ଦୈନିକ ସମ୍ବାଦପତ୍ର ‘ନିର୍ଭୟ’ର ଦଶମ ବାର୍ଷିକ ପୂର୍ତ୍ତି ଉତ୍ସବ
ସତ୍ୟକୁ ଲୋକଲୋଚନକୁ ଆଣିବା ଏବଂ ସମାଜର ପରିବର୍ତ୍ତନକୁ ଠିକ୍ ଭାବରେ ଚିତ୍ରଣ କରିବା ଗଣମାଧ୍ୟମର ଲକ୍ଷ୍ୟ ହେବା ଉଚିତ୍ - ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 5 ଅକ୍ଟୋବର – ଦୈନିକ ସମ୍ବାଦପତ୍ର ‘ନିର୍ଭୟ’ର ଦଶମ ବାର୍ଷିକ ପୂର୍ତ୍ତି ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ସତ୍ୟକୁ ଲୋକଲୋଚନକୁ ଆଣିବା ପ୍ରତ୍ୟେକ ଗଣମାଧ୍ୟମର ନୀତି ହେବା ଉଚିତ୍। ସମାଜର ପରିବର୍ତ୍ତନକୁ ଠିକ୍ ଭାବରେ ଚିତ୍ରଣ କରିବା ଗଣମାଧ୍ୟମର ଲକ୍ଷ୍ୟ ହେବା ଆବଶ୍ୟକ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗଣମାଧ୍ୟମ ହେଉଛି ସମାଜର ଦର୍ପଣ। ସମାଜରେ ଘଟୁଥିବା ପ୍ରତ୍ୟେକ ନୀତି-ଅନୀତି, ଉନ୍ନତି-ଅବନତି ଏବଂ ବିଭିନ୍ନ ବିଷୟ ଉପରେ ଦେଖାଯାଉଥିବା ମତ ଓ ଭିନ୍ନମତକୁ ଲୋକଲୋଚନକୁ ଆଣିବା ହେଉଛି ଗଣମାଧ୍ୟମର ଦାୟିତ୍ୱ। ଏହି ଦାୟିତ୍ୱକୁ ଯେଉଁ ଗଣମାଧ୍ୟମମାନେ ସଠିକ୍ ଭାବେ ତୁଲାଇ ପାରିଥାନ୍ତି, ସେମାନେ ହେଉଛନ୍ତି ବାସ୍ତବରେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗଠନମୂଳକ ସମାଲୋଚନା କରିବା ସମ୍ବାଦପତ୍ରର ଦାୟିତ୍ୱ। ତେବେ ‘ଗଠନମୂଳକ ସମାଲୋଚନା’ ଏବଂ ‘ଏଜେଣ୍ଡା ଚଲାଇବା’ ଭିତରେ ଏକ ଲକ୍ଷ୍ମଣ ରେଖା ଅଛି। ଏଜେଣ୍ଡା ଚଲାଇବା ପାଇଁ ମିଛ ଖବର କିମ୍ବା ଖବରକୁ ବିକୃତ କରି ପରିବେଷଣ କରାଯାଏ। କିନ୍ତୁ, ମନେ ରଖିବେ, ମିଛ ହୁଏତ କିଛି ସମୟ ମଧ୍ୟରେ ଜଙ୍ଗଲ ନିଆଁ ପରି ଖୁବ ଶୀଘ୍ର ବ୍ୟାପିଯାଏ, କିନ୍ତୁ ଶେଷରେ ସତ୍ୟର ହିଁ ଜୟ ହୋଇଥାଏ।
ବର୍ତ୍ତମାନ ସମୟରେ ସମ୍ବାଦ, ସାମ୍ବାଦିକତା ଓ ସମ୍ବାଦ ପରିବେଷଣ ବିଷୟରେ ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଗଣମାଧ୍ୟମ ହେଉଛନ୍ତି ସାଧାରଣ ଜନତାଙ୍କ ସ୍ଵର। ସେମାନଙ୍କ ସମସ୍ୟା ଓ ସ୍ଵର ସରକାରଙ୍କ ପାଖରେ ପହଞ୍ଚାଇବା ହେଉଛି ସେମାନଙ୍କ ଦାୟିତ୍ଵ। ଗତ କିଛି ବର୍ଷ ମଧ୍ୟରେ ସମ୍ବାଦ ପରିବେଷଣ ହୋଇଯାଇଛି ବ୍ୟବସାୟ, ଖବରକାଗଜ ହୋଇଯାଇଛି ଏକ କମୋଡିଟି ଏବଂ ସମ୍ବାଦିକତା ହୋଇଯାଇଛି ଏକ ବୃତ୍ତି ବା । ଏହି ବିଜନେସ ମଡେଲକୁ ସଫଳ କରିବା ପାଇଁ ସରକାରଙ୍କ ପୃଷ୍ଠପୋଷକତା ଅର୍ଥାତ ବିଜ୍ଞାପନ ଆବଶ୍ୟକ।
ଯଦି ଆପଣ ମାତ୍ରାଧିକଭାବେ ବିଜ୍ଞାପନ କିମ୍ବା ଅନ୍ୟାନ୍ୟ ଅନୁଗ୍ରହ ନେବେ, ଆପଣଙ୍କ କଣ୍ଠରୋଧ ହେବା ସ୍ଵାଭାବିକ। ଯାହା ଗତ ସରକାର ଅମଳରେ ଦେଖାଦେଇଥିଲା। ମୁଁ ବ୍ୟକ୍ତିଗତ ଭାବେ ଜାଣିଛି, ସେ ସମୟରେ କିଛି ସମ୍ବାଦ ପତ୍ର ଓ ଗଣମାଧ୍ୟମକୁ କୌଣସି ସରକାରୀ ବିଜ୍ଞାପନ ନ ଦେବା ପାଇଁ ଏକ ଅଘୋଷିତ ଆଦେଶ ଜାରି ହୋଇଥିଲା, କାରଣ ସେମାନେ ସରକାରଙ୍କ ‘ହିଜ ମାଷ୍ଟରର୍ସ ଭଏସ’ ହେବାପାଇଁ ସ୍ପଷ୍ଟ ମନାକରିଦେଇଥିଲେ। ସେହି କିଛି ହାତଗଣତିଙ୍କ ମଧ୍ୟରେ ବୋଧ ହୁଏ ନବୀନ ଦାସ ଏବଂ ‘ନିର୍ଭୟ’ ମଧ୍ୟ ଥିଲେ।
ସେ ପୁଣି କହିଲେ ଯେ ଯେତେବେଳେ ଉଭୟ ବିରୋଧୀ ଏବଂ ଶାସକଦଳ ଆପଣଙ୍କୁ ସମାଲୋଚନା କରିବେ, ଆପଣ ଜାଣିବେ ଯେ ଆପଣ ସଠିକ ସାମ୍ବାଦିକତା କରୁଛନ୍ତି। ସରକାରଙ୍କୁ ସମାଲୋଚନା କରିବା ଗଣମାଧ୍ୟମର ନୈତିକ ଦାୟିତ୍ଵ ବୋଲି ମତ ଦେଇ ସେ କହିଲେ ଯେ, ଜାତୀୟ ସ୍ତରରେ ଏପରିକି ଆମ ଓଡିଶାରେ ମଧ୍ୟ ସମ୍ବାଦିକତା ଧର୍ମକୁ ନିଭାଉଥିବା ଅନେକ ସାମ୍ବାଦିକ ଗଣମାଧ୍ୟମ ଇତିହାସକୁ ଗର୍ବିତ କରିଛନ୍ତି। କିନ୍ତୁ, କ୍ଷୋଭର କଥା ହେଉଛି ଯେ ଏହି ପ୍ରଜାତିର ସାମ୍ବାଦିକ ଯାହାଙ୍କୁ ମୁଁ ଓଲ୍ଡ ସ୍କୁଲ ଜର୍ଣ୍ଣାଲିଷ୍ଟ କହିଥାଏ, ସେମାନେ ଆଜି ଡାଇନାସୋର ପରି ବିଲୁପ୍ତ ପ୍ରାୟ। ଆଜିର ସାମ୍ବାଦିକମାନେ ଏଠାରେ ଉପସ୍ଥିତ ଥିବା ନବୀନ ବାବୁ ଏବଂ ସୌମ୍ୟ ବାବୁ ସେହି ପ୍ରଜାତିର ସାମ୍ବାଦିକ । ଆଜିର ଯୁବ ସାମ୍ବାଦିକ ସେମାନଙ୍କ ସାମ୍ବାଦିକତାକୁ ଅନୁସରଣ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଖବରକାଗଜର ଦଶମ ବାର୍ଷିକ ପୂର୍ତ୍ତି ଅବସରରେ ‘ନିର୍ଭୟ’ ଓ ନବୀନ ଦାସଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଅନେକ ଘାତ ପ୍ରତିଘାତ ମଧ୍ୟରେ ସତ୍ୟର ସ୍ୱର ହୋଇ ‘ନିର୍ଭୟ’ ସମ୍ବାଦପତ୍ର ତା’ର ନିର୍ଭୀକତାର ପରିଚୟ ଦେଇଛି।
ଆଜି ନିର୍ଭୟ ପରିବାର ପାଇଁ ଏକ ଖୁସି ଓ ଆନନ୍ଦର ମୁହୂର୍ତ୍ତ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ୨୦୧୩ରେ ନବୀନ ବାବୁ କିଛି ଯୁବକଙ୍କୁ ଦିଗ୍ଦର୍ଶନ ଦେଇ ଏହି ଖବର କାଗଜ ଆରମ୍ଭ କରିଥିଲେ। ଆଜି ଦଶ ବର୍ଷ ମଧ୍ୟରେ ଏହି ଖବର କାଗଜ ଅନେକ ଘାତ ପ୍ରତିଘାତ ସହି ଲୋକଙ୍କ ସାମ୍ନାରେ ‘ସତ୍ୟର ସ୍ୱର’ ହୋଇ ପ୍ରତିଷ୍ଠା ହାସଲ କରିପାରିଛି। ଏହା ବାସ୍ତବରେ ବହୁତ ବଡ ସଫଳତା। ପ୍ରତିକୂଳ ପରିସ୍ଥିତିରେ ସରକାରରେ ଓ ସମାଜରେ ହେଉଥିବା ବିଭିନ୍ନ ଅସଙ୍ଗତି ଓ ଦୁର୍ନୀତିକୁ ଲୋକଙ୍କ ସାମ୍ନାକୁ ଆଣିବା ବହୁତ ଖବର କାଗଜ ପାଇଁ ଏତେ ସହଜ ନୁହେଁ। କିନ୍ତୁ ନିର୍ଭୟ ତା’ର ନିର୍ଭୀକତାର ପରିଚୟ ଦେଇଛି ବୋଲି ସେ କହିଥିଲେ।
ନିର୍ଭୟ ଗତ ଦଶ ବର୍ଷ ମଧ୍ୟରେ ଅନେକ ଦୁର୍ନୀତିକୁ ଲୋକଲୋଚନକୁ ଆଣିପାରିଛି। ସେ ଚିଟ୍ ଫଣ୍ଡ ସ୍କାମ ହେଉ ବା ମଠ ମନ୍ଦିର ଭଙ୍ଗା ହେଉ, କୋଭିଡ ପରିଚାଳନାରେ ତ୍ରୁଟି ବିଚ୍ୟୁତି ହେଉ ବା ବ୍ରହ୍ମ ବିଭ୍ରାଟ ହେଉ, ସବୁ କ୍ଷେତ୍ରରେ ନିର୍ଭୟ ନିରପେକ୍ଷ ଭାବେ ସମ୍ବାଦ ପରିବେଷଣ କରିଛି ଏବଂ ଲୋକଙ୍କ ନିକଟରେ ପ୍ରକୃତ ସତ୍ୟକୁ ଉପସ୍ଥାପନ କରିଛି। ଶାସକମାନଙ୍କ ବିରୁଦ୍ଧରେ ଯିବା ଏତେ ସହଜ ନୁହେଁ । କିନ୍ତୁ ନବୀନ ବାବୁ ବିନା ଡର, ଭୟ ଓ ସଙ୍କୋଚରେ ସବୁ ସମୟରେ ଜଣେ ସାମ୍ବାଦିକର ପ୍ରକୃତ କର୍ତ୍ତବ୍ୟ କରି ଚାଲିଛନ୍ତି। ବର୍ତ୍ତମାନ ସମୟରେ ‘ନିର୍ଭୟ’ ହେଉଛି ଗୋଟିଏ ଆଦର୍ଶ ଗଣମାଧ୍ୟମର ଅନ୍ୟତମ ସର୍ବଶ୍ରେଷ୍ଠ ଉଦାହରଣ। ଏଥିପାଇଁ ନବୀନ ବାବୁଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ ହେବ। ମୁଁ ତାଙ୍କୁ ସତ୍ୟର ଜଣେ ପ୍ରକୃତ ଅନୁସନ୍ଧାନୀ ଭାବେ ଦେଖେ। ସେ କହିଲେ ଯେ, ସମାଜର ଦର୍ପଣ ହୋଇ ବାସ୍ତବ ଚିତ୍ରକୁ ଉପସ୍ଥାପନ କରିବା ସମସ୍ତଙ୍କ ଦାୟିତ୍ୱ ହେବା ଉଚିତ୍। ଏହା ହୋଇ ପାରିଲେ ଗଣତନ୍ତ୍ର ମଜବୁତ ହେବ ଓ ଦେଶର ବିକାଶ ଠିକ୍ ରାସ୍ତାରେ ଚାଲିବ। ଏହି ଭଳି ଗଣମାଧ୍ୟମର ପ୍ରକୃତ ଦାୟିତ୍ୱକୁ ତୁଲାଉଥିବା ଏକ ଖବରକାଗଜ ହେଉଛି ‘ନିର୍ଭୟ’। ଖବର ପ୍ରକାଶ କରିବା ଏବଂ ଖବର ଭିତରେ ଥିବା ଖବରର ମଞ୍ଜକୁ ଲୋକଲୋଚନକୁ ଆଣିବାରେ ‘ନିର୍ଭୟ’ର ନିଜସ୍ୱ ଏକ ସ୍ୱତନ୍ତ୍ର ଶୈଳୀ ରହିଛି ବୋଲି ସେ ମତ ଦେଇଥିଲେ।
ଭାରତରେ ଗଣମାଧ୍ୟମର ଇତିହାସ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଆମ ଦେଶରେ ବିଶେଷ ଭାବେ ଛାପା ଗଣମାଧ୍ୟମରେ ଏକ ଲମ୍ବା ଇତିହାସ ଅଛି। ଭାରତର ପ୍ରଥମ ସମ୍ବାଦ ପତ୍ର ‘ବେଙ୍ଗଲ ଗେଜେଟ’ ରୁ ଆରମ୍ଭ କରି ଓଡିଶାର ପ୍ରଥମ ସମ୍ବାଦ ପତ୍ର ‘ଉତ୍କଳ ଦୀପିକା’ ସ୍ୱାଧୀନତା ସଂଗ୍ରାମରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ମହତ୍ମା ଗାନ୍ଧୀ ବିଭିନ୍ନ ବିଷୟରେ ତାଙ୍କ ନିଜସ୍ୱ ମତକୁ ଲୋକଙ୍କୁ ଜଣାଇବା ପାଇଁ ‘ୟଙ୍ଗ ଇଣ୍ଡିଆ’ ନାମକ ସମ୍ବଦପତ୍ର ପ୍ରକାଶ କରୁଥିଲେ। ‘ୟଙ୍ଗ ଇଣ୍ଡିଆ’ରେ ପ୍ରକାଶ ପାଉଥିବା ମହାତ୍ମା ଗାନ୍ଧୀଙ୍କ ଲେଖାଗୁଡିକ ସେ ସମୟର ରାଜନୈତିକ ଓ ସାମାଜିକ ପରିସ୍ଥିତିକୁ ଗଭୀର ଭାବରେ ପ୍ରଭାବିତ କରୁଥିଲା। ସ୍ୱାଧୀନତା ସଂଗ୍ରାମର ସଫଳତା ପଛରେ ସେ ସମୟର ଖବରକାଗଜ ଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ କେହି ଅସ୍ୱୀକାର କରିବେ ନାହିଁ। ଠିକ ସେହିପରି ଓଡିଶାରେ କର୍ମବୀର ଗୌରୀଶଙ୍କର ରାୟ ୧୮୬୬ରେ ‘ଉତ୍କଳ ଦୀପିକା’ ପ୍ରକାଶ କରି ଏହା ମାଧ୍ୟମରେ ଓଡିଶାର ଜନତାଙ୍କ ସ୍ଵରକୁ ପ୍ରତିଫଳିତ କରୁଥିଲେ। ୧୮୬୮ରେ ଫକୀର ମୋହନ ସେନାପତି ବାଲେଶ୍ୱରରୁ ‘ସମ୍ବାଦ ବାହିକା’ ନାମକ ସମ୍ବାଦପତ୍ର ପ୍ରକାଶ କଲେ। ସେହିପରି ଗଞ୍ଜାମରୁ ୧୯୧୩ ମସିହାରେ ଶଶୀଭୂଷଣ ରଥ ‘ଆଶା’ ନାମକ ଖବରକାଗଜ ପ୍ରକାଶ କରିଥିଲେ। ୧୯୧୯ ମସିହାରେ ଉତ୍କଳମଣି ଗୋପବନ୍ଧୁ ‘ସମାଜ’ ଖବରକାଗଜ ପ୍ରକାଶ କଲେ। ଏହି ସବୁ ଖବରକାଗଜ ଗୁଡିକ ଯେଉଁ ପରିସ୍ଥିତିରେ ବ୍ରିଟିଶ ସରକାରର ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଖବର ପ୍ରକାଶ କରୁଥିଲେ ତାହା ଆଜି ଆମ ପାଇଁ ଚିନ୍ତା କରିବା ମଧ୍ୟ ଅସମ୍ଭବ। ସେ ସମୟର ଖବରକାଗଜ ଗୁଡିକ ଆମ ଗଣମାଧ୍ୟମ ଇତିହାସର ଗୋଟିଏ ଗୋଟିଏ ଧୃବ ତାରା ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ। ଗଣମାଧ୍ୟମର ବଦଳୁଥିବା ସ୍ୱରୂପ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ସୋସିଆଲ ମିଡିଆ ଆମ ସମୟର ସବୁଠାରୁ ଶକ୍ତିଶାଳୀ ମାଧ୍ୟମ ହୋଇ ଉଭା ହୋଇଛି। ଏଥିରେ ଜଣେ ଜଣେ ବ୍ୟକ୍ତିଙ୍କ ନିଜସ୍ୱ ମତ ଅନେକ ସମୟରେ ଲୋକପ୍ରିୟ ହୋଇ ବହୁଲୋକଙ୍କ ମତରେ ପରିଣତ ହୋଇଥାଏ। ବହୁଲୋକଙ୍କୁ ସଚେତନ କରିପାରିଥାଏ ଏବଂ ଲୋକଙ୍କ ଚିନ୍ତାଧାରାକୁ ମଧ୍ୟ ପ୍ରଭାବିତ କରିଥାଏ। ସାମାଜିକ ପରିବର୍ତ୍ତନ ପାଇଁ ଆଜିର ସୋସିଆଲ ମିଡିଆ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇଯାଇଛି। ସମାଜରେ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ମାନଙ୍କ ପ୍ରଭାବ ଓ ସମ୍ମାନ ବଢିଛି। ସୋସିଆଲ ମିଡିଆ ହେଉଛି ଆମ ଗଣମାଧ୍ୟମ ବିକେନ୍ଦ୍ରୀକରଣର ଏକ ପ୍ରକୃଷ୍ଟ ଉଦାହରଣ ବୋଲି ସେ ମତ ଦେଇଥିଲେ। ରାଜ୍ୟର ବିକାଶ ପାଇଁ ସରକାର ନେଉଥିବା ପଦକ୍ଷେପ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ବର୍ତ୍ତମାନ ଯୁଗ ହେଉଛି ବିକାଶର ଯୁଗ। ସମାଜର ଶେଷ ଧାଡିରେ ରହୁଥିବା ଲୋକଙ୍କ ପାଖରେ ଯେପରି ବିକାଶ ପହଞ୍ଚିବ, ସେଥିପାଇଁ ସରକାରଙ୍କ ସହିତ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ଓ ନୀତି ନିର୍ଦ୍ଧାରକମାନଙ୍କ ଉଦ୍ୟମ ଜାରି ରହିଛି। ସମସ୍ତଙ୍କ ବିକାଶ ଆମର ଲକ୍ଷ୍ୟ। ଆମ ସରକାର ଖୁବ୍ କମ୍ ସମୟ ମଧ୍ୟରେ ‘ଲୋକଙ୍କ ସରକାର’ ଭାବରେ ସୁନାମ ଅର୍ଜନ କରିପାରିଛି। ଏହା ମୋ ପାଇଁ ବ୍ୟକ୍ତିଗତ ଭାବେ ବହୁତ ଖୁସିର କଥା। ତେବେ ଏଥିପାଇଁ ଗଣମାଧ୍ୟମକୁ ମଧ୍ୟ ଧନ୍ୟବାଦ ଦେଉଛି। ସେ ପୁଣି କହିଲେ ଯେ, ଲୋକଙ୍କ ସହିତ ମିଶି ସେମାନଙ୍କ ଦୁଃଖ ଶୁଣିବା ଏବଂ ତା’ର ସମାଧାନ ପାଇଁ ଉଦ୍ୟମ କରିବାର ଆମର ଯେଉଁ ପ୍ରଚେଷ୍ଟା ଆରମ୍ଭ ହୋଇଛି, ତାକୁ ଠିକ୍ ଭାବେ ପ୍ରସାରିତ କରି ଗଣମାଧ୍ୟମ ଗୁଡିକ ସେମାନଙ୍କର ଦାୟିତ୍ୱବୋଧତାକୁ ସଫଳ ଭାବେ ପ୍ରଦର୍ଶିତ କରିଛନ୍ତି। ଲୋକ ଯେତେବେଳେ ଅନୁଭବ କରିବେ ଯେ ସରକାର ସବୁ ସମୟରେ, ସବୁ ସ୍ତରରେ ସେମାନଙ୍କ ସମସ୍ୟା ସମାଧାନ ପାଇଁ ପ୍ରସ୍ତୁତ ଅଛନ୍ତି, ତେବେ ସେମାନଙ୍କ ଭିତରେ ଗଣତନ୍ତ୍ର ପ୍ରତି ଥିବା ବିଶ୍ୱାସ ଆହୁରି ମଜବୁତ ହେବ। ଗଣତାନ୍ତ୍ରିକ ପ୍ରକ୍ରିୟାକୁ ମଜବୁତ କରିବା ଦିଗରେ ଏହା ଏକ ଆବଶ୍ୟକ ଓ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ସହିତ ଆମର ନୂଆ ସରକାର ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ସୁଭଦ୍ରା ଯୋଜନା, ଚାଷୀଙ୍କ ସଶକ୍ତିକରଣ ପାଇଁ ଧାନର ସର୍ବନିମ୍ନ କ୍ରୟ ମୂଲ୍ୟ ୩୧୦୦ ଟଙ୍କା ଆଦି ଯୁଗାନ୍ତକାରୀ ପଦକ୍ଷେପ ନେଇଛି। ଲୋକଙ୍କ ଧାର୍ମିକ ଓ ଆଧ୍ୟାତ୍ମିକ ଭାବନାକୁ ସମ୍ମାନ ଦେଇ ଶ୍ରୀମନ୍ଦିରର ଚାରି ଦ୍ୱାରା ଖୋଲା ଯାଇଛି। ରତ୍ନ ଭଣ୍ଡାର ଖୋଲାଯାଇ ଏହାର ସମ୍ପତ୍ତିର ଗଣତି କାର୍ଯ୍ୟ ମଧ୍ୟ ଚାଲିଛି। ଏହି ସବୁ ପଦକ୍ଷେପ ଗୁଡିକ ଥିଲା ନିର୍ବାଚନ ପୂର୍ବରୁ ଆମର ପ୍ରତିଶୃତି । ଆମ ଦଳ ତରଫରୁ ଯେଉଁ ଯେଉଁ ପ୍ରତିଶୃତି ଦିଆଯାଇଥିଲା, ଆମ ସରକାର ପ୍ରତ୍ୟେକ ପ୍ରତିଶୃତିକୁ ଗୋଟି ଗୋଟି କରି ପୂରଣ କରୁଛି। ରାଜନୈତିକ ଦଳର ଯେଉଁ ନୀତି ଆଦର୍ଶ ଥାଏ, ଲୋକଙ୍କୁ ଯେଉଁ ପ୍ରତିଶୃତି ଦେଇଥାଏ, ସରକାର ଭାବେ ଏହାକୁ ପୂରଣ କରିବା ମଧ୍ୟ ଦାୟିତ୍ୱବୋଧତାର ପରିଚୟ ଦିଏ। ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଏହା ସୁଦୃଢ କରିଥାଏ। ତେଣୁ ଗଣମାଧ୍ୟମ ଏସବୁ ଉଦ୍ୟମକୁ ମଧ୍ୟ ଆମ ଗଣତାନ୍ତ୍ରିକ ପ୍ରକ୍ରିୟାର ପ୍ରକୃତ ପ୍ରତିଫଳନ ଭାବେ ଦେଖିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ପରିଶେଷରେ ମୁଖ୍ୟମନ୍ତ୍ରୀ, ନବୀନ ଦାସ ଓ ସଭାରେ ଉପସ୍ଥିତ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶଂସା କରି କହିଲେ ଯେ, ସେମାନେ ଅମଡା ବାଟରେ ଚାଲି ସାମ୍ବାଦିକତାକୁ ଏକ ନୂତନ ପରିଚୟ ଦେଇଛନ୍ତି। ନବୀନ ବାବୁ ‘ସରକାରଙ୍କୁ କଠିନ ପ୍ରଶ୍ନ ପଚାରିବାର କଳା’ ଏବଂ ସୌମ୍ୟ ବାବୁ ଓଡିଶାରେ ସକାଳୁଆ ଏଡିସନ ଆରମ୍ଭ କରିବାର ପ୍ରଥା ପ୍ରଚଳନକରି ସମାଦିକତାକୁ ଏକ ନୂଆ ଦିଗନ୍ତ ଦେଇଛନ୍ତି। ସେମାନେ ପରିଣତ ବୟସରେ ଉପନୀତ ହୋଇଥିଲେ ମଧ୍ୟ ମୋର ବିଶ୍ଵାସ ସେମାନଙ୍କ ମଧ୍ୟରେ ଆହୁରି ଅନେକ ସମ୍ବାଦିକତା ବାକି ଅଛି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ‘ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସ’ର ଜାତୀୟ ସଂପାଦକ ଡ. ଅତୁଲ କୋଠାରୀ, ଇଷ୍ଟର୍ଣ୍ଣ ମିଡିଆ ଗ୍ରୁପର ଅଧ୍ୟକ୍ଷ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ, ଶ୍ରୀ ନବୀନ ଦାସ ଏବଂ ସମ୍ପାଦକ ଶ୍ରୀ ସମ୍ବିତ ମହାପାତ୍ର ଏବଂ ଅନେକ ବରିଷ୍ଠ ନେତୃବୃନ୍ଦ, ସାମ୍ବାଦିକ ଓ ‘ନିର୍ଭୟ’ ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ।