
କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଏବେ ସୁଦ୍ଧା ୧୨ଟି ଦେଶରେ ଦେଖାଦେଇଥିବା ବେଳେ ଭାରତ ପାଇଁ ଚିନ୍ତା ବଢ଼ିବାରେ ଲାଗିଛି। ସ୍ଥିତିକୁ ଦେଖି ଆଗୁଆ ସତର୍କତା ବଢ଼ାଉଛନ୍ତି କେନ୍ଦ୍ର ସରକାର।। ଡିସେମ୍ବର ୧୫ରୁ ବିଦେଶକୁ ବିମାନ ଚଳାଚଳ ଆରମ୍ଭ ହେବା ନିଷ୍ପତ୍ତିକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି। ବିଶେଷ କରି ଓମିକ୍ରନ ନେଇ ରାଜ୍ୟର ସ୍ବାସ୍ଥ୍ୟ କଳ କେମିତି ପ୍ରସ୍ତୁତ ହୋଇ ରହିବ ସେନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଓମିକ୍ରନ ଆସିଲେ କେମିତି ମୁକାବିଲା କରିବା ? କେମିତି ଗାଁରୁ ସହର ପର୍ଯ୍ୟନ୍ତ ସଜାଗ ରହିବ ଓଡ଼ିଶା? କୋଭିଡର ପୂର୍ବ ଦୁଇଟି ଲହରର ଯେମିତି ଓଡ଼ିଶା ସଫଳତା ସହିତ ମୁକାବିଲା କରିଥିଲା ସେହି ଭଳି ଭାବେ ସତର୍କ ରହିଲେ ତୃତୀୟ ଲହର କିମ୍ବା ଓମିକ୍ରନ ଲହରର ବି ମୁକାବିଲା କରିପାରିବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି। ମୁଖ୍ୟ ଶାସନ ସଚିବ ସ୍ବାସ୍ଥ୍ୟ ସଚିବଙ୍କ ସହିତ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ବିଶେଷଜ୍ଞମାନଙ୍କ ସହିତ ଓମିକ୍ରନ ମୁକାବିଲା ବାବଦରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି।
ଓମିକ୍ରନ ଏବେ ୧୨ଟି ଦେଶରେ ଦେଖାଦେଲାଣି। ସେପଟେ ସାଉଦି ଆରବରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହୋଇଛି। ଯଦିଓ ଭାରତରେ ଏହା ଚିହ୍ନଟ ହୋଇନାହିଁ କିନ୍ତୁ ରିସ୍କ ଦେଶରୁ ଆସିଥିବା ଯାତ୍ରୀମାନେ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ଦେଖି କେନ୍ଦ୍ର ସରକାର ମଧ୍ୟ ସତର୍କତା ବଢ଼ାଇଛନ୍ତି। ଡିସେମ୍ବର ୧୫ରୁ ବିଦେଶକୁ ବିମାନ ଚଳାଚଳ ଆରମ୍ଭ ହେବା ନିଷ୍ପତ୍ତିକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଡିସେମ୍ବର ୧୫ରୁ ବିମାନ ଚଳାଚଳ ସ୍ଵାଭାବିକ କରିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ଏବେ କିନ୍ତୁ ଓମିକ୍ରନ ସଂପର୍କରେ ସ୍ପଷ୍ଟ ଚିତ୍ର ଆସିନଥିବାରୁ ବର୍ତ୍ତମାନ ପାଇଁ ବିଦେଶକୁ ବିମାନ ଚଳାଚଳ ସ୍ଵାଭାବିକ ନ କରିବା ଲାଗି ନିଷ୍ପତ୍ତି ନିଆଯଇଛି। ଅନ୍ତର୍ଜାତୀୟ ଉଡ଼ାଣ ଆରମ୍ଭ କରିବା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଗତ ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ସମୀକ୍ଷା ବୈଠକରେ ନିର୍ଦ୍ଦେଶ ଦେଇଥିଲେ। ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ଓମିକ୍ରନକୁ ଭେରି ହାଇ ରିସ୍କ ଘୋଷଣା କରିଥିବାରୁ ଏହାକୁ ନେଇ ସାରା ବିଶ୍ଵରେ ଚିନ୍ତା ପ୍ରକାଶ ପାଇଛି। କୋଭିଡରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ତିନି ଦେଶ ଆମେରିକା, ଚୀନ ଓ ଭାରତରେ ଏହା ଏପର୍ଯ୍ୟନ୍ତ ଦେଖା ଦେଇନାହିଁ। ତଥାପି ବି ଏହାର ମୁକାବିଲା ପାଇଁ କି କି ପଦକ୍ଷେପ ନେଇ ହେବ ସେ ନେଇ ଏହି ତିନି ଦେଶ ଚଳଚଞ୍ଚଳ ହୋଇଛନ୍ତି। ବିଶେଷ କରି ଓମିକ୍ରନକୁ ରୋକିପାରୁଥିବା ଟିକା ଏବଂ ଏହାକୁ ଭେଦ କରୁଥିବା ଔଷଧ କେତେ ଶୀଘ୍ର ବାହାର କରିହେବ ସେନେଇ କୋଭିଡ ଉପରେ ଗବେଷଣା କରୁଥିବା ଔଷଧ କମ୍ପାନୀଗୁଡ଼ିକ ଲାଗି ପଡ଼ିଛନ୍ତି।