ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଲଢେଇ : ବ୍ରଜରାଜନଗରରେ କିଏ ଜିତିବ ବାଜି
ବ୍ରଜରାଜନଗରରେ ଚାଲିଛି ରାଜନୈତିକ ଲଢେଇ । କିଏ ଜିତିବ, କିଏ ହାରିବ ? ମେ ୩୧ ପରେ ଏହା ସ୍ପଷ୍ଟ ହୋଇଯିବ । ଯଦିଓ ତିନି ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣା କରିନାହାନ୍ତି ହେଲେ ମିଳିଥିବା ସୂଚନା ଅନୁସାରେ ତିନି ପ୍ରମୁଖ ଦଳ ନିଜ ନିଜର ମହିଳା ନେତ୍ରୀଙ୍କୁ ନିର୍ବାଚନ ମୈଦାନକୁ ଓହ୍ଲାଇପାରନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବିଜେଡି ଏବେ ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ଟିକେଟ ଦେବାକୁ ଚିନ୍ତା କରୁଛି । ଅନ୍ୟପଟେ ଦଳ ଭିତରୁ ମିଳୁଥିବା ସୂଚନା ଅନୁଯାୟୀ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ତାଙ୍କ ଝିଅ ଦୀପାଳି ଦାସଙ୍କୁ ଏହି ଆସନରୁ ଟିକେଟ ଦେବାକୁ ଦାବି କରୁଛନ୍ତି । ନହେଲେ ବରିଷ୍ଠ କଂଗ୍ରେସ ନେତା କିଶୋର ପଟେଲଙ୍କ ବୋହୂ ଅନନ୍ୟାଙ୍କୁ ଟିକେଟ ଦିଆଯାଉ ବୋଲି ସେ ଦଳର ମୁଖିଆଙ୍କ ପାଖରେ ଦାବି କରୁଥିବା ସୂଚନା ମିଳିଛି । ଅନନ୍ୟା ଯଦି ବିଜେଡିରୁ ଟିକେଟ ନପାଇବେ ତାହେଲେ ସେ କଂଗ୍ରେସରୁ ପ୍ରାର୍ଥୀ ହୋଇପାରନ୍ତି। ପଞ୍ଚାୟତ ଏବଂ ପୌର ନିର୍ବାଚନରେ ବିଜେଡି ବାଜିମାତ କରିବା ପରେ ଉପନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ଆଶା ରହିଛି । ତେଣୁ ଦଳ ଏବେ ପୁଣିଥରେ ସକ୍ରିୟ କର୍ମୀଙ୍କୁ ନେଇ ତୃଣମୂଳ ସ୍ତରରୁ ଭୋଟ୍ ବ୍ୟାଙ୍କ ଏକତ୍ରିତ କରିବାକୁ ରଣନୀତି ଆରମ୍ଭ କରିଦେଇଛି। ନିକଟରେ ଦଳ ଏଠାରେ ଟିକେଟ କିଏ ଲଢିବ ଗୁରୁତ୍ୱ ନଦେଇ କେମିତି ଏହି ଆସନ ବିଜେଡି ହାତରେ ରହିବ ତାଉପରେ ଦଳୀୟ କର୍ମୀଙ୍କୁ ଗୁରୁତ୍ୱ ଦେବାକୁ କହିଥିବା ସୂଚନା ମିଳିଛି ।
ସେହିପରି ବିଜେପି ମଧ୍ୟ ଏହି ଆସନର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କରିବ ବୋଲି ସୂଚନା ମିଳୁଛି। ହେଲେ ବିଜେଡି କାହାକୁ ପ୍ରାର୍ଥୀ କରୁଛି ତାହା ଦେଖିଲା ପରେ ବିଜେପି ନିଜର କାର୍ଡ ଖୋଲିବ ବୋଲି ସୂଚନା ରହିଛି। ଗତକାଲି ପ୍ରଭାରୀ ଡି ପୂରନ୍ଦେଶ୍ୱରୀ ରାଜ୍ୟ ବିଜେପି ଅଫିସରେ ଏ ସଂକ୍ରାନ୍ତରେ ବୈଠକ କରିଛନ୍ତି । ଏହି ବୈଠକରେ ସାଂସଦ ସୁରେଶ ପୂଜାରୀ ଏବଂ ଅନ୍ୟାନ୍ୟ କର୍ମୀ ଉପସ୍ଥିତ ଥିଲେ। ସାଂସଦ ପୂଜାରୀ କହିଛନ୍ତି, ଗତ ଲୋକସଭା ନିର୍ବାଚନରେ ସବୁଠୁ ଅଧିକ ଭୋଟ ମିଳିଥିଲା। ରାଧାରାଣୀ ପଣ୍ଡା ପୂର୍ବରୁ ନିର୍ବାଚନ ଲଢ଼ିଥିଲେ ହେଲେ ପରାଜୟ ହୋଇଥିଲେ। ପୂର୍ବରୁ ବିଧାୟକ ମଧ୍ୟ ଥିଲେ। ସେ ନିର୍ବାଚନ ଲଢିବାକୁ ନିଶ୍ଚିତ ଭାବେ ଇଚ୍ଛା ପ୍ରକାଶ କରିବେ ତାହା ନିଶ୍ଚିତ। ତେବେ ଆଶାୟୀ ମାନଙ୍କ ମଧ୍ୟରେ ସେ ଅଛନ୍ତି ଏବଂ ଅନ୍ୟ ମାନେ ମଧ୍ୟ ଅଛନ୍ତି। କିନ୍ତୁ ସମସ୍ତଙ୍କ ସହମତି ଭିତରେ ପ୍ରାର୍ଥୀ ଘୋଷଣା କରାଯିବ। କିଏ ପ୍ରାର୍ଥୀ ହେବେ ସେ ନେଇ କେନ୍ଦ୍ରୀୟ ଇଲେକ୍ସନ କମିଟି ନିଷ୍ପତ୍ତି ନେବେ।