
ଗତ କିଛିଦିନ ପୂର୍ବରୁ ବେଙ୍ଗାଲୁରରେ ବନ୍ୟା ପରିସ୍ଥିତି ସୃଷ୍ଠି ହୋଇଥିଲା । ପୁଣି ବୁଧବାର ସନ୍ଧ୍ୟାଠୁ ସେଠାରେ ମୁଷଳଧାରାରେ ବର୍ଷା ଆରମ୍ଭ ହୋଇଯାଇଛି । ଫଳରେ ଜଳାର୍ଣ୍ଣବ ହୋଇପଡ଼ିଛି ବେଲ୍ଲାନ୍ଦୁର୍ ‘ଆଇଟି ଜୋନ୍’ ସମେତ ବେଙ୍ଗାଲୁରୁ ନଗରୀର ପୂର୍ବ, ଦକ୍ଷିଣ ଏବଂ କେନ୍ଦ୍ରାଞ୍ଚଳର ଅନେକ ପ୍ରମୁଖ ରାସ୍ତା । ଆଗାମୀ ୩ ଦିନ ଧରି ଏଫରି ପ୍ରବଳ ବର୍ଷା ଲାଗି ରହିବ । ଏନେଇ ‘ୟେଲୋ ଆଲର୍ଟ’ ଜାରି କରିଛି ପାଣିପାଗ ବିଭାଗ ।
ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟା ୭.୩୦ରେ ବର୍ଷା ଆରମ୍ଭ ହେବା ପରେ ତଳିଆ ଅଞ୍ଚଳର ବାଟଘାଟରେ ପାଣି ଜମିବା ସହ ଖୋଲା ରଖାଯାଇଥିବା ‘ମ୍ୟାନ୍ହୋଲ୍’ ଉଛୁଳି ବାହାରକୁ ପାଣି ସୁଅ ଛୁଟିଥିଲା। ଫ୍ଲାଟ୍ର ବେସ୍ମେଣ୍ଟ୍ରେ ଥିବା ପାର୍କିଙ୍ଗ୍ରେ ପାଣି ପଶିବାରୁ ଅନେକ ଯାନବାହନ ନଷ୍ଟ ହୋଇଯାଇଛି। ଅଫିସ୍ରୁ ଘରକୁ ଫେରୁଥିବା କର୍ମଚାରୀମାନେ ମେଟ୍ରୋ ଷ୍ଟେସନ୍ରେ ଆଶ୍ରୟ ନେଇଥିଲେ। ସେହିପରି ମାଜେଷ୍ଟିକ୍ ନିକଟରେ ପାଚେରି ଧସିପଡ଼ିବାରୁ ରାସ୍ତାରେ ରଖାଯାଇଥିବା କେତେଗୁଡ଼ିଏ ଚାରିଚକିଆ ଯାନ କ୍ଷତିଗ୍ରସ୍ତ ହୋଇଛି।