ଆରପାରିରେ କିମ୍ବଦନ୍ତୀ ଖେଳାଳି ଡିଏଗୋ ମାରାଡୋନା
ବିଶ୍ବର ସର୍ବକାଳୀନ ଶ୍ରେଷ୍ଠ ଫୁଟବଲର୍, ଆର୍ଜେଣ୍ଟିନାର କିଂବଦନ୍ତି ଖେଳାଳି ଡିଏଗୋ ମାରାଡୋନା ଆଉ ନାହାନ୍ତି। ଫିଫା ବିଶ୍ବକପ୍ରେ ଦୁଇ ଦୁଇ ଥର ବିଂଶ ଶତାବ୍ଦୀର ଶ୍ରେଷ୍ଠ ଫୁଟବଲର୍ ପୁରସ୍କାର ବିଜେତା ମହାନ୍ ମାରାଡୋନାଙ୍କ ବୁଧବାର ରାତିରେ ୬୦ ବର୍ଷ ବୟସରେ ପରଲୋକ ହୋଇ ଯାଇଛି

ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବାରୁ ଅସ୍ତ୍ରୋପଚାର ହେବାର ମାତ୍ର ଦୁଇ ସପ୍ତାହ ପରେ ହୃଦଘାତରେ ଏହି ଯଶସ୍ବୀ କ୍ରୀଡ଼ା ବ୍ୟକ୍ତିତ୍ବଙ୍କ ଜୀବନ ଦୀପ ଲିଭିଯାଇଛି। ଏହି ଖବର ସମସ୍ତ କ୍ରୀଡ଼ା ଜଗତକୁ ସ୍ତବ୍ଧ କରି ଦେଇଛି।ନିଜର ଅବିଶ୍ବସନୀୟ କ୍ରୀଡ଼ା କୌଶଳ ପାଇଁ ଈର୍ଷଣୀୟ ସଫଳତା ହାସଲ କରିଥିବା ମାରାଡୋନା ବିଶ୍ବର ପ୍ରତିଟି କୋଣ ଅନୁକୋଣରେ କୋଟି କୋଟି ପ୍ରଶଂସକ ତିଆରି କରିପାରିଥିଲେ। ତେଣୁ ହଠାତ୍ ତାଙ୍କର ଏପରି ବିଦାୟକୁ ପ୍ରଶଂସକ ମହଲ ସହଜରେ ଗ୍ରହଣ କରିପାରୁନାହାନ୍ତି। ଆର୍ଜେଣ୍ଟିନା ତା’ର ସବୁଠାରୁ ସୁଯୋଗ ସନ୍ତାନକୁ ହରାଇଛି। ବିଂଶ ଶତାବ୍ଦୀର ଶ୍ରେଷ୍ଠ ଗୋଲ୍ ଦେଇଥିବା ମାରାଡୋନାଙ୍କ ମୃତ୍ୟୁ ଖବର ଆସିବା ପରେ ଭାରତ ସହ ସମଗ୍ର କ୍ରୀଡ଼ା ଜଗତ ଦୁଃଖର ବୁଡ଼ି ଯାଇଛି। ତାଙ୍କ ପରିବାରକୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଛି।
୧୯୮୬ ବିଶ୍ବକପ୍ରେ ଇଂଲଣ୍ଡ ବିପକ୍ଷରେ ‘ହ୍ୟାଣ୍ଡ ଅଫ୍ ଗଡ଼୍ ଗୋଲ୍’ ପାଇଁ ସଦା ଚର୍ଚିତ ଏହି ମହାନ୍ ଖେଳାଳିଙ୍କ ବିୟୋଗରେ ଫୁଟବଲ୍ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ୧୯୮୨ରୁ ୧୯୯୪ ପର୍ଯ୍ୟନ୍ତ ଲଗାତାର ଚାରିଟି ବିଶ୍ବକପ୍ ଖେଳିଥିବା ମାରାଡୋନାଙ୍କ ନେତୃତ୍ବରେ ଆର୍ଜେଣ୍ଟିନା ୧୯୮୬ରେ ବିଶ୍ବ ବିଜେତା ହୋଇଥିଲା। ୧୦ ନମ୍ବର କ୍ଲାସିକ୍ ଜର୍ସି ପିନ୍ଧି ମାରାଡୋନା ଯେତେବେଳେ ପଡ଼ିଆକୁ ଓହ୍ଲାଉଥିଲେ ପ୍ରତିପକ୍ଷ କେବଳ ତାଙ୍କ ଯାଦୁରେ ଚକିତ ହେଉ ନଥିଲେ, ତାଙ୍କ ଖେଳ ଶୈଳୀର ପ୍ରେମରେ ବି ପଡ଼ି ଯାଇଥିଲେ। ପଡ଼ିଆ ଭିତରେ ଆଟାକିଂ ସ୍ଥାନଠାରୁ ଆରମ୍ଭ କରି ଡିଫେଣ୍ଡିଂ ପର୍ଯ୍ୟନ୍ତ ସବୁ ସ୍ଥାନରେ ଖେଳି ସେ କୋଟି କୋଟି ଫୁଟବଲ୍ ପ୍ରେମୀ ଓ ଲକ୍ଷ ଲକ୍ଷ ଖେଳାଳିଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲେ। ତାଙ୍କ ପରଲୋକରେ ଫିଫା, ଏଆଇଏଫଏଫ୍, ଏସୀୟ ଫୁଟବଲ୍ ମହାସଂଘ, ୟୁରୋପୀୟ ଫୁଟବଲ୍ ମହାସଂଘ ତଥା ବିଶ୍ବର ଅଗ୍ରଣି ଫୁଟବଲ୍ କ୍ଲବ୍ ଶୋକପ୍ରକାଶ କରିଥିଲା ବେଳେ ବହୁ କିଂବଦନ୍ତି କ୍ରୀଡ଼ା ତାରକା ଗଭୀର ଶୋକବ୍ୟକ୍ତ କରିଛନ୍ତି।