ଓଡ଼ିଆ ଗଳ୍ପମୁଖ୍ୟ ଖବରସ୍ୱତନ୍ତ୍ର

ଆଜିର ରାତ୍ରି କାହାଣୀ

ଅନେକ ବର୍ଷ ପରେ ଦୁଇ ବନ୍ଧୁ ଅରୁଣାଭ ଓ ବିନୟ ପୁଣିଥରେ ଏକାଠି ହୋଇଥିଲେ। ବ୍ୟକ୍ତିଗତ କାମରେ ଦୁହେଁ ଆସିଥିଲେ ସେଇ ସମୁଦ୍ରକୂଳିଆ ସହରକୁ, ଯେଉଁଠି ନିଜ କର୍ମମୟ ଜୀବନର ବେଶ କିଛି ବର୍ଷ ଅତିବାହିତ କରିଥିଲେ ଦୁହେଁ। କମ୍ପାନୀ ଚାକିରୀରୁ ଅବସର ନେଲାପରେ ଦୁହେଁ ଅଲଗା ଅଲଗା ସହରରେ ସେଟେଲ କରିଥିଲେ ବି ଫୋନ ଦ୍ୱାରା ହିଁ ଯାହା ସମ୍ପର୍କ ରହିଥିଲା।ବଡ଼ିଭୋରୁ ହୋଟେଲରୁ ବାହାରି ସୂର୍ଯ୍ୟୋଦୟ ଦେଖିବା ସହ ସମୁଦ୍ରକୂଳରେ ଚା ପିଇବାର ପ୍ଲାନ ବନାଇଥିଲେ ଦୁହେଁ। ଆଜି ସମୁଦ୍ରକୂଳରେ ଚାଲୁଚାଲୁ ଅନେକ ପୁରୁଣା ସ୍ମୃତି ଭାସି ଉଠୁଥିଲା ଦୁହିଁଙ୍କ ମନରେ।

ସମୁଦ୍ର ଢେଉକୁ ଚାହିଁ ବିନୟ କହିଲେ,
-ଚାକିରୀ କଲାବେଳେ ଭାବୁଥିଲେ କେମିତି ଏତେବର୍ଷ ଚାକିରୀ କରିବା। ହେଲେ ଆଜି ମଣିଷ ରିଟାୟାର୍ଡ କର୍ମଚାରୀ। ସତରେ ଟାଇମ କେମିତି ଚାଲିଗଲା ଜଣା ପଡ଼ିଲାନି।”

ଏକ ଦାର୍ଶନିକ ଭଳି ଅରୁଣାଭ ଉତ୍ତର ଦେଲେ,
-ଟାଇମ ଗୋଟେ ଅହରହ , ଅବିଶ୍ରାନ୍ତ ଭାବେ ଚାଲିଥିବା ସ୍ୱୟଂଚାଳିତ ମେସିନ ଭଳି; କେବେ ଥକିପଡୁନଥିବା ଅଭିଯୋଗ କରୁନଥିବା ଏମିତି ଏକ ଜିନିଷ, ଯାହାକୁ ଆମେ କେବେ ସ୍ୱଦେହରେ ଦେଖିନେ, କିନ୍ତୁ ଭିନ୍ନ ଭିନ୍ନ ଜିନିଷରେ ଏହାର ରୂପକୁ, ଉପସ୍ଥିତିକୁ, ଚଳଣୀକୁ ଉପଲବ୍ଧି କରୁ। ତାକୁ ଅର୍ଥାତ ସମୟକୁ କେବଳ ଆମେ ଦେଖୁ, ହେଲେ ଛୁଇଁପାରୁନା।

ଫେଁ କିନା ହସି ବିନୟ କହିଲେ,
– କାଲି ରାତିରେ ମୁଁ ଟିଭିରେ ଟାଇମମେସିନ ଶୀର୍ଷକ ଗୋଟେ ପୁରୁଣା ଇଂରାଜୀ ସିନେମା ଦେଖୁଥିଲି। ଜଣେ ବୈଜ୍ଞାନିକ ଗୋଟେ ମେସିନ ତିଆରି କରିଛନ୍ତି, ଯେଉଁଥିରେ ଜଣେ ବସି ଅତୀତ ବା ଭବିଷ୍ୟତକୁ ଯାଇପାରିବ।ମଜାକଥା ହେଲା ହିରୋ ମେସିନ ଭିତରେ ପଶି ପରୀକ୍ଷା କରୁକରୁ ପ୍ରଥମେ ଅତୀତକୁ ଯାଇ ନିଜ ମୃତ ଜେଜେବାପା ଓ ବାପା, ମାଙ୍କୁ ଭେଟିବା ସହ ନିଜ ପିଲାଦିନକୁ ପୁଣି ଦେଖି ଫେରିଆସିଛନ୍ତି ଓ ଫିଲ୍ମର ମଧ୍ୟାନ୍ତର ପରେ ହିରୋ
ପୁଣି ସେଇ ମେସିନରେ ପଶି ଭବିଷ୍ୟତ ସମୟକୁ ଯାଇ ନିଜ ଭାବୀ ନାତିକୁ ଭେଟିଛନ୍ତି। ଏକଦମ ଆବସର୍ଡ଼ କିନ୍ତୁ ଦେଖିଲାବେଳେ କାହିଁକି ଜେଜାଣି ବିଶ୍ୱାସ ଯୋଗ୍ୟ ଲାଗୁଥିଲା।ସତରେ କଣ ସେଭଳି ଟାଇମ ମେସିନ ତିଆରି ହୋଇପାରିବ ?”

-ଦୁନିଆରେ ଅସମ୍ଭବ କଣ ? ମଣିଷ ଯାହା କଳ୍ପନା କରେ ବିଜ୍ଞାନ ତାକୁ ସତ ବୋଲି ପ୍ରମାଣ କରେ। ପୁରାଣ ବର୍ଣ୍ଣିତ ରାବଣ’ର ପୁଷ୍ପକ ବିମାନ ଓ ଆଜିର ପୁଷ୍ପକ ହେଲିକ୍ୟାପ୍ଟର ଏହାର ଉଦାହରଣ।”

ହସିଦେଇ ବିନୟ କହିଲେ,
– ତୁ ଆଉ ତୋ ସାହିତ୍ୟିକ ଢାଞ୍ଚାରେ ସବୁ ଜିନିଷର ବ୍ୟାଖ୍ୟାକୁ ମୁଁ ରିଟାୟାରମେଣ୍ଟ ପରେ ଏବେ ବହୁତ ମିସ କରୁଛି।

ଦୁହେଁ ଖୋଜୁଥିଲେ ସେମାନଙ୍କର ପୁରୁଣା ନାଗୁଆ ଚା ଦୋକାନ ‘ସିସୋର ଟି-ଷ୍ଟଲ”କୁ। ସୁସ୍ୱାଦୁ ଜଳଖିଆ ଓ ଗରମାଗରମ ଅଦା, ଇଲାଇଚି ଫ୍ଲେବର ଵାଲା ଚା ପାଇଁ ବହୁତ ଭିଡ ହୁଏ ସେ ଦୋକାନରେ। ସମୁଦ୍ର କୂଳରେ ନୂଆ କରି ତିଆରି ହୋଇଥିବା ଗ୍ରାନାଇଟ ପିଣ୍ଡି ଉପରେ ଥିବା ଗୋଟେ ଉଠା ଟି-ଷ୍ଟଲରେ ପହଞ୍ଚି ଚା, କଫି ବିକୁଥିବା ପିଲାକୁ ଦୁଇ କପ ସ୍ପେଶାଲ ଚା ବରାଦ ଦେଇ, ଅରୁଣାଭ ସେଇ ପୁରୁଣା ଦୋକାନ ବିଷୟରେ ପଚାରିବାରୁ ବଲ ବଲ କରି ସେମାନଙ୍କୁ ଚାହିଁ ସେ ପିଲା କହିଲା,

-ସେ ଦୋକାନ ତ କେବେଠୁ ମ୍ୟୁନୁସିପାଲଟି ଉଠାଇ ଦେଲାଣି। ଇଲିଗାଲ କନଷ୍ଟ୍ରକସନ, ବିନା ସରକାରୀ ଅନୁମତିରେ ଚାଲିଥିଲା ବୋଲି ଅନେକ ବର୍ଷ ତଳେ ଭଙ୍ଗା ହୋଇଥିଲା।”

-ତା ମାଲିକ କୁଆଡେ ଗଲା ?ଆଉ କେଉଁଠି ଦୋକାନ କରିଛନ୍ତି ?”

ଧୀର ସ୍ୱରରେ ସେ ପିଲା କହିଲା,
-ଦୋକାନ ଭଙ୍ଗା ନୋଟିସ ପାଇ ତା ମୁଣ୍ଡ ଖରାପ ହୋଇଯାଇଥିଲା।ଦୋକାନ ଜାଗାରେ ନେତାଙ୍କ ମୂର୍ତ୍ତି ବସିବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଏତେ ବଡ଼ ସହରରେ ସେଇ ଜାଗା ଖଣ୍ଡକ ଛଡା ଆଉ ଯେମିତି ଅନ୍ୟ ଜାଗା ନଥିଲା।ଯେଉଁଦିନ ମ୍ୟୁନିସିପାଲଟି ବୁଲଡୋଜର ଆସିଥିଲା, ସେଦିନ ପ୍ରତିବାଦ କରିବାକୁ ଯାଇ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲା ସେ ଦୋକାନୀ। ହସ୍ପିଟାଲ ଯିବା ବାଟରେ ମରିଗଲା ।

-ରାଜୁ ମରିଗଲା !!!
ଚା ତଣ୍ଟିରେ ଲାଗିଲା ବିନୟ ର।ଦୁହେଁ ଚୁପଚାପ ଅନେଇଥିଲେ ଗୋଟେ ମୂର୍ତ୍ତିକୁ। ଉଦାସ ମନରେ
କାଗଜ ଚା କପ ଡଷ୍ଟବିନରେ ପକାଇ ଦୁହେଁ ଚୁପଚାପ ଆଗେଇଲେ। କିଛିବାଟ ଗଲାପରେ ବିନୟ କହିଲେ,

-ପ୍ରମୋଦ ଭାଇ କଥା ଆଜି ବହୁତ ମନେ ପଡୁଛି। ସିସୋର ଚା ଦୋକାନ ସେହିଁ ଆମକୁ ଦେଖାଇଥିଲା। କେତେ ହସଖୁସିଆ ମଣିଷ ଥିଲା ପ୍ରମୋଦ ଭାଇ ? ”
ଦୁହେଁ ଚୁପଚାପ ଦିଗବଳୟ କୁ ଅନେଇଥିଲେ। ପ୍ରମୋଦ ସେମାନଙ୍କ ସହକର୍ମୀ ଥିଲେ, ବୟସରେ ସେ ଦୁହିଁଙ୍କ ଠାରୁ ବଡ଼ ହେଲେବି ନିବିଡ ବନ୍ଧୁତା ଥିଲା ତିନି ଜଣଙ୍କ ଭିତରେ। ପ୍ରାତଃ ଓ ସାୟଂ ଭ୍ରମଣରେ ତିନିହେଁ ଆସୁଥିଲେ ସମୁଦ୍ରକୂଳକୁ ଚାଲିବାପାଇଁ। ତେବେ ଚାଲିବା ଅପେକ୍ଷା ଗପସପ , ହସଖୁସି ଗୀତ ବୋଲା ଅଧିକ ହେଉଥିଲା।ପ୍ରମୋଦ ସଙ୍ଗୀତ ପ୍ରେମୀ ଥିଲେ।ହାରମୋନିୟମ ଓ ଗିଟାର ସହ ଆସର ବସୁଥିଲା। ତେବେ ପ୍ରମୋଦ ଟିକେ ଅଳସୁଆ ଥିଲେ ବୋଲି ଅରୁଣାଭ ଚିଡେଇକି କହୁଥିଲା,

-ତୁମ ଭଳି ଠକ ମୁଁ ଦୁନିଆରେ ଦେଖିନି। ଏଠି ବିଚରେ ଚଲାଚଲି, କସରତ ବ୍ୟାୟାମ କରିବାକୁ ଆସୁଛ ବୋଲି ଘରେ କହି, ଏଠି ଗୁଲିଖଟି ଗପ, ଚା, ସିଗାରେଟ ଆଉ ଗୀତ ! ଭାଉଜ ଯଦି ଜାଣିବେ ?

ନିର୍ବିକାର ଭାବେ ପ୍ରମୋଦ ଜବାବ ଦିଅନ୍ତି,
-ତୋ ଭାଉଜକୁ ଭୂତେଇବା ମୋ ବାଁ ହାତର ଖେଳ। ଏଠି ତମମାନଙ୍କ ଭଳି ସାଙ୍ଗମାନଙ୍କ ସହିତ କିଛି ନିରୋଳା ନିରୁତା ସମୟ କଣ ଆଉ କେଉଁଠି ମିଳିବ? ରିଟାୟାରମେଣ୍ଟ ପରେ ଏକାଠି ଗୋଟେ ବ୍ୟାଣ୍ଡ କରିବା।”

ତିନିହେଁ ଏକାଠି ମିଶି ହସୁଥିଲେ।କମ୍ପାନୀ ବାର୍ଷିକ ଉତ୍ସବରେ ପ୍ରମୋଦଙ୍କ ନିର୍ଦ୍ଦେଶନାରେ ଦୁଇବନ୍ଧୁ କିନ୍ତୁ ଗ୍ରୁପ କୋରସ ସଙ୍ଗରେ ଭାଗ ନେଉଥିଲେ।
ସିଗାରେଟ ଟାଣିବା ଘରେ ବ୍ୟାନ ଥିଲା ବୋଲି ପ୍ରମୋଦ ଓ ବିନୟ ଏଇ ସମୁଦ୍ରକୂଳରେ ଚା ପିଇଲା ବେଳେ ସିଗାରେଟ ଟାଣୁଥିଲେ। ଅରୁଣାଭ କିନ୍ତୁ ସିଗାରେଟ ଟାଣୁ ନଥିଲା।

ହସିଦେଇ ପ୍ରମୋଦ,ଅରୁଣାଭକୁ ଅନାଇ କୁହନ୍ତି,
-ଏଇଟା ସୁନାପିଲା। ଅଧିକ ଦିନ ବଞ୍ଚିବ।”

ଭାବନାରାଜ୍ୟରୁ ଫେରିଆସି, କିଛି ସମୟ ଗୁମମାରି ବସିଲା ପରେ ଅରୁଣାଭ, ବିନୟକୁ କହିଲେ,
-ସିଗାରେଟ ପିଇବୁ ?”

ଧୀର ସ୍ୱରରେ ବିନୟ କହିଲେ,
-ପ୍ରମୋଦ ଭାଇ ଯେଉଁଦିନ ଚାଲିଗଲା ସେଦିନଠୁ ଛାଡ଼ିଦେଇଛି। ଆଉ ଇଛା ହେଉନି।

ଦୀର୍ଘନିଶ୍ବାସ ଛାଡି ଅରୁଣାଭ କହିଲେ,
-ପ୍ରମୋଦ ଭାଇଟା ଆମକୁ ଠକିଦେଇ ଏମିତି ଚାଲିଯିବ ବୋଲି କିଏ ଜାଣିଥିଲା ?ସବୁବେଳେ କହୁଥିଲେ ଏଇ ସହରରେ ସେଟେଲ କରିବି ଓ ତମେ ଦୁହେଁ ଯେବେ ଆସିବ ମୋ ଫ୍ଲାଟରେ ରହିବ। ଆଉ ଆଜି ଦେଖ। ଆମେ ଅଛେ, ଅଥଚ ସେ ନାହିଁ, ଆଜି ଥିଲେ ନିଶ୍ଚେ ଆମ ତାଙ୍କ ଫ୍ଲାଟରେ ଏକାଠି ହୋଇଥାନ୍ତେ। ସନ୍ଧ୍ୟା ଓ ସକାଳ ସମୟରେ ନିଜ ଗିଟାର ଆଣି ପ୍ରମୋଦ ଭାଇଏଇଠି କେତେ ସୁନ୍ଦର ଗୀତ ଶୁଣାଉଥିଲା ?ଓଧ ସାଙ୍ଗରେ ବଣଭୁଆଁ ବାଇ ଭଳି ତୁ ବି ଗାଉଥିଲୁ। ଆଉ ଆମ କୋରସ ଗୀତ ?”
ଗୋଟେ ନଡ଼ିଆ ଗଛ ଛାଇରେ ଠିଆହୋଇ, ଆଖି ବୁଜି ପାଟିରେ ସୁସୁରି ମାରି, ଗୁଣୁଗୁଣେଇ ହୋଇ ବିନୟ ବୋଲିଲେ ଆନନ୍ଦ ସିନେମାର ,
-ଜିନ୍ଦେଗୀ, କୈସି ହେ ପହେଲି ହାଏ,
କଭି ତୋ ହସାଏ, କଭିତୋ ରୁଲାଏ…….
କୋହରେ ରୁନ୍ଧି ହୋଇଯାଉଥିଲା ବିନୟ’ଙ୍କ ସ୍ୱର।
ଅରୁଣାଭ ଆସି ହାତ ରଖିଲେ ବିନୟଙ୍କ କାନ୍ଧରେ।ଗଛ ଉପରୁ କିଛି ଶବ୍ଦ ଶୁଣି ଅରୁଣାଭ ଉପରକୁ ଚାହିଁ କହିଲେ,

-ତୋ ସ୍ୱର ଶୁଣି ଦେଖ କାଉ ଆସି ବୋବାଇଲାଣି।

କାଉକୁ ଏକ ଲୟରେ ଚାହିଁ ବିନୟ କହିଲେ,
-କାଉ ରୂପରେ ଅନ୍ୟ କେହି ବି ଆସେ। ବନ୍ଧୁ କଣ ସତରେ କେବେ ଦୁରେଇ ଯାଏ ? ହୁଏତ ଆମେ ତାକୁ ଦେଖିବାକୁ ସମର୍ଥ ହେଉନା।”

କା କା ବୋବାଇ ଉଡିଯାଉଥିବା କାଉକୁ ଦୁହେଁ ଦେଖୁଥିଲେ।

ଅରୁଣାଭ ଗମ୍ଭୀର ସ୍ୱରରେ କହିଲେ,
– ବିନୟ, ତୁ ଟାଇମ ମେସିନ କଥା କହୁଥିଲୁ ନା ? ଏମିତି ଦେଖିବାକୁ ଗଲେ ଟାଇମମେସିନ ଏକ କାଳ୍ପନିକ କଥାବସ୍ତୁ ନୁହେଁ। ଟାଇମ ମେସିନ ରେ ବର୍ଣ୍ଣିତ ଅତୀତ ଓ ଭବିଷ୍ୟତକୁ ଯିବାପାଇଁ କାଳ୍ପନିକ ବର୍ଣ୍ଣନା ଯାହାଦ୍ୱାରା ସମ୍ଭବ ତାହା ହେଉଛି ବନ୍ଧୁତା। ବନ୍ଧୁଙ୍କ ସହ ମିଶି ବୟସ ଥିଲାବେଳେ ଆମେ ପରସ୍ପରର ସୁନେଲି ଭବିଷ୍ୟତ ର ପ୍ଲାନ ବିଷୟରେ ଆଲୋଚନା କରୁ, ସ୍ୱପ୍ନ ଦେଖୁ, ଖୁସି ହେଉ। ଆଉ ଯେତେବେଳେ ଜଣେ ବନ୍ଧୁ ପାଖରେ ନଥାଏ,ତା ଅବର୍ତ୍ତମାନରେ ପୁରୁଣା ସ୍ମୃତି ସବୁ ଆମକୁ ଅତୀତକୁ ଫେରାଇନିଏ , ଭାରାକ୍ରାନ୍ତ କରେ।ବନ୍ଧୁଙ୍କୁ ଆମେ ଦେଖୁ ବା ନଦେଖୁ, ବନ୍ଧୁତାକୁ କିନ୍ତୁ ସବୁବେଳେ ଅନୁଭବ କରୁ।”
ହଠାତ କାହା ଡାକରେ ଦୁହେଁ ଚମକି ପଡିଲେ। ପଛପଟେ ଠିଆହୋଇ ଥିଲେ କମ୍ପାନୀର ପୁରୁଣା ସହକର୍ମୀ ସ୍ୱରୂପ ବାବୁ।ହସି ହସି କହିଲେ,

– ଅରୁଣାଭ ଓ ବିନୟ ?ଦୁହେଁ ଏକାଠି ? ହ୍ଵାଟ ଏ ପ୍ଲିଜାଣ୍ଟ ସରପ୍ରାଇଜ ! ଚେହେରା ଅବଶ୍ୟ ଟିକେ ବଦଳିଛି, ହେଲେ ଚିହ୍ନିବାରେ ମୋର ଭୁଲ ହେବନି।
ଏକା ନା ଫ୍ୟାମିଲି ସହ ଆସିଛ ଦୁହେଁ ?”

-ଆରେ, ସ୍ୱରୂପ ? ବହୁତ ଖୁସି ଲାଗିଲା। ଦୁହେଁ ଏକା ଏକା ଆସିଛୁ। ଆଜି ରାତିରେ ଫେରିଯିବୁ।”

ହସିଦେଇ ସ୍ୱରୂପ କହିଲେ,
-ଚାଲ ମୋ ଘରକୁ। ଏଇ ପାଖରେ। ବ୍ରେକଫାଷ୍ଟ ଏକାଠି କରିବା। ଏତେଦିନ ପରେ ଦେଖା ହେଲା, ମନଭରି ଗପିବା”

ବିନୟ ପଚାରିଲେ,
-ଫ୍ଲାଟ କେଉଁଠି ?”

-ପ୍ରମୋଦ ବାବୁଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଓଡିଶା ଯିବା ପୂର୍ବରୁ ଫ୍ଲାଟଟା ବିକିବାକୁ ଚାହୁଁଥିଲେ। ମୁଁ କିଣିଛି।”

ଆବାକାବା ହୋଇ ବିନୟଙ୍କ ପାଟିରୁ ବାହାରି ପଡ଼ିଲା,
-ପ୍ରମୋଦ ଭାଇଙ୍କ ଫ୍ଲାଟ ତମେ କିଣିଛ !!

ଅରୁଣାଭକୁ ଚାହିଁଲା ବିନୟ। ଦୁହେଁ ଦିଗବଳୟରେ ଉଇଁ ଆସୁଥିବା ସୂର୍ଯ୍ୟଙ୍କୁ ଚାହୁଁଥିଲେ।
ଦୀର୍ଘନିଶ୍ବାସ ଛାଡି ଅରୁଣାଭ ଧୀର ସ୍ୱରରେ ବିନୟ କାନରେ କହିଲେ,

-ପ୍ରମୋଦ ଭାଇ ତାଙ୍କ କଥା ରଖିଛନ୍ତି। ସତେ ଯେମିତି ଆମ କଥା ଶୁଣି ପକାଇଲେ।ବନ୍ଧୁ ନଥିଲେ ବି ବନ୍ଧୁତା କେବେ ମରେନା, ତାହା ଚିର ଅମର, ଶାଶ୍ୱତ। ଟାଇମମେସିନ ଏକ କାଳ୍ପନିକ କଥାବସ୍ତୁ ନୁହେଁ, ଛଳଛଳ ଆବେଗ ଓ ଅସରନ୍ତି ସ୍ମୃତିର ଭଣ୍ଡାର ଏଇ ବନ୍ଧୁତା ହିଁ ଅସଲ ଟାଇମମେସିନ।”

Show More

Related Articles

Back to top button