ଓଡ଼ିଆ ଗଳ୍ପଜୀବନଚର୍ଯ୍ୟା

ଆଜିର ରାତ୍ରୀ କାହାଣୀ

ଏବେ ପୃଥିବୀ ନିଃଶବ୍ଦ । ଖାଁ ଖାଁ ରାସ୍ତା ଘାଟ । ଗୋଟେ ଅଶ୍ରୁତପୂର୍ବ ରୋଗର କରାଳ ସୁନାମିରେ ଡୁବି ଯାଇଛି ବିଶ୍ୱ । ଆସନ୍ତୁ ନିଃଶବ୍ଦ ପୃଥିବୀର ସୃଷ୍ଟି କି ଚମତ୍କାର ଜାଣିବା ।

ମୋ ଏକୁଟିଆ ଓ ଅଧିକ ନିରବ ରହିବା ଦେଖି ସାଙ୍ଗ ମାନେ ଯେତେବେଳେ ମୋତେ “ଏକୁଟିଆ ବାଆଁରା, ମୁଣ୍ଡି ମୁଣ୍ଡି ସାଆରା, ଘୁଅ ଖାଇ ପାରା” ଚିଡାନ୍ତି ମୁଁ ଖୁବ୍ ଗମ୍ଭୀର ଓ ଉଦାସ ହୋଇଯାଏ । ବାପା ମୋତେ ବୁଝାଇ କୁହନ୍ତି ତୋତେ ଯେଉଁ କାମ କରିବାକୁ ଭଲ ଲାଗୁନାହିଁ ସେଇଥିପାଇଁ ଯଦି କେହି ତୋତେ ଚିଡାଇଲେ ସେଥିରେ ତୋର କଣ ଅଛି ? ତୁ ବ୍ୟସ୍ତ ହେଉଛୁ ବୋଲି ସେମାନେ କହୁଛନ୍ତି । ସେମାନେ ଜାଣି ନାହାନ୍ତି ନିରବତାର ରଙ୍ଗ ଅଛି, ସ୍ୱର ଅଛି । ନିରବତା ବହୁତ କିଛି କଥା କୁହେ । ବୋଉ କିନ୍ତୁ ଓଲଟା କୁହନ୍ତି । ଘର କୋଣେ ନ ବସି ବାହାରକୁ ଯା ପିଲାଙ୍କ ସଙ୍ଗେ ଖେଳେ, ମିଶେ । ବାପା କିନ୍ତୁ ଏତେଟା ଗୁରୁତ୍ୱ ଦିଅନ୍ତି ନାହିଁ ।

ଦିନେ ସେ ମୋତେ କହିଲେ ଜାଣିଛୁ ମାଆ ! ଏ ଦୁନିଆଁରେ ଏମିତି କିଛି ପିଲା ଅଛନ୍ତି ଯାହାଙ୍କ ଦୁନିଆଁ ସବୁବେଳେ ନିଃଶବ୍ଦ । ସେମାନେ ହେଲେ ବଧିର,କାଲା । କିଛି ପିଲାଙ୍କୁ ଈଶ୍ୱର ଜନ୍ମରୁ ଏମିତି କରିଥାଆନ୍ତି;ଆଉ କିଛି ଦୁଃର୍ଘଟଣା ଘଟିଲା ପରେ ଏପରି ହୋଇଥାନ୍ତି । ଯେମିତି ହେଲେନ୍ କେଲର୍ । ସେମିତି ଆଉ ଜଣେ ଥିଲେ । ତାଙ୍କ କାହାଣୀ ବି ଅତି ହୃଦୟ ବିଦାରକ । ସବୁବେଳେ ହସୁଥିବା,ଗୀତ ଗାଉଥିବା ପିଲାଟି ହଠାତ୍ ନିରବ ହୋଇଗଲା ବିଧାତାଙ୍କ ନିଷ୍ଠୁର ନିର୍ଦ୍ଦେଶରେ ।

ମାତ୍ର ଆଠ ବର୍ଷ ହୋଇଥିଲା ପିଲାଟିଏ । ଛୁଟି କଟାଇବାକୁ ତା ବାପା ଭାଇଙ୍କ ସହ କାଶ୍ମୀର ଯାଇଥିଲା ଖୁସି ମଜା କରିବା ପାଇଁ । ବୁଲୁଥିବା ସମୟରେ ପାହାଡ଼ ଉପରେ ଠିଆ ହୋଇ ଅତି ମନ ଖୁସିରେ ତା ଭାଇକୁ ପିଲାଟି ହାତ ଦେଖାଇ କହୁଥିଲା “ଦେଖ୍ କି ବେଗରେ ସେଠି ପାଣି ଧାଉଁଛି!”ଏହା କହୁ କହୁ ପିଲାଟି ଅତି ପ୍ରଖର ବେଗରେ ଧାଉଁଥିବା ନଈରେ ପଡିଗଲା । ଚେତା ଫେରିଲା ବେଳକୁ ନିଜକୁ ମେଡିକାଲରେ ଗୋଡ଼ ପ୍ଲାଷ୍ଟର ହୋଇଛି ଓ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି ଜାଣିଲା । ସେ ଭଲ ତ ହୋଇଗଲା । ମାତ୍ର କିଛି ଶୁଣି ପାରିଲା ନାହିଁ । ଶୁଣି ନ ପାରିବାରୁ ସେ ପଢ଼ୁଥିବା ସ୍କୁଲ ତାକୁ ଆଉ ପଢ଼ିବାର ସୁଯୋଗ ଦେଲେ ନାହିଁ । ଏମିତି କି କେଉଁ ସ୍କୁଲ ମଧ୍ୟ ତାକୁ ପଢ଼ାଇବାକୁ ମନା କଲେ । ସମସ୍ତେ ପରାମର୍ଶ ଦେଲେ ପିଲାଟିକୁ ଅନ୍ଧ ମୂକ ବଧିର ସ୍କୁଲରେ ପଢିବା ପାଇଁ । ପିଲାଟି ସହ ବାପା ମାଆ ବି ଭାଙ୍ଗି ପଡିଲେ ।

ବାପା ତର୍କ କଲେ ସମସ୍ତଙ୍କ ସହ ମୋ ପୁଅ ମୂକ ନୁହେଁ । ଖାଲି ଟିକେ କମ୍ ଶୁଣେ । ଚିକିତ୍ସା ଚାଲିଛି, ଶୀଘ୍ର ଭଲ ହୋଇଯିବ । କିନ୍ତି କୌଣସି ସ୍କୁଲ ଶୁଣିଲେ ନାହିଁ କିମ୍ବା ବାପା ପିଲାଟିକୁ ଅନ୍ଧ ମୁକ ବଧିର ସ୍କୁଲ ପଠେଇବାକୁ ଇଚ୍ଛା କଲେ ନାହିଁ । କହିଲେ, ” ତୁ ଯଦି ବିନା ସ୍କୁଲରେ ଜୀବନରେ ବଡ଼ ହେବାକୁ ଚାହୁଁଛୁ ତେବେ ତୋତେ ଗୁଡାଏ ବହି ପଢିବାକୁ ପଡିବ । ” ତା ପାଖେ ଗଦେଇ ଦେଲେ ଗାରିବାଲଡ଼ିଙ୍କ ଜୀବନ ଠାରୁ ଆରମ୍ଭ କରି ମୁନିସ୍ ପ୍ରେମ ଚାନ୍ଦଙ୍କ ଯାଏ ଅନେକ ଜୀବନୀ ବହି । ବହି ସତେକି ପିଲାଟି ଆଗରେ ଏକ ନୂତନ ପୃଥିବୀର ଦ୍ୱାର ଖୋଲିଦେଲା ।

ପୁସ୍ତକ କୀଟ ପିଲାଟି କିନ୍ତୁ ସବୁବେଳେ ବିଷାଦ ଗ୍ରସ୍ତ ରହୁଥିଲା । ଯେତେ ଚିକିତ୍ସା କଲେ ବି ସେ ଆଉ ଆଦୌ ଶୁଣି ପାରିଲା ନାହିଁ । କାଳେ ବାହାରକୁ ଗଲେ ସାଙ୍ଗମାନେ ଚିଡାଇବେ “ଏ କାଲା”; ସେଇ ଭୟରେ ସେ ବାହାରକୁ ଗଲା ନାହିଁ । ଦିନୁ ଦିନୁ ଖୁବ ଏକେଲା ହୋଇଗଲା । ଦିନେ ଏକା ଏକା ବଗିଚାରେ ବସି ଉଦାସ ଆଖିରେ ଆକାଶକୁ ଚାହିଁଥିବା ଅବସ୍ଥାରେ ଗୋଟିଏ ସୁନ୍ଦର ଚଢେଇ ଦେଖିଲା । ଚଢ଼େଇଟିକୁ ଦେଖି ପିଲାଟି ଖୁବ୍ ଖୁସି ହୋଇ ଅଳ୍ପ କେତୋଟି ରେଖା ମାଧ୍ୟମରେ ଆଙ୍କି ଦେଲା ସେଇ ଚଢେଇଟିକୁ ଅବିକଳ ।

ଏହା ପରଠାରୁ ସେ ଖାଲି ପୃଷ୍ଠା ପରେ ପୃଷ୍ଠା ଚିତ୍ର ଆଙ୍କିବାକୁ ଲାଗିଲା । ଚିତ୍ର ଆଙ୍କିବାରେ ହଜି ସେ ତା ନିଃଶବ୍ଦତାକୁ ଭୁକିବାକୁ ଚେଷ୍ଟା କଲା । ଖୁବ୍ ଖୁସି ଲାଗିଲା ତାକୁ । ବାପା କିନ୍ତି ଚାହୁଁ ନଥିଲେ ପୁଅ ଚିତ୍ରକର ହେଉ । ମାଆ କିନ୍ତୁ କହିଲେ, ” ତା ଜୀବନକୁ ସେ ଏଇ ଚିତ୍ର ଆଙ୍କି ଉପଭୋଗ କରୁଛି । କାହିଁକି ଛଡେଇ ନେଉଛ ତା ବଞ୍ଚିବା ରାହା ଟିକକ! ଯେମିତି ବଞ୍ଚୁ କିନ୍ତୁ ଖୁସିରେ ବଞ୍ଚୁ । ”

ତିନି ବର୍ଷ ଲଗାତାର ଚିକିତ୍ସା କଲେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ । ବରଂ ଆଦୌ ଶୁଣି ପାରିଲା ନାହିଁ ପିଲାଟି । ସେ ବୁଝିଗଲା “ନିଃଶବ୍ଦ ତାର ପୃଥିବୀ” । ସେଇ ପୃଥିବୀରେ ସେ ରଙ୍ଗ ଭରିବ । ସେ ସିନା କଥା କହି ପାରିବ ନାହିଁ!କିନ୍ତି ତା ରଙ୍ଗ ତୂଳୀ ତା ଅପ୍ରକାଶିତ ଭାଷାକୁ କହି ପାରିବେ ତ ..

ଦିନେ ବାପା ତାକୁ ନିମଗ୍ନ ହୋଇ ଚିତ୍ର କରୁଥିବା ଦେଖି ପଚାରିଲେ, “ଚିତ୍ର କରିବା ତୋର ନିହାତି ଦରକାର ନା?” ସେଦିନ ଆଗ ପରି ରାଗ ନୁହେଁ ବାପାଙ୍କ ଆଖିରେ ପିଲାଟି ପ୍ରେରଣା ଝଲସୁଥିବା ଦେଖି ପାରିଲା । ତା ରଙ୍ଗ, ତୂଳୀ ତା କଥା କୁହା କୋଳାହଳମୟ ଜଗତ ଶେଷରେ ତା ବାପା ଏକଥା ବୁଝି ପାରିଲେ । ବାପା ତା ନାଁ ଲାହୋରର ମେୟୋ କଳା ବିଦ୍ୟାଳୟରେ ଲେଖିଦେଲେ ।

ଦିନେ ଶ୍ରେଣୀକୁ ଶିକ୍ଷକ ଆସି ନଥାନ୍ତି । ପିଲାଟି ଓ ତାର ସାଙ୍ଗ ଉପସ୍ଥାନ ଖାତା ଓଲଟାଉଥାନ୍ତି । ଉପସ୍ଥାନ ଖାତାର ଗୋଟିଏ ସ୍ଥାନରେ ଏକମାତ୍ର ନାଁ ଲେଖାଥିଲା, ଭୋଳା । ଏ ନୂଆ ପିଲାଟି କିଏ?ଠାରରେ ପଚାରିଲା ପିଲାଟି ତା ସାଙ୍ଗକୁ । ତା ସାଙ୍ଗ ଉତ୍ତର ନ ଦେଇ ନିରବ ରହିଲାରୁ ପିଲାଟି ପୁଣି ପଚାରିଲା ଭୋଳା କିଏ? ସାଙ୍ଗଟି କଲମ ବାହାର କରି ଲେଖିଦେଲା “ତୋରି ନାଁ” ଲେଖା ଯାଇଛି ଭୋଳା ବୋଲି ।

ଓ..ଓ; ସେଇଥିପାଇଁ ପିଲାମାନେ ତାକୁ ଡାକି ହସନ୍ତି!ତାଳି ମାରନ୍ତି!ସାର୍ ବି ଶେଷରେ ତାକୁ ଭୋ..ଳା ଲେଖିଛନ୍ତି!ପିଲାଟି ମନରେ ଏ ଅପମାନର କ୍ଷତ ଭାରି ଗାଢ଼ କରି କାଟି ଦେଲା । ସେ ଶୁଣି ପାରୁନାହିଁ ବୋଲି ସିନା.. । ସେଇଠୁ ସେ ପ୍ରତିଜ୍ଞା କଲା “ନିଃଶବ୍ଦ ପୃଥିବୀ” ପାଇଁ ସେ ଦୃଷ୍ଟାନ୍ତ ହେବ । ପ୍ରମାଣ କରିଦେବ ଅନ୍ୟ ମାନଙ୍କ ସହ ସେ ସମାସ୍କନ୍ଦ । ସେ ଭୋଳା ନୁହେଁ ।

ସତକୁ ସତ ସେଇ ପିଲାଟି ହୋଇଗଲେ ଭାରତର ଅନ୍ୟତମ ଶ୍ରେଷ୍ଠ ଚିତ୍ରଶିଳ୍ପୀ “ସତୀଶ ଗୁଜୁରାଲ” ; ଜଣେ ବିଶ୍ୱ ବିଦିତ ଚିତ୍ରକଳା, ଭାସ୍କର୍ଯ୍ୟ, ସ୍ଥାପତ୍ୟ କଳାର ଧୁରୀଣ ବିନ୍ଧାଣୀ; ପଦ୍ମବିଭୂଷଣ ପୁରସ୍କାରପ୍ରାପ୍ତ ବିଖ୍ୟାତ ମଣିଷଟିଏ ।

ଅତଏବ ଇତିହାସ କୁହେ ଏକାକୀ ରହିବା, ନିରବ ରହିବା କି ସାମାଜିକତା ଦୂରତା ବଜାଇ ରଖିବା ଦ୍ୱାରା କ୍ଷତି ନୁହେଁ ବରଂ ଅଦ୍ଭୁତପୂର୍ଣ୍ଣ ଲାଭ ହୋଇଛି । ତାହେଲେ ଆଜି ଯେତେବେଳେ ଆମ ଜୀବନ ସୁରକ୍ଷାର ପ୍ରଶ୍ନ ତାହେଲେ କାହିଁକି କୁଣ୍ଠିତ ହେବା?ଆସନ୍ତୁ ଏକା ରହିବା, ଘରେ ରହିବା, ସାମାଜିକତା ଦୂରତା ବଜାଇ ରଖିବା । ମୁହଁରେ ତୁଣ୍ଡି ଦେବା । ତେବେ ଯାଇ କରୋନାକୁ ବାଜିମାତ୍ ମାରିବା ।

ମୋ ବାପା ତ ନାହାନ୍ତି କିନ୍ତୁ ଅଛି ତାଙ୍କ କହିବା କଥା ଯାହା ଆଜି ମୋ କଲମ ଆପଣ ମାନଙ୍କ ପାଇଁ ଘରେ ରହି ପଢିବେ ଓ ନିଃଶବ୍ଦ ପୃଥିବୀର କି ଚମତ୍କାର ରଙ୍ଗ ଥାଏ ଟିକେ ଭାବିବେ ତ ।

Show More

Related Articles

Back to top button