ଦେଶକୁ କୋଭିଡ ମହାମାରୀର ଆଗମନ ପରେ ଅନେକ ସଂକ୍ରମଣ ସାମ୍ନାକୁ ଆସୁଛି । ଓମିକ୍ରନଠୁ ଆରମ୍ଭ କରି ଟମାଟୋ ଫ୍ଲୁ ଏବଂ ଲମ୍ପି ଭାଇରସ ପର୍ଯ୍ୟନ୍ତ । ଯାହାକି ଅନେକ ସମସ୍ୟା ସୃଷ୍ଟି କରିବା ସହ ଅନେକ ନୂଆ ସଂକ୍ରମଣ ସୃଷ୍ଠି ହେଉଛି । ତେବେ ଏହାକୁ ନଜରରେ ରଖି ଆଗାମୀ ଦିନରେ ମହାମାରୀର ସଫଳ ମୁକାବିଲା ପାଇଁ ଦେଶବ୍ୟାପୀ ୨୦ଟି ସହରରେ ମେଟ୍ରୋପଲିଟାନ୍ ସର୍ଭେଲାନ୍ସ ସେଣ୍ଟର୍ ଖୋଲିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏହା ମଧ୍ୟରେ ଓଡିଶାର ରାଜଧାନୀ ଭୂବନେଶ୍ୱର ମଧ୍ୟ ସାମିଲ ରହିଛି ।
ସୂଚନା ଅନୁଯାୟୀ, ନିକଟରେ କେନ୍ଦ୍ର ସରକାରଙ୍କ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ବା ଏନ୍ସିଡିସିର ଏକ ଶାଖା ଭୁବନେଶ୍ବରରେ କାର୍ଯ୍ୟକ୍ଷମ ହେବ। ଏହି ବିଲ୍ଡିଂରେ ମେଟ୍ରୋପଲିଟାନ୍ ସର୍ଭେଲାନ୍ସ ସେଣ୍ଟର୍କୁ କାର୍ଯ୍ୟକ୍ଷମ କରିବା ଲାଗି ନିଷ୍ପତ୍ତି ହୋଇଛି। ତେବେ ପ୍ରାଥମିକ ପର୍ଯ୍ୟାୟରେ ୫ବର୍ଷ ପର୍ଯ୍ୟନ୍ତ ଏହା କାର୍ଯ୍ୟ କରିବ। ଏନ୍ସିଡିସିର ଭୁବନେଶ୍ବର ଶାଖା ପ୍ରତିଷ୍ଠା ପାଇଁ ଅନ୍ଧାରୁଆରେ ୩.୧୨୫ ଏକର ଜାଗା ଚିହ୍ନଟ କରାଯାଇଛି। ଏଥିପାଇଁ ଏନ୍ସିଡିସିକୁ ମାତ୍ର ୧ଟଙ୍କାରେ ଜାଗା ପ୍ରଦାନ କରାଯାଇଛି। ଜାଗା ହସ୍ତାନ୍ତର ପରେ କେନ୍ଦ୍ରୀୟ ପୂର୍ତ ବିଭାଗ କୋଠା ନିର୍ମାଣ ଆରମ୍ଭ କରିବ। କେତେକ ରାଜ୍ୟରେ ଆସନ୍ତାବର୍ଷ ଜାନୁଆରି ମାସରେ ଏହାକୁ କାର୍ଯ୍ୟକ୍ଷମ କରିବା ଲାଗି ଉଦ୍ୟମ ହୋଇଛି। ମାତ୍ର ଭୁବନେଶ୍ବରରେ ଏହା କାର୍ଯ୍ୟକ୍ଷମ ହେବା ଲାଗି କିଛିମାସ ବିଳମ୍ବ ହୋଇପାରେ ବୋଲି ଅନୁମାନ କରାଯାଉଛି।
ସହରାଞ୍ଚଳରେ ରୋଗର ସର୍ଭେଲାନ୍ସ ବା ନିରୀକ୍ଷଣ ବ୍ୟବସ୍ଥା ଅତ୍ୟନ୍ତ ଦୁର୍ବଳ। ସହରାଞ୍ଚଳରେ ଅଧିକାଂଶ ସଂକ୍ରାମକ କିମ୍ବା ଅଣ-ସଂକ୍ରାମକ ରୋଗର ତଥ୍ୟ ଠିକ୍ରେ ମିଳୁନାହିଁ। କୋଭିଡ ସମୟରେ ମଧ୍ୟ ଏଭଳି ପରିସ୍ଥିତି ଦେଖିବାକୁ ମିଳିଥିଲା। ଯାହାଫଳରେ ଏନ୍ସିଡିସି ଓ ଆଇସିଏମ୍ଆର ଉପରେ ଚାପ ବଢ଼ିଥିଲା। ଏନ୍ସିଡିସିକୁ କେବଳ ଦିଲ୍ଲୀରେ ସୀମିତ ନ ରଖି ଏହାର ସଂପ୍ରସାରଣ ଉପରେ କେନ୍ଦ୍ର ସରକାର ଗୁରୁତ୍ବ ଦେଉଛନ୍ତି। ଯାହାଫଳରେ ଡେଙ୍ଗୁ, ଚିକିନଗୁନିଆ, ସ୍କ୍ରବ୍ ଟାଇଫସ୍, ଜାଇକା ଭଳି ରୋଗର ନିରୀକ୍ଷଣ ଠିକ୍ ଭାବେ ହୋଇପାରିବ। ଭୁବନେଶ୍ବର ସମେତ ରାଜ୍ୟର ସହରାଞ୍ଚଳରେ ପ୍ରତିବର୍ଷ ଡେଙ୍ଗୁ ବ୍ୟାପୁଛି। ଫାଇଲେରିଆ, ସ୍କ୍ରବ୍ ଟାଇଫସ୍, ଏଚ୍ଏଫ୍ଏମ୍ଡି ଭଳି ରୋଗ ମଧ୍ୟ ବଢ଼ିବାରେ ଲାଗିଛି। ଏସବୁ ରୋଗ ଉପରେ ତୀକ୍ଷ୍ଣ ନଜର ରଖିବା ଦିଗରେ ସର୍ଭେଲାନ୍ସ ସେଣ୍ଟର୍ କାର୍ଯ୍ୟ କରିବ। ଯାହାଫଳରେ କୌଣସି ଅଞ୍ଚଳରେ ରୋଗ ବ୍ୟାପିବା ପୂର୍ବରୁ ଏହା ସଂପର୍କିତ ଆଗୁଆ ସୂଚନା ମିଳିପାରିବ। ସମନ୍ବିତ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମ ବା ଆଇଡିଏସ୍ପି ସେଲ୍ର ସହାୟତାରେ ଏହି ସେଣ୍ଟର୍ କାର୍ଯ୍ୟକାରୀ କରିବ। ଏହି ସେଣ୍ଟର୍ରେ ମହାମାରୀ ବିଶେଷଜ୍ଞ ବା ଏପିଡିମିଓଲୋଜିଷ୍ଟ, କୀଟରୋଗ ବିଶେଷଜ୍ଞ ବା ଏଣ୍ଟୋମୋଲୋଜିଷ୍ଟ ଓ ନମୁନା ସଂଗ୍ରହ ପାଇଁ ଫ୍ଲେବୋଟୋମିଷ୍ଟ ପ୍ରମୁଖଙ୍କୁ ମିଶାଇ ୯ଜଣ କର୍ମଚାରୀ ରହିବେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ମାନବ ସମ୍ବଳ ଯୋଗାଇ ଦିଆଯିବ। ଏହାସହ ଆବଶ୍ୟକ ଟେଷ୍ଟିଂ କିଟ୍, ପରିବହନ ବ୍ୟବସ୍ଥା, ଲଜିଷ୍ଟିକ୍ ସହାୟତା ଓ ଅନ୍ୟ ସର୍ଭେଲାନ୍ସ ଟୁଲ୍ ପାଇଁ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିଛନ୍ତି।