ବିଜେବି କଲେଜରେ ମିଛ ସାର୍ଟିଫିକେଟ ଦେଖାଇ ୮ଜଣ ଛାତ୍ରଛତ୍ରୀ ନାମ ଲେଖାଇଛନ୍ତି
ରାଜ୍ୟର ବଡ କଲେଜ ବିଜେବି କଲେଜରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା ।

ରାଜ୍ୟର ବଡ କଲେଜ ବିଜେବି କଲେଜରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ୮ ଜଣ ଛାତ୍ରଛାତ୍ରୀ ଜାଲ୍ ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଖାଇ କଲେଜରେ ନାମ ଲେଖାଇଛନ୍ତି । ଗତ ତିନିବର୍ଷ ମଧ୍ୟରେ ଏହି ୮ଜଣ ଛାତ୍ରଛାତ୍ରୀ କଲେଜରେ ନାମ ଲେଖି ପାଠପଢୁଥିବା ବେଳେ ଏହାର କୌଣସି ଖବର ପାଇନଥିଲେ କଲେଜ କର୍ତ୍ତୁପକ୍ଷ । ଏହି ଛାତ୍ରଛାତ୍ରୀମାନେ ୨୦୧୯-୨୦, ୨୦୨୦-୨୧, ୨୦୨୧-୨୨ ଶିକ୍ଷାବର୍ଷରେ ନାମ ଲେଖାଇଥିଲେ । କଲେଜ ପକ୍ଷରୁ ଯାଞ୍ଚବେଳେ ଏହି ୮ ଜଣ ଛାତ୍ରଛାତ୍ରୀ ଜାଲ୍ ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଇଥିବା ଜଣାପଡିବା ପରେ ଆକ୍ସନ ନେଇଛି କଲେଜ କର୍ତୃପକ୍ଷ । କିଛି ମାସ ତଳେ ଭଦ୍ରକ କଲେଜରେ ଏଭଳି ଜାଲ୍ ସାର୍ଟିଫିକେଟ ଘଟଣାରେ ୨୮ ଜଣ ଛାତ୍ରଛାତ୍ରୀ ଧରାପଡିଥିଲେ । ଏହାପରେ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ସେଲଫ-ଫାଇନ୍ସି କଲେଜକୁ ଚିଠି ଲେଖି ସମସ୍ତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଦେଇଥିବା ସାର୍ଟିଫିକେଟ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାଞ୍ଚ ପରେ ଛାତ୍ରଛତ୍ରୀଙ୍କ ସାର୍ଟିଫିକେଟ ଜାଲ୍ ହୋଇଥିଲେ କଡା କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ କୁହାଯାଇଥିଲା । ବିଜେବି କଲେଜରେ ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ସରକାରୀ କର୍ମଚାରୀ ଓ ପ୍ରଭାବଶାଳୀ ବ୍ୟକ୍ତି ବୋଲି ଜଣାପଡିଛି । ଏତଲା ପରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି କମିଶନରେଟ ପୁଲିସ ।