Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି
ପଞ୍ଚାୟତ ନିର୍ବାଚନ ବର୍ଜନ ପାଇଁ ମାଓବାଦୀଙ୍କ ଆହ୍ବାନ
ଜାରି କଲେ ପ୍ରେସ୍ ବିବୃତି, ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବର୍ଜନ ପାଇଁ ଆହ୍ବାନ ଦେଇଛନ୍ତି ମାଓବାଦୀ ।
ଏ ନେଇ ମାଓବାଦୀ ସଂଗଠନର ଏଓବି ସ୍ପେଶାଲ ଜୋନାଲ କମିଟି ପକ୍ଷରୁ ଏକ ପ୍ରେସ୍ ବିବୃତି ଜାରି କରାଯାଇଛି । କମିଟିର ଜୋନାଲ ସମ୍ପାଦକ ଗଣେଶ ଏହି ପ୍ରେସ୍ ବିବୃତି ଜାରି କରିଛନ୍ତି । ସେ ଏଥିରେ ଅଭିଯୋଗ କରିଛନ୍ତି ଯେ, ସରକାର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାସନକୁ ଆସିବା ପାଇଁ ଏହି ନିର୍ବାଚନ କରୁଛନ୍ତି । ଏହାଦ୍ବାରା ଲୋକଙ୍କ କୌଣସି ଲାଭ ହେବନାହିଁ । ବରଂ ଲୋକେ ହିଁ ହଇରାଣ ହେବେ ।
ବିଭିନ୍ନ ଖଣି ଲୁଟ୍ ଚାଲିଛି ଓ ଆଗକୁ ଆହୁରି ଲୁଟ୍ କରିବା ପାଇଁ ପଞ୍ଚାୟତ ନିର୍ବାଚନକୁ ସରକାର ଅସ୍ତ୍ର କରିଛନ୍ତି ବୋଲି ମାଓବାଦୀଙ୍କ ତରଫରୁ ଅଭିଯୋଗ କରାଯାଇଛି । ତେଲୁଗୁ ଭାଷାରେ ଉଲ୍ଲେଖ ଥିବା ଦୁଇ ପୃଷ୍ଠା ସମ୍ବଳିତ ଏହି ପ୍ରେସ୍ ବିବୃତି ଜାରି କରିଛନ୍ତି ମାଓବାଦୀ । ତେବେ ବହୁ ଦିନର ନୀରବତା ପରେ ଏଓବି ସ୍ପେଶାଲ ଜୋନାଲ କମିଟି ପକ୍ଷରୁ ଏହା ଜାରି କରାଯିବା ପରେ ମାଓବାଦୀମାନେ ଏକ ବଡ଼ ଯୋଜନାରେ ଥିବା ଅନୁମାନ କରାଯାଉଛି ।