ସାବିତ୍ରୀ ପୂଜା ସମୟରେ ଦୀପରୁ ନିଆଁ ଲାଗି ଜଣେ ମହିଳା ଗୁରୁତର

ରେଢ଼ାଖୋଲ : ସାବିତ୍ରୀ ପୂଜା ସମୟରେ ଦୀପରୁ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରେଢ଼ାଖୋଲ ବ୍ଳକ କଦଳୀଗଡ଼ ଗ୍ରାମରେ। ଆହତ ମହିଳା ଜଣକ ହେଲେ ଏହି ଗ୍ରାମର ସସ୍ମିତା ଗଡ଼ତିଆ । ପୂଜା କରିବା ବେଳେ ଅସାବଧାନତାରୁ ଏହିଭଳି ଏକ ଅଘଟଣ ଘଟିଛି ବୋଲି କୁହାଯାଉଛି। ସୂଚନା ମୁତାବକ,ମହିଳା ଜଣକ ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରରେ ସେ ଆଜି ସାବିତ୍ରୀ ଓଷା ଅନ୍ୟ ମହିଳାମାନଙ୍କ ସହ ମିଶି କରିଥିଲେ। ପୂଜା ଶେଷ ହେବାବେଳେ ବେଢ଼ା ପରିକ୍ରମା କରିବାକୁ ବାହାରିଥିଲେ। ଏହି ସମୟରେ ଅସାବଧାନତା ବଶତଃ ପୂଜାରେ ଲାଗିଥିବା ଦୀପରୁ ତାଙ୍କ ଶାଢ଼ୀର ତଳପଟରୁ ନିଆଁ ଲାଗି ଯାଇଥିଲା। ଅନ୍ୟ ବ୍ରତଧାରି ମହିଳାମାନେ ବହୁ ଚେଷ୍ଟା କରି ନିଆଁ ଲିଭାଇ ଥିଲେ। ହେଲେ ସେତେବେଳକୁ ମହିଳାଙ୍କ ବାମ ହାତ ଓ ଛାତିପାର୍ଶ୍ୱରେ ନିଆଁ ଲାଗି ଜଳି ଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରେଢ଼ାଖୋଲ ଡାକ୍ତରଖାନାକୁ ନିଆଯାଇଥିଲା, ପରେ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।