
କରୋନା ମହାମାରୀକୁ ଚେକ୍ ଦେବା ପାଇଁ ଏକମାତ୍ରା ଆଶା ଏବଂ ଭରସା ହେଉଛି ଟିକା। ଭାରତ ସମେତ ବିଭିନ୍ନ ଦେଶରେ କରୋନା ଟିକାକରଣ ଚାଲିଥିବା ବେଳେ ଅନେକ ଛୋଟ ଛୋଟ ଦେଶ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କରୋନା ଭ୍ୟାକସିନ୍କୁ ନେଇ ଅସୁବିଧାର ସାମ୍ନା କରୁଥିବା ଗରିବ ଦେଶ ଏବେ ଟିକା ପାଇପାରିବେ। ଏହାର କାରଣ ଆମେରିକା କୋଭିଡ ଭ୍ୟାକସିନ୍ ଉପରେ ପେଟେଣ୍ଟ(ଉଦ୍ଭାବନ ସାମଗ୍ରୀକୁ ଅନ୍ୟତ୍ର ତିଆରି କରିବାକୁ ମୂଳ ଉଦ୍ଭାବକଙ୍କ ଆବଶ୍ୟକ ଅନୁମତି) ସୁରକ୍ଷା ହଟାଇବାକୁ ନେଇ ଭାରତ ଏବଂ ଦକ୍ଷିଣ ଆଫ୍ରିକାର ପ୍ରସ୍ତାବକୁ ବିଶ୍ବ ବାଣିଜ୍ୟ ସଂଗଠନ (WTO)ରେ ସମର୍ଥନ ଜଣାଇଛି।
ଭ୍ୟାକସିନ୍ ସପ୍ଲାଏ ବଢ଼ାଇବା ପାଇଁ ପେଟେଣ୍ଟକୁ ଅସ୍ଥାୟୀ ଭାବେ ଉଠାଇ ଦିଆଯିବା ଦରକାର ବୋଲି ପ୍ରସ୍ତାବରେ କୁହାଯାଇଛି। ଭ୍ୟାକସିନ୍କୁ ବୌଦ୍ଧିକ ସମ୍ପତ୍ତି ଅଧିକାରରୁ ଅଲଗା ରଖିବାକୁ ନେଇ ବିଶ୍ବ ବାଣିଜ୍ୟ ସଂଗଠନର ପରାମର୍ଶ ତଥା ଭାରତର ପ୍ରସ୍ତାବକୁ ସମର୍ଥକ କରୁଛୁ ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ପ୍ରକୃତରେ ଭାରତ ଚାହୁଁଛି କରୋନା ଭ୍ୟାକସିନ୍ ତିଆରି ପାଇଁ ବିଶ୍ବର ଅନ୍ୟ ଫାର୍ମା କମ୍ପାନୀ ଆଗ୍ରହ ପ୍ରକାଶ କରନ୍ତୁ ଏବଂ ଆଗକୁ ଆସନ୍ତୁ।
ପିଟିଆଇ ଅନୁସାରେ, ଭାରତ ପକ୍ଷରୁ WTOରେ ଦାବି କରାଯାଇଥିଲା ଫର୍ମା କମ୍ପାନୀଗୁଡ଼ିକୁ ଭ୍ୟାକସିନ୍ ତିଆରି ପାଇଁ ଅନୁମତି ମିଳୁ। କିନ୍ତୁ ଭାରତର ଏହି ପ୍ରସ୍ତାବକୁ ବିଶ୍ବର ବହୁ ବଡ଼ ବଡ଼ ଫାର୍ମା କମ୍ପାନୀ ବିରୋଧ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଡେମୋକ୍ରେଟିକ୍ ସାଂସଦ ଏବଂ ଅନ୍ୟ ଦେଶର ଚାପ ଫଳରେ କୋଭିଡ ଭ୍ୟାକସିନ୍ ପେଟେଣ୍ଟ ଛାଡ଼ କରିବା ଉପରେ ଅସ୍ଥାୟୀ ସମର୍ଥନ ଜଣାଇଛନ୍ତି। ପେଟେଣ୍ଟରେ ଛାଡ଼ ମିଳିବା ପରେ ଆଣ୍ଟି କୋଭିଡ ଭ୍ୟାକସିନ୍ ଉତ୍ପାଦନକୁ ବଳ ମିଳିବ ବୋଲି କୁହାଯାଉଛି।ସେପଟେ ବାଇଡେନ ପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରୁଥିବା ବଡ଼ ବଡ଼ ଫାର୍ମା କମ୍ପାନୀଙ୍କ କହିବା କଥା ହେଲୋ, ପେଟେଣ୍ଟ ଛାଡ଼ ହେବା ଦ୍ବାରା ଉତ୍ପାଦନ ବୃଦ୍ଧି ହେବ ନାହିଁ। କଣ୍ଟ୍ରାକ୍ଟରମାନଙ୍କ ପାଖରେ ଟେକନୋଲୋଜିର ଅଭାବ ରହିଛି ଫାର୍ମା କମ୍ପାନୀ ପକ୍ଷରୁ କୁହାଯାଇଛି। ଆମେରିକାର ବାଣିଜ୍ୟ ପ୍ରତିନିଧି କ୍ୟାଥରିନ୍ ତାଇ କହିଛନ୍ତି, ଜୋ ବାଇଡେନ୍ ପ୍ରଶାସନ ବୌଦ୍ଧିକ ସମ୍ପତ୍ତିର ସୁରକ୍ଷାକୁ ସମର୍ଥନ କରୁଛନ୍ତି। କିନ୍ତୁ ଭ୍ୟାକସିନ୍ ପେଟେଣ୍ଟରେ ଛାଡ଼ କେବଳ କରୋନା ମହାମାରୀ ସହ ମୁକାବିକଲା ପାଇଁ ଦିଆଯାଉଛି।