ଲସ୍ ଆଞ୍ଜେଲସ୍ରେ ଭୟଙ୍କର ବନାଗ୍ନିରେ 10 ମୃତ

ଲସ୍ ଆଞ୍ଜେଲସ୍ରେ ଭୟଙ୍କର ବନାଗ୍ନି ହେତୁ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ଏହି ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଗତକାଲି ସୁଦ୍ଧା ୫ ଜଣଙ୍କ ଜୀବନ ଯାଇଥିବା ବେଳେ ଆଜି ଆହୁରି ୫ ଜଣଙ୍କ ଜୀବନ ଯାଇଥିବା ସୂଚନା ରହିଛି।
ଲକ୍ଷାଧିକ ଲୋକ ଘରୁ ପଳାଇବାକୁ ବାଧ୍ୟ ହୋଇଛନ୍ତି। ଇତିମଧ୍ୟରେ ହଲିଉଡର ପ୍ରସିଦ୍ଧ ଚିହ୍ନ ଥିବା ହଲିଉଡ ହିଲ୍ସରେ ‘ସନ୍ସେଟ୍ ଫାୟାର୍’ ନାମକ ଏକ ନୂଆ ନିଆଁ ଲାଗିଛି। ସନ୍ସେଟ୍ ଫାୟାର୍ ଅଦ୍ୟାବଧି ରୁନିୟନ କ୍ୟାନିଅନ୍ ଓ ୱାଟଲସ୍ ପାର୍କ ମଧ୍ୟରେ ୨୦ ଏକର ଅଞ୍ଚଳକୁ ଗ୍ରାସି ସାରିଲାଣି। ତେଣେ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଂକଟର ମୁକାବିଲା ଲାଗି ଅପାରଗ ସରକାରଙ୍କୁ ସମାଲୋଚନା କରିଥିବା ବେଳେ ରାଷ୍ଟ୍ରପତି ଜୋ ବାଇଡେନ ଇଟାଲୀ ଗସ୍ତକୁ ବାତିଲ କରିବା ସହ ଏକ ସଂଘୀୟ ବିପର୍ଯ୍ୟୟ ଘୋଷଣାନାମାରେ ସ୍ୱାକ୍ଷର କରିଛନ୍ତି, ଯେଉଁଥିରେ ପ୍ରଭାବିତ ବ୍ୟକ୍ତିମାନଙ୍କୁ ଫେଡେରାଲ ପାଣ୍ଠି ଉପଲବ୍ଧ କରାଇବାକୁ ଅନୁମତି ଦିଆଯାଇଛି। ହଲିଉଡର ପ୍ରସିଦ୍ଧ ଚିହ୍ନ ବ୍ୟତୀତ, ପ୍ରତିବର୍ଷ ଓସ୍କାର ପୁରସ୍କାର ସମାରୋହ ଆୟୋଜନ କରାଯାଉଥିବା ଡଲବି ଥିଏଟର ପ୍ରତି ଏହି ଅଗ୍ନିକାଣ୍ଡ ବିପଦ ସୃଷ୍ଟି କରିଛି।