ପାଟ ଓଢଣୀ
ସକାଳୁ ସକାଳୁ ବହିଖଣ୍ଡେ ହାତରେ ଧରି ଝରକା ନିକଟରେ ବସି ପଡିଲା ମନୋଜ।ପାଠରେ କେତେ ଆଗ୍ରହ ତାକୁ ଏକା ଜଣା।ବହି ଧରି ବସିବାର କାରଣ କିନ୍ତୁ ଅଲଗା।ଏବେ ସକାଳ ଜମାରୁ ପାଞ୍ଚଟା ବାଜିଛି। ଏତେ ଜଲଦି ତା’ର କେଉଁ ନିଦ ଭାଙ୍ଗେ।ଏବେ କିଛିଦିନ ହେଲା କିନ୍ତୁ ଭାଙ୍ଗି ଯାଉଛି।ଡେରିହେଲେ ସୁବର୍ଣ୍ଣ ସୁଯୋଗଟି ହାତରୁ ଖସିଯିବଯେ।କିଛିଦିନ ହେଲା ସେ ଲକ୍ଷ୍ଯ କରୁଛି ଏଇ ପାଞ୍ଚରୁ ସାଢେ ପାଞ୍ଚ ଭିତରେ ଝରଣା ଗାଧେଇବାକୁ ଗଡିଆକୁ ଯାଉଛି। ସେଥିପାଇଁ ମନୋଜକୁ ଆଉ ରାତିରେ ଭଲରେ ନିଦ ହେଉନି।କେତେବଳେ ରାତି ପାହିବ ସକାଳ ହେବ , ଘଣ୍ଟାରେ ପାଞ୍ଚଟା ବାଜିବ,ସେ ଝରଣାର ଗାଧୁଆ ବାଟକୁ ଚାହିଁ ରହିବ। ଯମୁନା କୂଳରେ କୃଷ୍ଣ ରାଧାଙ୍କୁ ଜଗି ରହିଲା ଭଳି।
ସତକୁ ସତ ଠିକ୍ ପାଞ୍ଚଟା କୋଡିଏ ବେଳକୁ ଝରଣା ବାଡିପଟ ପାହାଚ ଗୋଟିଏ ପରେ ଗୋଟିଏ ଓହ୍ଲେଇ ଆସୁଥିଲା।ତା ପାଉଁଜିର ମିଠା ସ୍ବର ମନୋଜକୁ ପାଗଳ ବନେଇ ଦେଉଥିଲା।ସେ ଅତି ସନ୍ତର୍ପଣରେ ଏକା ଖଞ୍ଜରେ ଚାହିଁ ରହିଥାଏ ସେମିତି ଝରଣାର ବାଡି ପଟକୁ। ବାଡି ପାହାଚରୁ ସେମିତି ଲମ୍ବିଛି ବିରାଟ ବଡ ବାଡି। ତାକୁ ପାର ହେଲେ ଯାଇ ପଡିବ ଗଡିଆ। ବାଡି ପାର ହେବା ଯାଏ ଅପଲକ ନେତ୍ରରେ ସେମିତି ଚାହିଁରହିଥିଲା ମନୋଜ ଝରଣାର ଯିବା ବାଟକୁ।ତା ହଂସିନୀ ଚାଲିରେ ଲକ୍ଷେ ପଦ୍ମ ଫୁଟିଲା ଭଳି ଲାଗୁଥାଏ ମନୋଜକୁ। ଗୋଟେ ସ୍କର୍ଟ ଆଉ ଟପ୍ ପିନ୍ଧିଥାଏ ଝରଣା। ସ୍କର୍ଟର ଘେର ପବନରେ ଉଡୁଥାଏ ଏଣେତେଣେ। ତାକୁ ସମ୍ଭାଳି ସମ୍ଭାଳି ଆଗକୁ ଆଗକୁ ଚାଲୁଥାଏ ଧିର ମନ୍ଥର ବେଗରେ ସେ।ମନୋଜର ପାଠ ପଢା ସେତିକିରେ ବନ୍ଦ। ବହି ବନ୍ଦ କରି ରଖିଦେଲା ସେ ଏଥର। କହିବାକୁ ଗଲେ କେଉଁ ବହି ଧରି ସେ ବସିଥିଲା, ନିଜେବି ଜାଣିନଥିଲା। କେବଳ ଥାକରୁ ସେମିତି ଗୋଟେ ଧରିପକେଇଥିଲା। ଏଥର ବହି ବଦଳରେ ଥାକରୁ ତା ପ୍ରିୟ ଡାଇରୀ ବାହାର କଲା। ନାଲି ନାଲି ଗୋଲ ଗୋଲ ଅକ୍ଷରରେ ସଜେଇଦେଲା ଧାଡିପରେ ଧାଡି କବିତା। କେଉଁଠୁ ଆସେ କେଜାଣି ଏତେ ଭାବନା, ଏତେ ଶବ୍ଦ । ସେ ନିଜେବି ଜାଣେନା। କେବଳ ଏଇଠି ବସି ସେ ଝରଣାକୁ ଥରେ ଦେଖିଦେଲେ ହିଁ ଏଇ ସବୁ ଚିନ୍ତା ଭାବନା ଶବ୍ଦାବଳୀ ସବୁ ତା’ର ଛାତି ତଳୁ ବାହାରିଆସେ କଲମ ମୂନ ନିସୃତ ସ୍ଯାହିରେ ରୂପରଙ୍ଗ ନେଇ।
ଏଇ ଭିତରେ ଛଅଟା ବାଜି ସାରିଥାଏ। ଏଥର ଝରଣାର ଗଡିଆ କୂଳରୁ ଫେରିବା ସମୟ ହେଇଗଲାକି କ’ଣ । ଟିକିଏ ଦୂରରୁ ରହିରହି ଶୁଭୁଛି ତା ପାଉଁଜିର ରୁଣୁଝୁଣୁ ଝଙ୍କାର। ମୁଣ୍ଡ ଟେକି ଚାହିଁଲା ମନୋଜ। ଏଇ ଭିତରେ ଏକ ଦୀର୍ଘ କବିତା ସେ ଲେଖି ସାରିଥାଏ। ଡାଇରୀ ବନ୍ଦ କରି ସାରି ସେ ସେମିତି ପ୍ରତିମା ମୁଦ୍ରାରେ ଚାହିଁରହିଲା ଝରଣାର ଫେରିବା ବାଟକୁ। ଝରଣା ଫେରୁଥିଲା। ଗାଧୁଆ ପୂର୍ବ ଠାରୁ ଗାଧୁଆ ପରର ଦୃଶ୍ଯ ଆହୁରି ମନଲୋଭା ଥିଲା। ଗୋରା ତକତକ ହଳଦୀ ମଖା ମୁହଁଟି ତା’ର ସୂର୍ଯ୍ଯ କିରଣ ପଡି ଆହୁରି ଚିକିମିକି କରୁଥିଲା। ଓଦା କେଶ ରୁ କିଛି ମୁହଁ ଉପରକୁ ଓହଳୀ ଆସିଥିଲା। ସେଥିରୁ ଟୋପେଟୋପେ ପାଣି ଝରି ପଡୁଥିଲା । ସେଇ ପାଣି ସିଧା ଆସି ଝରଣାର ମୁହଁରେ ପଡି ମୁକୁତା ଭଳି ଭ୍ରମ ସୃଷ୍ଟି କରୁଥିଲା। ଏଥର ଆଉ ଚଗଲା ପବନରେ ତା’ର ସ୍କର୍ଟ ଦୋଳି ଖେଳୁନଥିଲା। ଓଦା ଦେହରେ ଲାଖି ହେଇ ରହିଥିଲା ଅମାନିଆ ବାଳୁତ ଟି ମାଆ ଠାରୁ ଗାଳି ଖାଇ ଚୁପ୍ ପଡିଲା ଭଳି।ଏଥର ଝରଣା ତାଙ୍କର ପଥର ପାହାଚ ପରେ ପାହାଚ ଚଢି ଘର ଭିତରକୁ ଗଲା। ବାରି କବାଟ ଧଡ୍ କରି ବନ୍ଦ ହେଲା। ଧଡ୍ କରି ମନୋଜ ଛାତିରେ ଆବାଜ ଆସିଲା। ଏଥର ସେ ଫେରିଲା ଚେତନ ଅବସ୍ଥା କୁ। ଘଣ୍ଟାକୁ ଚାହିଁଲା । ଜମା ଛଅଟା ପନ୍ଦର ହେଇଛି। ଆଉ ଟିକିଏ ଶୋଇ ପଡିବି ଭାବି ଶୋଇପଡିଲା। ଏ ପାଠରୁ କ’ଣ ମିଳିବ ହେ।ଶୋଇପଡିଲେ ହେଲେ ସପନରେ ଟିକେ ଝରଣାକୁ ଛୁଇଁ ପାରିବ।ଚେତନ ଅବସ୍ଥା ରେ କେବଳ ଦେଖିପାରୁଛି ଯାହା । କିନ୍ତୁ ଅବଚେତନ ମନରେ ସେ ଝରଣା ସାଥିରେ ସାଥିହେଇ କେତେ କୁଆଡେ ବହି ଯାଉଛି ତା’ର କୂଳ କିନାରା ନାହିଁ।
ମନୋଜର ବୋଉ ଆସି ଦେଖିଲେ ମନୋଜ ଶୋଇ ପଡିଛି। ପାଠ ନା ଛେନା ଟା ପଢୁଛି କେଜାଣି ଏ ପିଲା। ଏଇନା ବସି ପଢୁଥିଲା ଏତେ ମନ ଧ୍ଯାନରେ , ଏଇନା ଦେଖୁନ ଶୋଇଲାଣି। ଏ ମନୋଜ ଉଠ୍ , ସମୟ ହେଲାଣି କଲେଜ ଯିବୁନି କି। ଉଠ୍ ଉଠ୍ କହି ମନୋଜକୁ ଧରି ହଲେଇଦେଇ ଉଠେଇଦେଲେ ତା ବୋଉ। ମନୋଜ ବୋଉ ଉପରେ ବିରକ୍ତ ହେଇ ପୁଣିଥରେ କଡ ବୁଲେଇ ଶୋଇପଡିଲା।
ଝରଣାର ଘର ଆଉ ମନୋଜ ର ଘର ଇଂଗ୍ରାଜିରେ ଏଲ୍ ସେପ୍ ର ହେବ। ଦିନ ଠାରୁ ରାତି ଯାଏ ମନୋଜ ତା ଶୋଇବା ଘର ଝରକା ଦେଇ ଝରଣାର ବାଡି ଅଗଣା ଯାଏ ଦେଖି ପାରେ। ସେ ଯେତିକି ସମୟ ଘରେ ରହେ ସେତିକି ସମୟ ସେଇ ଝରକା ପାଖରୁ ଉଠେ ନାହିଁ ଆଦୌ। ତା ପାଇଁ ସେଇ ଝରକା ପାଖ ସ୍ବର୍ଗର ନନ୍ଦନ ବିହାର ଠାରୁ କମ୍ ନୁହେଁ।ସେଇଠି ସେ ବସେ ସ୍ବପ୍ନ ଦେଖିବା ପାଇଁ। ଦିନ ଦୁଇ ପ୍ରହରଟାରେ ମଧ୍ଯ ଆଖି ପତା ଖୋଲାରଖି କେତେ କ’ଣ ସେ ସପନରେ ଦେଖିଯାଏ।ସେଇ ଝରକା ପାଖରେ ବସି ସେ କବି ବନିଯାଏ। କେତେ କବିତା ଲେଖେ ତା’ର କଳନା ନାହିଁ। ଏଇ ଗୋଟିଏ ବର୍ଷରେ ସେ ବୋଧେ ପାଞ୍ଚଶହରୁ ଅଧିକ କବିତା ଲେଖି ସାରିବଣି। କେଉଁ ମଞ୍ଚରେ ଦେଇଥିଲେ ଏତେବେଳକୁ ଗୋଟିଏ ବିରାଟ ବଡ କବିଟିଏ ବୋଲି ଖ୍ଯାତି ଅର୍ଜି ସାରନ୍ତାଣି। କିନ୍ତୁ ତା କବିତା ର ଆଜିଯାଏ କେହି ଜଣେ ବି ପାଠକ କିମ୍ବା ପାଠିକା ନାହାଁନ୍ତି। କେମିତି ହେବେ ଯେ , ସେ କ’ଣ କାହାକୁ କେବେ କହିଛି ତା’ର ଏଇ ଗୋପନ ପ୍ରତିଭା କଥା। କେବଳ ସେ ଓ ତା ପ୍ରିୟ ଡାଇରୀ ଛଡା ଆଉ କେହି ଏ ବିଷୟରେ ଜାଣନ୍ତି ନାହିଁ।ସମସ୍ତେ ଭାବନ୍ତି ମନୋଜ ଦିନ ରାତି ଘର କବାଟ ବନ୍ଦ ରଖି ପାଠ ପଢୁଛି ଆଉ ଲେଖୁଛି । କେବଳ ଏଇ କାରଣରୁ ଏଇ ବର୍ଷେ ହେବ ସେ ତା ସାନ ଭାଇକୁ ବି ସେ ରୁମ ରୁ ବାହାର କରିଦେଇଛି। ଘରେ କାରଣ ଜଣେଇଛି ଯେ ସେ ପାଖରେ ଶୋଇଲେ ତାକୁ ବି ନିଦ ଲାଗୁଛି। ଏକା ଶୋଇଲେ ସେ ରାତି ଅନିଦ୍ରା ହେଇ ପଢାପଢି କରି ପାରିବ। ତାଙ୍କର ଅଧିକ ବଖରା ନଥିଲା ସତ। ତଥାପି ତା ବାପା ତା କଥା ମାନି ସାନ ପୁଅ ପାଇଁ ଆଉ ବଖରାଏ ଘର ଯେମିତି ସେମିତି କରି ବଢେଇ କରି ତାକୁ ସେ ବଖରାକୁ ନେଇଗଲେ। ଏବେ ଏଇ ବଖରାର ଅଧିପତି ବନିଗଲା ମନୋଜ। କବାଟ ବନ୍ଦ ଥିଲା ବେଳେ ତା’ର ଶାସନ ଚାଲେ ସେ ବଖରା ଭିତରେ।
ହେଇ ଝରଣା ଆସିଲା କବାଟ ଖୋଲି ବାଡିପଟକୁ। ନିଜକୁ ଝାଡିଝୁଡି ସଜାଡି ହେଇ ବସିଗଲା ମନୋଜ। ଝରଣା ହାତରେ କିଛି ଫୁଲଗଛର ଚାରା। ବୋଧେ ବାଡିରେ ସେସବୁ ଲଗେଇବାକୁ ଆଣିଛି ଝରଣା।ହଁ , ଝରଣା ସେମିତି ସ୍ବଭାବର ଝିଅଟିଏ।କେବେ ଖାଲି ହାତରେ ବସେନି।ବୟସ ଜମାରୁ ପନ୍ଦର ।ତଥାପି କେତେ ଦାୟିତ୍ବ ଏବେଠାରୁ ନେଇଗଲାଣି ସେ ତା ବୋଉ ଠାରୁ। ତା ବୋଉ ସାଙ୍ଗରେ ମିଶି ଗଛ ଲଗାଏ। ଗଛରେ ପାଣିଦିଏ।ଲୁଗା ଶୁଖାଏ। ଶୁଖିଲା କପଡା ଭାଙ୍ଗ ପକେଇ ଘରକୁ ତୋଳିନିଏ।ବାଡିପଟେ ତା ବୋଉ ସାଙ୍ଗରେ ମିଶି ବର୍ଷାଦିନ ପାଇଁ ଶୁଖିଲା ଜାଳ ସଜାଡି ରଖେ। ଏସବୁ କୁ ବେଶ୍ ଉପଭୋଗ କରେ ମନୋଜ ଏଇ ଝରକା ନିକଟରେ ବସି। ଯେମିତି ଆଜି କରୁଛି । ଝରଣା ହାତରେ ଗୋଟେ ଦାଉଲି ଧରି ଓଦା ମାଟିକୁ ଟିକେ ଟିକେ କରି ଖୋଳୁଛି। ସେଇ ଭିତରେ ଗୋଟେ ଗୋଟେ ଚାରା ରଖି ପୋତୁଛି। ଝିପିଝିପି ବର୍ଷାରେ ଗଛ ଚାରା ପୋତିଲେ ଗଛ ବଞ୍ଚିଯାଏ। ସେଥିପାଇଁ ବୋଧେ ଆଜି ଦିନକୁ ବାଛିଚି ଝରଣା। ଝିପିଝିପି ବର୍ଷା ଗଛ ସହ ଝରଣାକୁ ବି ଭିଜେଉଛି। ଲାଗୁଛି ଯେମିତି ତାସହ ଖେଳୁଛି ଏଇ ଚଗଲି ବର୍ଷା। ବେଳେବେଳେ ରିମ୍ ଝିମ୍ ହେଇ ନାଚିନାଚି ବରଷି ଯାଉଛି । ତାକୁ ଦେଖି ଝରଣା ଜାଳଭାଡି ତଳେ ଯାଇ ଛିଡା ହେଇଗଲାବେଳକୁ ସେ ବି ବାଦଲ ଭିତରେ କେତେବେଳେ ଲୁଚିଯାଉଛି। ପୁଣି କେତେବେଳେ ବାଦଲ ଉହାଡରୁ ଉଙ୍କି ମାରି ତଳକୁ ଦେଖୁଛି। ଯେମିତି ଦେଖୁଛି ଝରଣା ତଳକୁ ମୁଣ୍ଡ କରି ଚାରା ପୋତୁଛି ସେମିତେ ଅସରାଏ ବରଷି ଯାଉଛି। ସେଇ ଭିଜାଭିଜା ଦେହରେ ବର୍ଷାକୁ ଆଉ ଖାତିର ନକରି ଝରଣା ଚାରା ପୋତି ଚାଲିଛି। ପାଣି ଝରଝର ହେଇ ତା କପାଳରୁ ବହି ଆସି ଓଠ ଉପର ଦେଇ ତଳକୁ ଗଡି ଆସୁଛି। ସର୍ବାଙ୍ଗ ଝରଣାର ଏବେ ବର୍ଷାରେ ଓଦା। ଏ ବର୍ଷା ଝରଣାର ଆଉ କେଉଁ ଜାଗା ବାକି ରଖିନି ନଛୁଇଁକରି। ସେ ଭଲା ଏଇ ବର୍ଷା ହେଇଯାଆନ୍ତା। ଝରଣାର ଅଙ୍ଗେଅଙ୍ଗେ ଲାଗିରହିଥାନ୍ତା। ତା ଦେହର ସବୁ ବାସ୍ନାକୁ ଆଘ୍ରାଣ କରିନେଇଥାନ୍ତା। ତା ଓଠର ସବୁ ମଧୁକୁ ଚୁମି ଯାଇଥାନ୍ତା। କିନ୍ତୁ ନାଁ ,ଏମିତି ପଚାଶ ଫୁଟ ଦୂରରୁ ଲୁଚିଲୁଚି ଚାହିଁ ରହିବା ଛଡା ଆଉ ଉପାୟ ନାହିଁ। ଆଗରୁ ମଝିରେ ମଝିରେ ସେ ଯାଇପାରୁଥିଲା ଝରଣାର ଘରକୁ, ଯେତେବେଳେ ଝରଣାର ଭାଇ ଥିଲା। ଏବେ ବର୍ଷେ ହେବ ତା ଭାଇ ସୁରଟ କୁ ଚାଲିଯାଇଛି କିଛି ଟଙ୍କା ରୋଜଗାରର ଉଦ୍ଦେଶ୍ଯ ରେ।ସେହିଦିନରୁ ଝରଣାର ଘର ଭିତରକୁ ଯିବାର ସବୁ ରାସ୍ତା ବନ୍ଦ।ସେ ବି ସେଇଭଳି ଝିଅଟେ। ଘରୁ କୁଆଡେ ବାହାରେନି କେବଳ ସ୍କୁଲ ଛଡା। ଏବେ ତ ସ୍କୁଲ ଛୁଟି ଅଛି ।ଟିକେ ପଡିଶା ଘର ବୋଲି ବୁଲି ଆସିଲେ ହୁଅନ୍ତାନି। ନାଁ , ଜେମା ଦେଇଙ୍କର ଉପରେ କାହାର ନଜର କାଳେ ପଡିଯିବ। ନଆସେ ତୁ। ମୁଁ ଏମିତି ତୋତେ ଚାହିଁ ରହିଥିବି ଏଇ ଝରକା ଫାଙ୍କରୁ।ମନେମନେ ହାଲକା ରାଗିଯାଇ କହୁଥିଲା ମନୋଜ। ଝରଣା ର ବୋଧେ ଚାରାଲଗା ସରିଗଲା।ସେ ଉଠି ଛିଡାହେଲା। କାଦୁଅ ହାତରେ ଆଗକୁ ପଡିଥିବା ଚୁଟିକେରାକ ପଛକୁ ଭିଡିନେଇ କାନ ସନ୍ଧିରେ ଖୋସିଦେଲା।କାଦୁଅ ହାତରୁ ଟିକେ କାଦୁଅ ତା ଗାଲରେ ଲାଗିଗଲା। ଆହାଃ, ଯେମିତି ତୋଫା ଚାନ୍ଦ ମୁହଁରେ କଳାଟୀକା ଟିଏ କିଏ ଆଙ୍କିଦେଲା। ହେଉ ପଛେ କଳା ଟୀକା ,ତା ଝରଣା ଆହୁରି ସୁନ୍ଦର ଦିଶିଲା । ଯେମିତି ଚାନ୍ଦ ତା’ର କଳାଚିହ୍ନ ପାଇଁ ବେଶି ସୁନ୍ଦର ଦିଶେ ଠିକ୍ ସେମିତି। ଏଥର ଝରଣା ଚାରିପଟକୁ ବୁଲି ଚାହୁଁଥିଲା। ଚାରିପଟକୁ କହିଲେ ଠିକ୍ ହେବନି। କେବଳ ମନୋଜର ଘର ଆଡକୁ। ସେ ବି କ’ଣ ମନୋଜ ଭଳି ଲୁଚିଲୁଚି ମନୋଜକୁ ଦେଖୁଛି କି? ଚମକି ପଡିଲା ମନୋଜ। ଝରଣା ଆଖିରେ ଆଉ ଧରା ପଡିଯିବନି ତ? ତରବର ହେଇ ବହିଟିଏ ମୁହଁ ସିଧା ରଖିଦେଲା। ମନେମନେ ଭାବୁଥାଏ, ଧରାପଡିଲେ ପଡୁ।ସବୁ ଜାଣୁ ଝରଣା। ତା ମନ ତଳର ବ୍ଯଥା ବେଦନା ସବୁକିଛି ବୁଝୁ। ଦିନେ ହେଲେତ ସବୁ ତାକୁ ଖୋଲିକରି କହିବାକୁ ପଡିବ।ଯେବେ ଜାଣୁଛି ଜାଣୁ। ପୁଣି ଚମକି ଉଠିଲା ଘର ଭିତରେ ଝରଣା ବୋଉର ସ୍ବର ଶୁଣି। ବାରିପଟକୁ ଚାହିଁଲା ସେ ଝରଣା ଚାଲିଗଲାଣି କେତେବେଳୁ ଘର ଭିତରକୁ।ଏଥର ସେ କବାଟ ଖୋଲି ବାହାରକୁ ଆସିଲା। ଝରଣାର ବୋଉ ମଝିରେ ମଝିରେ ତାଙ୍କ ଘରକୁ ଆସେ। ତା ବୋଉ ସହ ଗପସପ ହୁଏ। ତାପରେ ଚାଲିଯାଏ। ସେଇ ସମୟ ତକ ମନୋଜ ବି ଟିକେ ଦୂରରେ ରହି ସେମାନଙ୍କ କଥା ସବୁ ଶୁଣୁଥାଏ।କାହିଁକିନା ସେଇ କଥାବାର୍ତ୍ତାରେ ରହିଥାଏ ଝରଣା ସମ୍ପର୍କିତ ଅନେକ ତଥ୍ଯ। ଯେମିତି କି ସେ କ’ଣ ଖାଇବାକୁ ଭଲ ପାଏ କ’ଣ ଖାଇବାକୁ ଭଲ ପାଏନି। ସେ କେମିତି ସ୍ବଭାବର। ସେ କେତେବେଳେ ରାଗେ କେମିତି ପୁଣି ବୁଝେ। ସେ ଘରେ କେତେ କ’ଣ କାମରେ ତା ବୋଉକୁ ସାହାଯ୍ଯ କରେ। ଏମିତି ଅନେକ କଥା। ଆଜି ବି କିଛି ତଥ୍ଯର ସନ୍ଧାନରେ ବାହାରକୁ ଆସି ଛିଡାହେଲା ମନୋଜ। ଚୁଲି ପାଖରେ ଗୋଟେ ପିଢା ପକେଇ ମନୋଜର ବୋଉ ଝରଣାର ବୋଉକୁ ବସିବାକୁ କହିଲେ।ଦୁଇଜଣ ଗୃହିଣୀଙ୍କର ସବୁଠୁ ଭଲ ବୈଠକ ଘର ହେଲା ସେମାନଙ୍କ ଚୁଲିମୁଣ୍ଡ। ସେଇଠି ଜଣେ କାମ କରୁଥିବ,ଆଉ ଜଣେ ଗପ ଯୋଡୁଥିବ। କଥାରେ କଥାରେ କାମର ବ୍ଯଥା ଜଣାପଡେନି।ମନୋଜର ବୋଉ ଆଉ ଝରଣାର ବୋଉ ସେଇମାନଙ୍କ ଭିତରୁ ଜଣେଜଣେ।
ମନୋଜର ବୋଉ ପଚାରିଲେ “ଆଲୋ କମଳୀ, ତୋର କ’ଣ ଏତେ ଶୀଘ୍ର ରୋଷେଇ ସରିଗଲାଣି?”
ହଁ ଅପା, ଝରା ଟା ହାତ ଲଗେଇଦେଉଛି ବୋଲି ସିନା।ତା’ର ସ୍କୁଲ ଖୋଲିଗଲେ ଆଉ କ’ଣ ଏତେ ଶୀଘ୍ର ସରିବ କି।
ତୋର ବଡ ଭାଗ୍ଯ ଲୋ, ଝିଅଟେ ଅଛି ବୋଲି ତୋ ହାତରେ ହାତ ମିଶେଇ ଦେଉଛି। ମୋର ତ ହାତରୁ କେତେବେଳେ କାମ ଛିଡୁନି। ସେଥିରେ ପୁଣି ଏ ପିଲାଙ୍କର ଖାଇଲା ବେଳକୁ ଏତିକି ବାଗ।
ସେ ସୁଖ ମୋର ଆଉ କେତେଦିନ ଅପା? ଝରା କ’ଣ ସବୁଦିନ ଏଇଠି ଏମିତି ମୋରି ପାଖରେ ଥିବ? ଝିଅ ଜନ୍ମ ତ ପର ଘରକୁ । ଯେମିତି ହେଲେ ସେ ଦିନେ ତା ଘରକୁ ଯିବ ନା ନାଇଁ।
ହଁ ଯେ ,ଏବେ ତ ତୋତେ ହାଲୁକା କରି ରଖିଛି ନା। ମୋର କେଉଁଦିନ ଏ ପିଲା ବାହା ହେବେ , ଘରକୁ ବୋହୂ ଆସିବେ। ସେମାନଙ୍କ ଉପରେ କେଉଁ ଗ୍ଯାରେଣ୍ଟି ଅଛି କାମରେ ସହଯୋଗ କରିବେ ବୋଲି।
ହଁ ଯେ ଅପା, ସେ ମୋତେ ହାଲକା କରିବା ଅପେକ୍ଷା ସେ ନିଜେ ହାଲକା ହେବା ବେଶି ଜରୁରୀ। କେଉଁଠି କେମିତି ଭଲ ଘରେ ତାକୁ ଦେବି ସେଇ ଚିନ୍ତା ମୋର। ଯେମିତି ଆମ ପରେ ସେ ଆଉ କଥାକଥାକେ ଭାଇ ଭାଉଜ ଉପରେ ନିର୍ଭର କରିବନି। ତା ସୁଖ ନେଇ ସେ ରହିବ। ସେଥିପାଇଁ ତ ବଳିଆ ଟା ପାଠପଢା ଛାଡି ସୁରଟ ଗଲା। କିଛିବର୍ଷ ସେଠି ରହି ଟଙ୍କା ପଇସା ଧରି ଆସିଲେ ଝରା କଥା ବିଚାର କରିବୁ। ଯେତେ ଟଙ୍କା ଲାଗୁପଛେ ମୋ ଝିଅକୁ ଚାକିରିଆ ଜ୍ବାଇଁ ଦେଖି ଦେବି।ପଛେ ମୁଁ ବନ୍ଧା ପଡେ।
ହଁ, ତୁ ଠିକ୍ କଥା କହିଛୁ।ବେରୋଜଗାରିଆ ଜ୍ବାଇଁ ହାତରେ ଝିଅକୁ ଦେବା ଯାହା, ଘରେ ବାହା ନକରି ରଖିବା ତାଠାରୁ ଶହେଗୁଣେ ଭଲ।
ଦୁଇ ଯାଆ ଆହୁରି ଅନେକ କଥା ହେଉଥିଲେ। ସେସବୁ କିଛି ମନୋଜ କାନରେ ପଶୁନଥିଲା।କେବଳ ଏତିକି କଥା ତା କାନରେ ବାରମ୍ବାର ଗୁଞ୍ଜରିତ ହେଉଥିଲା କି ଝରଣା ବାହାହେବ ତ ଚାକିରିଆ ପୁଅ କୁ। ତେଣୁ ଝରଣାକୁ ପାଇବାକୁ ହେଲେ ପ୍ରଥମେ କିଛି ରୋଜଗାର କରିବାକୁ ପଡିବ। ବାପାଙ୍କର ତ ଯାହା ସମ୍ପତ୍ତିବାଡି ଅଛି ନିଜେ ଚଳିବା କଷ୍ଟ।ବ୍ଯବସାୟ ପାଇଁ ସେ କେଉଁଠୁ ଆଣି କ’ଣ ଦେବେ। ସରକାରୀ ଚାକିରି ପାଇଁ ତା ଭଳି ହଜାର ହଜାର ପିଲା ବେକାର ହେଇବସିଛନ୍ତି ପାଉନାହାଁନ୍ତି। ସେ କିଭଳି ଆଶା କରିବ। ତା’ର ପୁଣି ଯେଉଁ ପାଠ ପଢା। ଏଇ ଝରକା ପାଖରେ ବସିବସି ତ ସମୟ ସବୁ ଗଲା। ଏଥର ଯୁକ୍ତ ଦୁଇ ପରୀକ୍ଷା ଦେଇଛି। ରେଜଲ୍ଟ ବାହାରିଲେ ଜଣା ପଡିବ କ’ଣ ହେଇଛି। ପାସ୍ ତ କରିଥିବ। ଏତିକି ନମ୍ବର ଯଥେଷ୍ଟ ନୁହେଁ ସରକାରୀ ଚାକିରିପାଇଁ। ତା ଠାରୁ ଆହୁରି କେତେ ଉପରେ ପିଲାମାନେ ଅଛନ୍ତି ବେକାର ହେଇ। ତେଣୁ ସେ ଆଶା ଛାଡି ଆଉ କିଛି ଭାବେ ମନୋଜ। ନିଜକୁ ନିଜେ କହୁଥିଲା ମନୋଜ। ହଁ ମନେ ପଡିଲା। ତା’ର ଯେଉଁ ସ୍ବାସ୍ଥ୍ଯ , ଯେଉଁ ଉଚ୍ଚତା, ସେ ଟିକେ ପରିଶ୍ରମ କଲେ ଭାରତୀୟ ସେନାରେ ନିଶ୍ଚୟ ନିଯୁକ୍ତି ପାଇଯିବ। ଝରଣାକୁ ପାଇବାକୁ ହେଲେ ଯେତେ ପରିଶ୍ରମ ପଡୁପଛେ ସେ କରିବାକୁ ପ୍ରସ୍ତୁତ।
ତା ପରଦିନ ଠାରୁ ମନୋଜର ପ୍ରସ୍ତୁତି ଆରମ୍ଭ ହେଇଗଲା। ଡିଆଁ କୁଦା ଦୌଡା ଦୌଡି ଠାରୁ ଯେତେ ଯାହା ଚେଷ୍ଟା କରିବା କଥା କଲା।ତାଙ୍କ ଗାଁର ଆଉଜଣେ ଭାଇଙ୍କ ଠାରୁ ମଧ୍ଯ ପରାମର୍ଶ ଆଣିଲା।ଶେଷରେ ଦିନେ ସେ କୃତକାର୍ଯ୍ଯ ହେଲା। ଭାରତୀୟ ସେନାରୁ ତାକୁ ନିଯୁକ୍ତି ପତ୍ର ଆସିଲା। ତା’ର ସ୍ବପ୍ନ ପୂରଣ ହେବାକୁ ଯାଉଛି। କିଛି ବର୍ଷର ଚାକିରି ପରେ ସେ ଘରକୁ ଆସିବ। ବଡ ଦମ୍ଭର ସହ ଝରଣାର ହାତ ତାଙ୍କ ଘରକୁ ଯାଇ ମାଗିବ। ହାତରେ ଏବେ ବହୁତ ସମୟ ଅଛି। ଝରଣା ଏବେ ମାତ୍ର ଷୋହଳ ବର୍ଷର ବାଳିକା। ଏତେ ଜଲଦି ତା’ର ବାହାଘର ହେବା ଅସମ୍ଭବ। ସେଇ ସମୟ ଭିତରେ ସେ ସେମାନଙ୍କ ପାଇଁ ସୁନ୍ଦର ଘରଟିଏ ବନେଇସାରିଥିବ। ବହୁତ ବଢିଆ ବଢିଆ ଜିନିଷରେ ତା ସ୍ବପ୍ନର ମହଲକୁ ସଜେଇ ଦେବ। ଯେମିତି ଫିଲ୍ମିରେ ସେ ଦେଖିଛି।ଶେଷରେ ତା ସ୍ବପ୍ନର ରାଜକୁମାରୀ କୁ ହାତଧରି ନେଇ ଆସିବ ସବୁଠାରୁ ଘରର ସୁନ୍ଦର ଜିନିଷ ଭାବେ। ତା ଘର ଅଗଣା ହସି ଉଠିବ। ଝରଣାର ପାଉଁଜି ସ୍ବରରେ ତା’ର ସମଗ୍ର ଘର ଝୁମିଉଠିବ। ସେ ବି ଝୁମିବ ସେଇ ସ୍ବରରେ। ମନେମନେ କେତେକଥା ଭାବି ଯାଉଥିଲା ମନୋଜ।
ମନୋଜ ଯାଇ ଚାକିରିରେ ଯୋଗଦେବା ଦଶ ମାସ ହେଲାଣି।ଘରକଥା ଝରଣା କଥା ବହୁତ ମନେ ପଡୁଛି। ହେଲେ ସେ ନାଚାର। ସେଇ ଝରଣାକୁ ପାଇବାକୁ ହେଲେ ଏମିତି କିଛି ଦିନ ତା ଠାରୁ ଦୂରେଇ ରହିବାକୁ ପଡିବ। ଟ୍ରେନିଂ ପରେ କିଛିଦିନ ଘରକୁ ଆସିବ। ଝରଣାକୁ ଦେଖିକରି ଯିବ। ଭାରି ହୁସିଆର ଝିଅ ସେ। ପାଖକୁ କ’ଣ ଆସିବ ନାଁ ପାଖକୁ ଯିବାକୁ ଦେବ। ସେଇ ଝରକା ପଟୁ ଯାହା ଦେଖିବ। ଆଉ ଟିକେ ବଡ ହେଇଯିବଣି ତା ମନର ମାନସୀ। କେମିତି ଦିଶୁଥିବ କେଜାଣି। ଆଉ ଅଳ୍ପ ଦିନର କଥା ତ। ମନକୁ ବୁଝେଇଦେଲା ମନୋଜ।
ଘରକୁ କିଛିଦିନ ପାଇଁ ଆସିଛି ମନୋଜ। ଆସିବା ଆଜିକୁ ଚାରିଦିନ ହେଲାଣି। କାଇଁ , ଝରଣାକୁ କେଉଁଠି ଦେଖିବାକୁ ପାଉନି? ମନଟା ଜମା ଭଲ ଲାଗୁନି। ଏତେ ଦୂରରେ ଥିଲା କିଛି ଲାଗୁନଥିଲା। ଏବେ ପାଖରେ ଅଛି ବୋଲି ଭାରି ବ୍ଯସ୍ତ ଲାଗୁଛି। ଏ ଝରଣା କୁଆଡେ ଗଲା କେଜାଣି।ସେଦିନ ଝରଣାର ବୋଉ ତାଙ୍କ ଘରକୁ ଆସିଥିଲେ। ତାଙ୍କ କଥାରୁ ଯାହା ବାରିଲା ଝରଣା କାଳେ ତା ମାମୁଁ ଘରକୁ ଯାଇଛି। ତା’ର ଏବର୍ଷ ଯୁକ୍ତ ଦୁଇ ପରୀକ୍ଷା ସରିଛି। ସେଥିପାଇଁ। ଛାତିଭିତରେ ଅତଡାଏ ନିଆଁ ଖସିଲା ଭଳି ଲାଗିଲା ମନୋଜକୁ। ଏବେ ଆଉ କରିବ କ’ଣ। ତା’ର ସବୁ ଆଶା ପାଣିରେ ପଡିଗଲା। ବହୁ କଷ୍ଟରେ ଛୁଟି ବିତେଇ ସାରି ସେ ଫେରିଗଲା ନିଜ କର୍ମସ୍ଥଳୀକୁ। ସେନାରେ ଚାକିରି ।ବାରମ୍ବାର ଛୁଟି ନାହିଁ ବୋଲି କେତେ ଆଶା ନେଇ ଯାଇଥିଲା ଏଥର ଛୁଟିଟା ବଢିଆ ଭାବରେ କଟେଇବ ବୋଲି । ଦେଖିଲା ବେଳକୁ କିଛି ହେଲାନି।ପୁଣି କେବେ ଛୁଟି ମିଳିବ କିଏ ଜାଣେ।
ମଝିରେ ମଝିରେ ମନୋଜ ଘରକୁ ଫୋନ୍ କରେ।ସପ୍ତାହକୁ ଥରେ । ଅନ୍ଯ ବେଳେ ପ୍ରାୟ ସମୟରେ ନେଟ୍ ୱର୍କ ପ୍ରାୟ ନଥାଏ ବୋଲି।ସେଦିନ ବି ଫୋନ୍ କରୁଥାଏ ତା ବୋଉ ପାଖକୁ ମନୋଜ।ମନୋଜର କଥା କିଛି ଶୁଭୁନଥାଏ ଭଲରେ ତା ବୋଉକୁ।
କ’ଣ ହେଇଛି ବୋଉ , କଥା କିଛି ଶୁଭୁନି କି ମୋର ତୋତେ।
ନାଇଁରେ ବାପା, ଏଠି ବାଜା ବାଛୁଛି ତ ସକାଳୁ କିଛି ଶୁଭୁନି।
ବାଜା?କ’ଣ ହେଉଛି କି ଗାଁରେ?
ଆରେ ଆଜି ଝରଣାର ବାହାଘର। ସେଥିପାଇଁ ତୂରୀ ମହୁରୀ ବାଜୁଛି।କିଛି କଥା ଶୁଭୁନି।
ଝରଣାର ବାହାଘର?ହାତରୁ ଫୋନ୍ ଖସି ପଡିଲା ତା’ର ।ସେ ସତ ଶୁଣୁଛି ତ।ଫୋନ୍ କଟିଯାଇଥିଲା।ତା ବୋଉ ଭାବୁଥିଲେ ବୋଧେ ଟାୱାର ନାହିଁ ବୋଲି ଫୋନ୍ କଟିଗଲା।କଥାକିନ୍ତୁ ଅଲଗା ଥିଲା ସେକଥା ମନୋଜ ଛଡା ଆଉ କେହି ଜାଣିପାରିଲେନି।ହଁ ଆଉ ଜଣେ ଜାଣିଲା ।ତା ପ୍ରିୟ ଡାଇରୀ।ଏଥର ପ୍ରେମର କବିତା ବଦଳରେ ବିରହ କବିତା ସବୁ ତା ଦେହରେ ଛାଇ ଯାଇଥିଲା।
ବହୁତ କଷ୍ଟରେ ନିଜକୁ ବୁଝେଇ ସ୍ବାଭାବିକ ହେଲା ମନୋଜ।କାରଣ ତା ଚାକିରି ହିଁ ସେମିତି।କିଛିଦିନ ପରେ ପୁଣି ଥରେ ସେ ଘରକୁ ଫେରିଲା। ବର୍ଷକୁ ଦୁଇଥର ଘରକୁ ଆସିବାର ସୁଯୋଗ ତାକୁ ମିଳେ।ସେଥିପାଇଁ ସେ ସୁଯୋଗ ସେ ହାତ ଛଡା କରିବାକୁ ଚାହୁଁନଥିଲା।ଝରଣା ତ ଗଲା ।ଏଥର ନିଜ ପରିବାର କଥା ତାକୁ ଭାବିବାକୁ ତ ପଡିବ ଯେମିତିହେଲେ। ଘରେ ପହଞ୍ଚିଲା ପରେ ଆଗର ସେ ଆଗ୍ରହ ଆଉ ତା ମନରେ ନଥିଲା।ଚାକିରିର ମୋହ ନଥିଲା।କେବଳ ଆବଶ୍ଯକତା ଥିଲା ବୋଲି କରୁଥିଲା ସେ।ସାଙ୍ଗ ସାଥି କେହି ଭଲ ଲାଗୁନଥିଲେ ତାକୁ।ସେମିତି ସେ ସେଇ ଝରକା ପାଖରେ ବସି ବିରହ କବିତା ମାନ ଲେଖେ । ନିଜେ ପଢେ। ନିଜେ ଲୁହ ଗଡାଏ।ସେଦିନ ବି କବିତା ଲେଖୁଲେଖୁ ଠିକ୍ ତାରି ଝରକା ପାକରେ ପାଉଁଜିର ଛମଛମ୍ ସ୍ବର ଶୁଭିଲା। ମୁଣ୍ଡ ଟେକି ଚାହିଁଲା ମନୋଜ।ଝରଣା!!ନିଜ ଆଖିକୁ ବିଶ୍ବାସ କରି ପାରୁନଥିଲା ମନୋଜ।କାହିଁ କେତେଦିନ ପରେ ସେ ଝରଣାକୁ ଦେଖୁଛି।କେତେ ସୁନ୍ଦର ଦିଶୁଛି ସେ ଲାଲ୍ ଟୁକୁଟୁକୁ ସାଧବ ବୋହୂଟେ ପରି।ଏଥର ତା ଚାଲିରେ ତାଳ ମିଶେଇଥିଲେ ହାତର ଚୁଡି ଆଉ ପାଦରେ ଆଗଠାରୁ ମୋଟା ଓ ଅଧିକ ଘୁଙ୍ଗୁର ବାଲା ପାଉଁଜି।ଅଧିକ ଛନ୍ଦାୟିତ ଶୁଭୁଥିଲା ତା ଚାଲି।ମନୋଜ ଆଖିରେ ଲୁହ ବୋଲ ମାନୁନଥିଲା।ଘରେ ଆସି ପହଞ୍ଚି ସାରି ସେ ଜାଣି ପାରିଛି ଝରଣା ବାହାଘରର ତରବରିଆ ନିଷ୍ପତ୍ତିର କାରଣ।ଗୋଟ ବହୁତ ଭଲ ଘରୁ ପ୍ରସ୍ତାବ ଆସିଥିଲା ,ଯେମିତିକା ଜ୍ବାଇଁ ଏମାନେ ଖୋଜୁଥିଲେ।ସେମାନଙ୍କର ମଧ୍ଯ ଝରଣା ଏକା ଥରକେ ପସନ୍ଦ ହେଇଯାଇଥିଲା।ଆଉ ପରିଣାମ ସ୍ବରୂପ ବାହାଘର ଦଶ ଦିନରେ କରାଗଲା।ଏଥିରେ ନିଜ ଭାଗ୍ଯ କୁ ଦୋଷ ଦେବା ଛଡା ମନୋଜ ନିକଟରେ କିଛି ଉପାୟ ନଥିଲା।କିଛିଦିନ ଯେମିତି ସେମିତି ଛୁଟି କଟେଇସାରି ସେ ପୁଣିଥରେ ଫେରିଗଲା।
ଏଥର ଫେରିଲା ପ୍ରାୟ ତିନିବର୍ଷ ପରେ।କାରଣ ଘରକୁ ଆସିବାର ଆଗ୍ରହଟା ତା’ର ମରିଯାଇଥିଲା।ବୋଉର ଦେହ ଖରାପ କଥା ଶୁଣି ବାଧ୍ଯ ହେଇ ଆସିଲା ଯାହା।ଘରେ ଆସି ବୋଉକୁ ନେଇ ଡାକ୍ତରଖାନା ଯିବା ଆସିବା ବ୍ଯସ୍ତତା ଭିତରେ ପୁରୁଣା କଥା ସେ ପାଶୋରି ଯାଇଥିଲା।କିନ୍ତୁ କଥା ପୁଣି ଥରେ ମନେପଡିବାକୁ ବାଧ୍ଯ ହେଲା ହଠାତ୍ ଝରଣାକୁ ବାରିପଟେ ଦେଖିକରି।ଏଥର ସବୁଠାରୁ ଆଶ୍ଚର୍ଯ୍ଯ ହେଲାଭଳି ଘଟଣା ଥିଲା।ଝରଣାର ନିଶବ୍ଦ ଚାଲି, ରଙ୍ଗହୀନ ବେଶଭୂଷା ଓ ପରିପାଟୀ ଦେଖିକରି।ଚଟ୍ କରି ଭିତର ଘରକୁ ଯାଇ ସେ ପଚାରିଲା ତା ବୋଉକୁ ଏହାର କାରଣ। ତା ବୋଉ କେବଳ ଏତିକି କହିଲେ ” କାହାପାଇଁ ଆଉ ବେଶ ଭୂଷା ସଜବାଜ ହେବ ସେ।ଯାହା ପାଇଁ ହେଉଥିଲା ତା ଆଖିକୁ ତ ସେ ସୁନ୍ଦର ଦିଶିଲାନି,ଆଉ କାହାପାଇଁ ହେବ”।
ମାନେ ?ପଚାରିଲା ମନୋଜ।
ସେ ପୁଅ କୁଆଡେ ଆଉ ଜଣକୁ ଭଲ ପାଇ ରଖିଛି।ଏକୁ ଆଡ ଆଖିରେ ବି ଚାହୁଁନି। ବିଚରା ଛୋଟ ପିଲାଟାର ଭବିଷ୍ଯତ ଅନ୍ଧାର କରିଦେଲା ସେ ପୋଡାମୁହାଁ।ବଳିଆ ଯାଇ ଏକୁ ନେଇ ଆସିଛି ଦୁଇବର୍ଷ ହେଲାଣି।ସେ ବି ସାଡେ ବାହାହେଇ ଗଲାଣି ଆଉଗୋଟେ।
ସବୁକିଛି ଆଶ୍ଚର୍ଯ୍ଯ ଲାଗୁଥିଲା ମନୋଜକୁ।ଏସବୁ କାହିଁକି ହେଉଛି କିଛି ବୁଝିପାରୁନଥିଲା ସେ।ଏତିକି ବୁଝିଲା ଯାହା ହେଇଛି ଭଲ ହେଇଛି।ଭଗବାନ୍ ତାକୁ ଆଉଥରେ ସୁଯୋଗ ଦେଉଛନ୍ତି।ସେ ଏଥର ସୁଯୋଗ ହାତଛଡା କରିବନି କୌଣସି ମତେ।ତା ଆଖିରେ ଗୋଟେ ଚମକ୍ ଦିଶୁଥିଲା ।ତାକୁ ପଢିନେଇଥେଲେ ତା ବୋଉ। ସେ ଚଟ୍ କରି ସେଠୁ ବାହାରି ଯାଇ ନିଜ ସୁଟ୍ କେଶ୍ ରୁ ତା ବୋଉ ପାଇଁ ଆଣିଥିବା ପାଟ ଶାଢୀ ସହିତ ତା ବୋଉକୁ ଧରି ପହଞ୍ଚିଲା ଝରଣା ପାଖରେ।ତାକୁ କିଛି କହିବାକୁ ପଡିଲାନି।ସବୁ କହିଲେ ତା ବୋଉ। ସେ କେବଳ ପାଟ ଶାଢୀଟିକୁ ଝରଣା ମୁଣ୍ଡରେ ଢାଙ୍କି ଦେଇଥିଲା।ପୁଣିଥରେ “ପାଟ ଓଢଣୀ”ରେ ଝରଣା ଦିଶୁଥିଲା ଆଗଠାରୁ ଆହୁରି ସ୍ବଚ୍ଛ,ଆହୁରି ସୁନ୍ଦର ଠିକ୍ କଳକଳ ଜଙ୍ଗଲୀ ଝରଣା ଟିଏ ପରି।