ଦେଶ ବିଦେଶମୁଖ୍ୟ ଖବରରାଜନୀତି

୫ ବର୍ଷରେ ୨୦ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ନିଯୁକ୍ତି, ଗୁଜରାଟ ନିର୍ବାଚନ ପୂର୍ବରୁ ବିଜେପିର ସଂକଳ୍ପ ପତ୍ର ଜାରି

ଗାନ୍ଧୀନଗର: ଆସନ୍ତା ୫ ବର୍ଷରେ ୨୦ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ନିଯୁକ୍ତି। ୧ଲକ୍ଷ ମହିଳାଙ୍କୁ ବି ମିଳିବ ରୋଜଗାର। ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ସଂକଳ୍ପ ପତ୍ର ଜାରି କରି ଏଭଳି ପ୍ରତିଶ୍ରୁତି ଦେଇଛି ବିଜେପି । ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା କହିଛନ୍ତି, ଗୁଜରାଟରେ ଦୁଇଟି ସିଫୁଡ୍ ପାର୍କ ପ୍ରତିଷ୍ଠା କରାଯିବ। ଏଥିରେ ବ୍ୟାପକ ନିଯୁକ୍ତି ସୁଯୋଗ ମିଳିବ।

ଛାତ୍ରୀଙ୍କୁ ମାଗଣାରେ ଇଲେକ୍ଟ୍ରିକ୍ ସ୍କୁଟି ଦିଆଯିବ। ଜଳସେଚନ ପାଇଁ ୨୫ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବା ସହ ୟୁସିସି କମିଟି ପ୍ରସ୍ତାବକୁ ଲାଗୁ କରାଯିବ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି। ଦଳର ନିର୍ବାଚନୀ ସଂକଳ୍ପ ପତ୍ର ଜାରି କରାଯିବା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସମେତ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଗୁଜରାଟ ବିଜେପି ସଭାପତି ସିଆର ପାଟିଲ ଉପସ୍ଥିତ ଥିଲେ।

ସମ୍ବିଧାନ ହିଁ ଆମର ସବୁଠୁ ବଡ ଧର୍ମ। ସମ୍ବିଧାନକୁ ମାନି ଚାଲିବା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିବା ଦର୍ଶାଇଛନ୍ତି ଜେପି ନଡ୍ଡା। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ଯାହା ପ୍ରତିଶ୍ରୃତି ଦେଇଥିଲା ତାହା ପୂରଣ କରିଛି। ବିକାଶର ଗଙ୍ଗୋତ୍ରୀ ହେଉଛି ଗୁଜରାଟ। ନୂଆ ସଂକଳ୍ପ ସହ ଦଳ ନିଜକୁ ପୁନଃସ୍ଥାପିତ କରିବା ସହ ଆଗକୁ ବଢୁଛି ବୋଲି କହିଛନ୍ତି ଜେପି ନଡ୍ଡା।

ଗୁଜରାଟରେ  ୨୭ବର୍ଷ ହେଲା କ୍ଷମତାରେ ରହିଛି ବିଜେପି। ଏଥର ସରକାର ବିରୋଧୀ ଜନମତ ଅଧିକ ଥିବା ଆଶଙ୍କା କରୁଛି ଦଳ। ନିର୍ବାଚନୀ ମୈଦାନରେ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟିର ଲଢୁଆ ମନୋବୃତ୍ତିକୁ ନେଇ ଦଳର ଏହି ଆଶଙ୍କା ଅଧିକ ବଢିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା ବାରମ୍ବାର ଗୁଜରାଟ ଆସି ପ୍ରଚାର କରୁଛନ୍ତି। ଏଭଳି ସ୍ଥିତିରେ ଗୁରୁତ୍ୱର ସହ ଦଳ ନିର୍ବାଚନୀ ସଂକଳ୍ପ ପତ୍ର ପ୍ରସ୍ତୁତ କରିଛି।

 

Show More

Related Articles

Back to top button