ଉରୀ ସେକ୍ଟରରେ ଅନୁପ୍ରବେଶକାରୀକୁ ଧରିଲେ ଯବାନ

ଜମ୍ମୁ-କଶ୍ମୀରର ଉରୀ ସେକ୍ଟରରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଭାରତୀୟ ଯବାନ କାବୁ କରିଛନ୍ତି । ଏହା ସହ ଅନ୍ୟ ଜଣେ ଅନୁପ୍ରବେଶକାରୀର ସେନା ଗୁଳିରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଗତ ସେପ୍ଟେମ୍ବର ୧୮/୧୯ ରୁ ଭାରତକୁ ଅନୁପ୍ରବେଶ ଉଦ୍ୟମ ଚାଲିଥିଲା ବେଳେ ଗିରଫ ହୋଇଥିବା ପାକିସ୍ତାନୀ ଆତଙ୍କବାଦୀ ଭାରତକୁ ଆସି ଆକ୍ରମଣର ଯୋଜନା କରୁଥିବା ଜଣାପଡିଛି।
ସେନା ଗତ ଦୁଇ ଦିନ ମଧ୍ୟରେ ତିନୋଟି ଭିନ୍ନ ସ୍ଥାନରେ ଅନୁପ୍ରବେଶକାରୀଙ୍କ ବିଷୟରେ ସୂଚନା ପାଇବାରେ ସକ୍ଷମ ହୋଇଥିଲା। ସେନା ଅନ୍ୟମାନଙ୍କୁ ଖୋଜୁଥିବା ବେଳେ ଏ ପର୍ଯ୍ୟନ୍ତ ଏନକାଉଣ୍ଟରରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହା ସହ ଉରୀ ସେକ୍ଟରରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟ ସମୟରେ ଚାରିଜଣ ଯବାନ ଆହତ ହୋଇଛନ୍ତି ।
ଗତ ସପ୍ତାହରେ ସେନା ଜମ୍ମୁ-କଶ୍ମୀରର ବାରାମୁଲ୍ଲା ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟରେ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବା ସହ ସେନା ଗୁଳିରେ ତିନି ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା। ଏହା ସହ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ ମଧ୍ୟ କରାଯାଇଥିଲା । ବାରମ୍ବାର ପାକିସ୍ତାନ ଅସ୍ତ୍ରବିରତି ନିୟମ ଉଲଙ୍ଘନ ସହ ଅନୁପ୍ରବେଶ ଜାରି ରଖିଥିବାରୁ ଏବେ ସର୍ଚ୍ଚ ଅପରେସନକୁ ସେନା ଜୋରଦାର କରିଛି ।