ଏପ୍ରିଲ ୧୫ରୁ ଜୁନ ୧୪ ପର୍ଯ୍ୟନ୍ତ ମତ୍ସଜୀବିଙ୍କୁ ସମୁଦ୍ର ଯିବା ମନା
ସମୁଦ୍ର ଉପରେ ନିର୍ଭର କରି ଚଳୁଥିବା ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସମୁଦ୍ରକୂଳିଆ ଅଞ୍ଚଳର ଲୋକମାନେ ସମୁଦ୍ରରୁ ମାଛ ଧରି ଜୀବିକାନିର୍ବାହ କରନ୍ତି। ସରକାର ମତ୍ସ୍ୟଜୀବୀମାନଙ୍କୁ ଏପ୍ରିଲ ୧୫ଠାରୁ ଜୁନ୍ ୧୪ପର୍ଯ୍ୟନ୍ତ ୨ମାସ ସମୁଦ୍ରରୁ ମାଛ ଧରିବା ଉପରେ ରୋକ ଲଗାଇଛନ୍ତି। ଫଳରେ ସମୁଦ୍ର ଉପରେ ନିର୍ଭର କରି ଚଳୁଥିବା ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏବେ ସମୁଦ୍ରରେ ମାଛମାନଙ୍କର ପ୍ରଜନନ ସମୟ। ସେଥିପାଇଁ ସରକାର ଦୁଇ ମାସ ସମୁଦ୍ରରୁ ମାଛଧରା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି ନମ୍ବର ୫୧୫୪ ମାଧ୍ୟମରେ ବିଧିବଦ୍ଧ ଭାବେ ଘୋଷଣା ହେବା ପରେ ସମୁଦ୍ର ଉପରେ ନିର୍ଭର କରି ନିଜର ପରିବାର ଚଳୁଥିବା ହଜାର ହଜାର ମତ୍ସ୍ୟଜୀବୀଙ୍କ ପରିବାର ମୁଣ୍ଡରେ ଚଡକ ପଡ଼ିଛି। ସମୁଦ୍ରରୁ ମାଛ ଧରି ସମୁଦ୍ର କୂଳିଆ ହଜାର ହଜାର ମତ୍ସ୍ୟ ଜୀବିଙ୍କ ପରିବାର ଏବେ ଚିନ୍ତାରେ। ସାମୁଦ୍ରିକ ମତ୍ସ୍ୟ ନିୟମ ୧୯୮୨ ଅନୁଯାୟୀ ମାଛ ଓ କଇଁଛଙ୍କ ଅଣ୍ଡାଦାନ ସମୟ ହୋଇଥିବାରୁ ପ୍ରତିବର୍ଷ ଏହି ଦୁଇମାସ ସମୁଦ୍ରରେ ମାଛଧରା ବନ୍ଦ ରହିଥାଏ। ତେଣୁ ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ସମସ୍ତ ଯନ୍ତ୍ରଚାଳିତ ଡଙ୍ଗା, ଟ୍ରଲର ଆଦି ସମୁଦ୍ରକୁ ନ ଯିବାକୁ ବିଧିବଦ୍ଧ ଭାବରେ ଘୋଷଣା କରାଯାଇଛି। ଫଳରେ ବାଲିଆପାଳ ବ୍ଲକର ସମୁଦ୍ରକୂଳିଆ ୨୪ କି.ମି.ରୁ ଅଧିକ ସୁଦୀର୍ଘ ବେଳାଭୂମିର ସମୁଦ୍ରରୁ ମାଛ ଧରି ପେଟ ପୋଷୁଥିବା ଲକ୍ଷାଧିକ ଲୋକ ଏବେ ରୋଜଗାରଶୂନ୍ୟ ହୋଇ ବସିଛନ୍ତି । ଚଉମୁଖଠାରୁ ହଂସକରା ମୁହାଣ ପର୍ଯ୍ୟନ୍ତ ସମସ୍ତ ମତ୍ସ୍ୟଜୀବୀ ଜୀବିକା ହରାଇ କୂଳରେ ଡଙ୍ଗା ବାନ୍ଧି ବେକାର ହୋଇ ବସିବା ଫଳରେ ଜୀବନଜୀବିକା ବିପନ୍ନ ହୋଇଛି। ମୁହଁରୁ ହସ ଲିଭିଯାଇଛି। ସରକାରଙ୍କ ତରଫରୁ ଓ ମତ୍ସ୍ୟ ବିଭାଗ ପକ୍ଷରୁ ଏହି ଦୁଇମାସ ମତ୍ସ୍ୟଜୀବୀମାନଙ୍କ ପାଇଁ କୌଣସି ଆର୍ଥତ୍କ ସହାୟତା ରାଶି ପ୍ରଦାନ କରାଯାଉନାହିଁ। ଏପରିକି ମତ୍ସ୍ୟଜୀବୀମାନଙ୍କ ତାଲିକା ଠିକ୍ ଭାବେ ପ୍ରସ୍ତୁତ ହେଉନାହିଁ। ଫଳରେ ସରକାରୀ ସହାୟତା ମିଳୁନାହିଁ ବୋଲି ମତ୍ସ୍ୟଜୀବୀମାନେ ଅଭିଯୋଗ କରିଛନ୍ତି। ବିଭାଗୀୟ ଅଧିକାରୀଙ୍କୁ ଏ ଦିଗରେ ପଦକ୍ଷେପ ନେଇ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।