ପାଣ୍ଡୋରା ପେପର ଲିକ୍ ଘଟଣାରେ ସାମିଲ ୩ ଶହରୁ ଅଧିକ ଭାରତୀୟ
ପାନାମା ଲିକ୍ ପରେ ଏବେ ପାଣ୍ଡୋରା ପେପର ତଥ୍ୟ ଲିକ୍ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ ଭାରତ ସମେତ ବିଶ୍ଵର ଅନେକ ଶକ୍ତିଶାଳୀ ବ୍ୟକ୍ତିମାନେ ସାମିଲ ଥିବା ଜଣାପଡ଼ିଛି । ବ୍ୟବସାୟୀ, ଧନୀକ ଶ୍ରେଣୀର ଲୋକ, ବିଶିଷ୍ଟ ବ୍ୟକ୍ତିମାନେ କିଭଳି ନିଜ ଦେଶରୁ ଟିକସ ଫାଙ୍କି ଅନ୍ୟ ଦେଶରେ ନିବେଶ କରିଛନ୍ତି, ସେହି ସବୁ ତଥ୍ୟ ଏହି ପେପର ମାଧ୍ୟମରେ ଜଣାପଡ଼ିଛି । ଭାରତର ପ୍ରାୟ ୩୦୦ରୁ ଅଧିକ ନେତା, ବ୍ୟବସାୟୀ, ଧନୀ ବ୍ୟକ୍ତି, ସେଲିବ୍ରିଟି, ଖେଳାଳି ଏହି ଘଟଣାରେ ସମ୍ପୃକ୍ତ ଥିବା ସୂଚନା ମିଳିଛି । ତେବେ ଏହି ପାଣ୍ଡୋର ପେପର କ’ଣ, ଚର୍ଚ୍ଚିତ ବ୍ୟକ୍ତିମାନେ ଏଥିରେ କାହିଁକି ସାମିଲ ହୋଇଛନ୍ତି, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ତେବେ ଏହି ପାଣ୍ଡୋରା ପେପର କ’ଣ ?
ଅନ୍ତର୍ଜାତୀୟ ସାମ୍ବାଦିକ ଫୋରମରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ । ଯାହାକୁ ପାଣ୍ଡୋରା ପେପର କୁହାଯାଏ । ପାଖାପାଖି ୧୦୦ରୁ ଅଧିକ ଦେଶର ସାମ୍ବାଦିକମାନେ ସାମିଲ ହୋଇ ଏହାର ପ୍ରସ୍ତୁତି ବା ତଦନ୍ତ କରିଥାନ୍ତି । ଏହି ରିପୋର୍ଟ ପ୍ରସ୍ତୁତ ପାଇଁ ୧ବର୍ଷ ସମୟ ଲାଗିଥାଏ । ୨୦୧୬ରେ ପାନାମା ପେପର ଜାରି କରିଥିବା ସଂସ୍ଥା ଆଇସିଆଇଜେ ପକ୍ଷରୁ ପାଣ୍ଡୋରା ପେପର ଜାରି କରାଯାଇଛି । ଆର୍ଥୀକ କ୍ଷେତ୍ରରେ ଏହା ସବୁଠାରୁ ବଡ଼ ପର୍ଦ୍ଦାଫାସ୍ ବୋଲି ଆଇସିଆଇଜେ ପକ୍ଷରୁ ଦାବି କରାଯାଇଛି । ସୂଚନା ଅନୁସାରେ ବିଶ୍ଵର ୧୨ କୋଟି ଦସ୍ତାବିଜକୁ ଯାଞ୍ଚ କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ୧୧୭ଟି ଦେଶର ୬୦୦ ସାମ୍ବାଦିକ ଏହି ତଦନ୍ତରେ ସାମିଲ ଥିଲେ ବୋଲି ଜଣାପଡ଼ିଛି ।
ପାଣ୍ଡୋରା ପେପରରେ ଥିବା ଚର୍ଚ୍ଚିତ ବ୍ୟକ୍ତିଙ୍କ ନାଁ
ପାଣ୍ଡୋରା ପେପର୍ସରେ ଭାରତ ସମେତ ବିଶ୍ଵର ଅନେକ ଦେଶର ଚର୍ଚ୍ଚିତ ବ୍ୟକ୍ତିମାନଙ୍କ ନାଁ ରହିଛି । ସେମାନଙ୍କ ମଧ୍ୟରୁ ଭାରତର ୩୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତିଙ୍କ ନାଁ ଅଛି । ସେମାନଙ୍କ ମଧ୍ୟରୁ ୬୦ଟି ପ୍ରମାଣ ସଂଗ୍ରହ କରାଯାଇ ଅନୁସନ୍ଧାନ କରାଯାଉଛି । ଆଗାମୀ ଦିନରେ ଏଗୁଡିକ ପ୍ରକାଶ କରାଯିବ । ପାଣ୍ଡୋରା ପେପରରେ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାଁ ରହିଥିବା ଚର୍ଚ୍ଚା ହେଉଛି ।
ତଥ୍ୟ ଅନୁସାରେ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ, ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର, କେନିଆ ଓ ଇକ୍ବେଡରର ରାଷ୍ଟ୍ରପତି, ଚେକ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ଏବଂ ବ୍ରିଟେନର ପୂର୍ବ ପ୍ରଧାନମନ୍ତ୍ରୀ ଟୋନେ ବ୍ଲେୟର ମଧ୍ୟ ଏହି ଘଟଣାରେ ସାମିଲ ଅଛନ୍ତି । ସେହିପରି ରୁଷ, ମେକ୍ସିକୋ, ଆମେରିକା ସମେତ ବିଶ୍ଵର ପ୍ରାୟ ୧୩୦ ବିଶିଷ୍ଟ ବ୍ୟକ୍ତିଙ୍କ ନାମ ପାଣ୍ଡୋରା ତଥ୍ୟ ଲିକ ତାଲିକାରେ ରହିଛି ।