିଆ ସଂସ୍କୃତି ମୋହରେ ପଡି ତମେ ଦୁହେଁ ଯେଉଁ ପ୍ଲାନ କରିଛ, ତା ସପକ୍ଷରେ ଆମେ ନୋହୁଁ। ନୂଆ ନୂଆ ତୁମେ ଦୁହେଁ ଚାକିରୀ କରୁଛ। ଏଇନା ଏତିକି ଟଙ୍କା କରଜ କଲେ, ସୁଝିବାକୁ କେତେ ବର୍ଷ ଲାଗିବ ତା ଭାବିଛ ?ତା ଛଡା ଆଜିକାଲିର ପ୍ରାଇଭେଟ ଚାକିରୀରେ ସ୍ଥିରତା କାହିଁ ? କାମରୁ ଛଟେଇ ହେଲେ ଲୋନ ସୁଝିବ କେମିତି ? କିଏ ଜାଣେ ତମ ଲୋନ ଚକ୍କରରେ ଆମ ପୈତୃକ ଘରବାଡ଼ି ବିକିବାକୁ ପଡିପାରେ।”
ଟିକେ ରହି ଘନଶ୍ୟାମ ବାବୁ ପୁଣି କହିଲେ,

-ଲୋନ ସୁଝିଲା ଭିତରେ ତୁମ ଦୁହିଁଙ୍କ ବିବାହର ଆଦ୍ୟ ବର୍ଷ ସବୁ ଖୁସି ଅପେକ୍ଷା ଚିନ୍ତାରେ କଟିବ।ଆଗେ ଦୁହେଁ ସେଟେଲ ହୋଇ ସ୍ୱାବଲମ୍ବୀ ହୋଇ ଭଲ ଦୁଇ ପଇସା ସଞ୍ଚୟ କରି ନିଜ ପାଇଁ, ନିଜ ଭବିଷ୍ୟତ ପାଇଁ ରଖ। ଏସବୁ ମେହେନ୍ଦୀ, ହଳଦୀ ଫଙ୍କସନ ବଦଳରେ ନିଜ ତେଲ, ହଳଦୀ, ଲୁଣ ସଂସାର କଥା ଚିନ୍ତା କର।କରୋନା ସମୟରେ ପାଞ୍ଚ, ଦଶ ଜଣରେ ବାହାଘର ସବୁ ହୋଇଥିଲା ନା ନାହିଁ ? ଅଯଥା ଖର୍ଚ୍ଚ ନକରି ବାହାଘର ହୋଇ ପାରିବ ବୋଲି ଭୁତାଣୁ ଆମକୁ ଶିଖାଇଲା, ଅଥଚ ଆମେ ପୁଣି ଫାଲତୁ ଖର୍ଚ୍ଚ ପାଇଁ ଆଗଭର ହେଉଛୁ। ”

ରେଖାର ବାପା କହିଲେ,

-ସମୁଦି ବିଲକୁଲ ଠିକ କହୁଛନ୍ତି।ଏକଦମ ସିଂପଲ ବାହାଘର ଓ ଘର ଲୋକ, ତୁମ ସାଙ୍ଗମାନଙ୍କ ପାଇଁ ମନ୍ଦିରରେ ପ୍ରସାଦ ବ୍ୟବସ୍ଥା।ଯେଉଁ ଲୋନ ପାଇଁ ଚିନ୍ତା କରୁଛ, ତାକୁ ଭୁଲି, ନିଜ ସଞ୍ଚୟ ଟଙ୍କାରେ ଘର, ଗାଡି କିଣି ପାରିବ।”

ପ୍ରତିଭା କହିଲେ,

-ମଲା ମୋର, ଖାଲି ଘର , ଗାଡି କାହିଁକି, ଆମ ନାତି ନାତୁଣୀଙ୍କ ପାଇଁ ବରଂ ଖର୍ଚ୍ଚ କରିବେ ଦୁହେଁ।”
ସମସ୍ତେ ହସି ପକାଇଲେ।

ଘନଶ୍ୟାମ ବାବୁ କହିଲେ,

-ନିର୍ବନ୍ଧ, ବାହାଘର, ରିସେପସନରେ ଡିଜାଇନର ପୋଷାକ ପିନ୍ଧି, ସିନେମା ହିରୋ ହିରୋଇନଙ୍କ ଭଳି ଭିଡିଓ ସୁଟିଂ କଲେ, ବିବାହିତ ଜୀବନ ସୁଖମୟ ହୋଇଯାଏନା। ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଦରକାର ଉଭୟଙ୍କ ବୁଝାମଣା ଓ ଚିନ୍ତାମୁକ୍ତ ପରିବେଶ।ଅନାବଶ୍ୟକୀୟ ଲୋନ ଚିନ୍ତା ବଢାଏ। ନିଜ ବାହାଘର ବଜେଟ ପାଇଁ ନିଜ ଘର, ଖୁସିକୁ ବାଜି ଲଗାନା। ବାହାଘର ଦୁଇ ମଣିଷଙ୍କ ଆତ୍ମାର ମିଳନ, ଲୋକଦେଖାଣିଆ ନୁହେଁ। ସବୁବେଳେ ନିଜ ଖର୍ଚ୍ଚ ନିଜ ବଜେଟରେ ରଖ ; ଏ ବାହାଘର ବଜେଟ ବି ତୁମ ହାତ ମୁଠାରେ ରହୁ। ତୁମ ଦୁହିଁଙ୍କ ପାଇଁ ଆମ ସମସ୍ତଙ୍କ ଆଶୀର୍ବାଦ ସବୁବେଳେ ରହିଛି ଓ ରହିବ।”

ଅମିତ ଓ ରେଖା ସମସ୍ତଙ୍କ ପାଦ ଛୁଇଁ ପ୍ରଣାମ କରୁଥିଲେ।

(©ଅରବିନ୍ଦଦାସ)

ସମାପ୍ତ
ଶୁଭ ରାତ୍ରି

Show More

Related Articles

Back to top button