ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

୫୮୧ କେଜି ଗଞ୍ଜେଇ ଖାଇ ପୁଲିସ୍‌କୁ ନାକେଦମ କଲେ ମୂଷା

ଲକ୍ଷ୍ନୌ: ପୁଲିସ୍‌କୁ ଦେଖିଲେ ଲୋକଙ୍କର ଝାଳ ବୋହିଯାଏ, ସାମାନ୍ୟ ମୂଷା କିନ୍ତୁ ପୁଲିସ୍‌କୁ ନାକେଦମ କରିଦେଇଛନ୍ତି। ପୁଲିସ୍‌ ନାକ ତଳୁ ଗଞ୍ଜେଇ ଚୋରି କରି ଖାଇଗଲେ ମୂଷା, ହେଲେ କିଛି କରି ପାରିଲେନି ଖାକି ବର୍ଦ୍ଦିଧାରୀ ଅଫିସର ଓ କର୍ମଚାରୀ। ପୁଲିସ୍‌ ହେପାଜତରେ ଥିବା ପ୍ରାୟ ୫୮୧ କେଜି ଗଞ୍ଜେଇକୁ ମୂଷା ଖାଇ ସାରିଥିବା ବେଳେ ପୁଲିସ୍‌ ହାତ ଏବେ ଖାଲି। କୋର୍ଟରେ ମୂଷା ନାଁ ନେଇ ପୁଲିସ୍‌ ନିଜ ଅସହାୟତା ପ୍ରକାଶ କରିଥିବା ବେଳେ ଏହାର ପ୍ରମାଣ ମାଗିଛି କୋର୍ଟ। ଏପରି ଅଜବ ଘଟଣା ଘଟିଛି ଉତ୍ତରପ୍ରଦେଶର ମଥୁରାରେ।

ସୂଚନା ଅନୁସାରେ, ମଥୁରା ଅଞ୍ଚଳର ଶେରଗଡ ଏବଂ ହାଇୱେ ପୁଲିସ୍‌ ଷ୍ଟେସନ ଅଧୀନରୁ ୨ଟି ମାମଲାରେ ପ୍ରାୟ ୫୮୧କେଜି ଗଞ୍ଜେଇ ଜବତ ହୋଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬୦ ଲକ୍ଷରୁ ଅଧିକ ହେବ ବୋଲି ଜଣାଯାଇଛି। ଏହି ଗଞ୍ଜେଇକୁ ମଥୁରା ପୁଲିସ୍‌ ଷ୍ଟେସନ ଗୋଦାମରେ ରଖାଯାଇଥିଲା। କୋର୍ଟରେ ଏନେଇ ଜବତ ଗଞ୍ଜେଇର ସାମ୍ପଲ ବି ପ୍ରଡ୍ୟୁସ କରାଯାଇଥିଲା।

ହେଲେ କିଛି ଦିନ ପୂର୍ବେ କୋର୍ଟରେ ଜବତ ସମସ୍ତ ଗଞ୍ଜେଇ ପ୍ରଡ୍ୟୁସ୍‌ କରିବାକୁ ଅର୍ଡର ଦିଆଗଲା। ଏହାଶୁଣି ପୁଲିସ୍‌ ହାଲତ ଖରାପ ହୋଇଗଲା। କାରଣ ପୁଲିସ୍‌ ଗୋଦାମ ଘରେ ଥିବା ଗଞ୍ଜେଇକୁ ମୂଷା ଖାଇ ସଫା କରି ସାରିଥିବା ବେଳେ ଏବେ ପ୍ରମାଣ ସ୍ୱରୂପ କେବଳ ବସ୍ତା ପଡ଼ି ରହିଛି।

ପୁଲିସ୍‌ ପକ୍ଷରୁ ଏନେଇ କୋର୍ଟଙ୍କୁ ଅବଗତ କରାଯାଇଥିବା ବେଳେ କୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଏହା କିପରି ସମ୍ଭବ ହେଲା ବୋଲି ପଚାରିବା ସହ ପୁଲିସ୍‌ର ଦାୟିତ୍ୱହୀନତାକୁ ଦାୟୀ କରି ବର୍ଷିଥିଲେ। ଏଥିସହ ମୂଷା ସବୁ ଗଞ୍ଜେଇ ଖାଇଦେଇଥିବାର ପ୍ରମାଣ କୋର୍ଟରେ ପ୍ରଡ୍ୟୁସ୍‌ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଆଗାମୀ ୨୬ ତାରିଖରେ ଏହାର ଶୁଣାଣି ଅଛି। ଏଥିସହ ଆଗାମୀ ଦିନରେ ଯେପରି ଏପରି ଘଟଣାର ପୁନରାବୃତ୍ତି ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ଓ ତୁରନ୍ତ ଥାନା ଓ ଗୋଦାମ ଘରୁ ମୂଷା ସଫା କରିବାକୁ କୋର୍ଟ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି।

Show More

Related Articles

Back to top button