
ଦିଲ୍ଲୀରେ ପୁଣି ଥରେ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି। ଏହାସହ ଦେଶରେ ରାଜଧାନୀରେ ଚତୁର୍ଥ ଲହର ଆଶଂକା ସୃଷ୍ଟି ହୋଇଛି। ଏଠାରେ କୋଭିଡ ୧୯ର ଦୈନିକ ମାମଲାରେ ବୃଦ୍ଧି ଏବଂ ସଂକ୍ରମଣ ହାର ଦୁଇ ପ୍ରତିଶତରୁ ଅଧିକ ହେବ ସହ ଗତ ଏକ ସପ୍ତାହରେ ଘରେ ଆଇସୋଲେସନରେ ରହୁଥିବା ରୋଗୀଙ୍କ ସଂଖ୍ୟାରେ ପ୍ରାୟ ୪୮ ପ୍ରତିଶତ ବୃଦ୍ଧି ହୋଇଛି। ଦିଲ୍ଲୀରେ ଶୁକ୍ରବାର ୨୪ ଘଣ୍ଟାରେ ୩୬୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାସହ ପଜିଟିଭିଟି ହାର ମଧ୍ୟ ୨୪ ଘଣ୍ଟାରେ ବୃଦ୍ଧି ପାଇ ୩.୯୫ ପ୍ରତିଶତରେ ପହଞ୍ଚିଛି। ଗତ କିଛି ଦିନରେ ଦୈନିକ ମାମଲାରେ ମଧ୍ୟ ବୃଦ୍ଧି ଘଟିବାରେ ଲାଗିଛି। ସଂକ୍ରମଣ ହାର ଏପ୍ରିଲ ୪ ତାରିଖରୁ ଏକ ପ୍ରତିଶତରୁ ଅଧିକ ରେକର୍ଡ କରାଯାଉଛି। ଏପ୍ରିଲ ୪ ତାରିଖରେ ସଂକ୍ରମଣ ହାର ୧.୩୪ ପ୍ରତିଶତ ହୋଇଥିଲା।
ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କୋଭିଡ ସଂକ୍ରଣ ହାର ଏପ୍ରିଲ ଏକ ତାରିଖରେ ୦.୫୭ ପ୍ରତିଶତରୁ ବଢି ଏପ୍ରିଲ ୧୪ ତାରିଖରେ ୨.୩୯ ପ୍ରତିଶତ ହୋଇଥିଲା। ଗତ ଏକ ସପ୍ତାହରେ ଘରେ ଆଇସୋଲେସନରେ ରହୁଥିବା ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି। ସହରର ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁସାରେ, ଏପ୍ରିଲ ୮ରେ ସହରରେ ସଂକ୍ରମଣ ହାର ୧.୩୯ ପ୍ରତିଶତ ସହ ୧୪୬ ନୂଆ ମାମଲା ସାମନାକୁ ଆସିଥିଲା। ଅନେକ ଡାକ୍ତରଙ୍କ କହିବା କଥା, ଲକ୍ଷଣ ପ୍ରକାଶ ପାଇବା ପରେ କମ ଲୋକ କୋଭିଡ ପରୀକ୍ଷଣ ପାଇଁ ଯାଉଛନ୍ତି ଏବଂ ଘରେ ରହି ସୁସ୍ଥ ହେବାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି। ଦିଲ୍ଲୀରେ ସୋମବାର ପଜିଟିଭିଟି ହାର ୨.୭ ପ୍ରତିଶତ ଥିଲା, ଯାହା ଦୁଇ ମାସରେ ସର୍ବାଧିକ ଥିଲା। ଫେବ୍ରୁଆରୀ ୫ରେ ଏହି ସଂଖ୍ୟା ୨.୮୭ ପ୍ରତିଶତ ଥିଲା।