ଓଡ଼ିଶା
ଭୂକମ୍ପରେ ଥରିଲା ଜାପାନ,୬.୧ ତୀବ୍ରତା ରେକର୍ଡ

ଭୂକମ୍ପରେ ଥରିଲା ଜାପାନ । ଜାପାନରେ ସୋମବାର ଅପରାହ୍ଣରେ ଭୂମିକମ୍ପ ଅନୁଭୂତ ହୋଇଛି ।ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଛି । ଏହାକୁ ନେଇ ସୁନାମୀ ସତର୍କତା ଜାରି କରାଯାଇ ନାହିଁ ।
ଆମେରିକୀୟ ଭୂତାତ୍ତ୍ବିକ ସର୍ବେକ୍ଷଣ ଏଜେନ୍ସିର ସୂଚନା ଅନୁସାରେ, ଜାପାନୀ ସହର ଟୋବାର ୮୪ କିଲୋମିଟର ଦକ୍ଷିଣ, ଦକ୍ଷିଣ-ପୂର୍ବ ଦିଗରେ ଏହି ଭୂମିକମ୍ପ ହୋଇଛି । ଏହାର ପ୍ରଭାବ ଜାପାନର ରାଜଧାନୀ ଟୋକିଓ ସମେତ ଅନ୍ୟାନ୍ୟ ଅଂଚଳରେ ଅନୁଭୂତ ହୋଇଛି ।
ଜାପାନର ସରକାରୀ ଗଣମାଧ୍ୟମ ଏନଏଚକେର ସୂଚନା ଅନୁସାରେ ଏହି ଭୂମିକମ୍ପ ଯୋଗୁଁ ଫୁକୁସିମା ସହରରେ କମ୍ପନ ଅନୁଭବ ହୋଇଛି । ତେବେ ଏହି ସହରରେ ଥିବା ପରମାଣୁ କେନ୍ଦ୍ରର କୌଣସି କ୍ଷତି ହୋଇନାହିଁ ।ଟୋକିଓରେ ଭୂମିକମ୍ପ ଅନୁଭବ ହେବା ପରେ ସିନକାନସେନ ବୁଲେଟ ଟ୍ରେନ ଚଳାଚଳକୁ ଅଳ୍ପ ସମୟ ପାଇଁ ବନ୍ଦ କରାଯାଇଥିଲା ।