ଏଣିକି ଫ୍ଲିପ୍କାର୍ଟରେ ଉପଲବ୍ଧ ହେବ ସମ୍ବଲପୁରୀ ଶାଢ଼ି,ଆଇଆଇଏମ୍ ସମ୍ବଲପୁର ଓ ସିଡ୍ବି ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ

ଦିନକୁ ଦିନ ସମ୍ବଲପୁରୀ ଶାଢ଼ିର ଚାହିଦା ବଢିବାରେ ଲାଗିଛି । ଏହାକୁ ସମସ୍ତେ ବ୍ୟବହାର କରିବାକୁ ଭଲପାଇଥାଆନ୍ତି । ତେବେ ଏଥିପାଇଁ ଆଉ ଦୂର ସ୍ଥାନକୁ ଯିବାକୁ ପଡିବନାହିଁ । କାରଣ ଏହା ହାତ ପାହାନ୍ତାରେ ମିଳିବାକୁ ଯାଉଛି । ଏଣିକି ଫ୍ଲିପ୍କାର୍ଟରେ ଉପଲବ୍ଧ ହେବ ସମ୍ବଲପୁରୀ ଶାଢ଼ି । ଏଥିପାଇଁ ଆଇଆଇଏମ୍ ସମ୍ବଲପୁର ଓ ସିଡ୍ବି ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି ।
ଏହା ଦ୍ବାରା ସମ୍ବଲପୁରୀ ଶାଢ଼ି ଓ ଏହାର ବୁଣାକାରମାନଙ୍କୁ ଏକ ବଡ଼ ବଜାର ମିଳିବ। ବୁଣାକାର ଓ ଶିଳ୍ପୀମାନଙ୍କ ଔଦ୍ୟୋଗିକ ଦକ୍ଷତା ବୃଦ୍ଧି ପାଇଁ ଆଇଆଇଏମ୍ ସମ୍ବଲପୁର ଓ ସିଡ୍ବି ମଧ୍ୟରେ ମଧ୍ୟ ଏକ ଚୁକ୍ତି ସ୍ବାକ୍ଷର ହୋଇଛି। ଫ୍ଲିପକାଟ୍ର ପୂର୍ବାଞ୍ଚଳ ନିର୍ଦ୍ଦେଶକ ଆକାଶ ମିଶ୍ର ଏବଂ ଆଇଆଇଏମ୍ ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ବାଲ ଚୁକ୍ତିରେ ସ୍ୱାକ୍ଷର କରିଥିଲେ।
ଶ୍ରୀ ଜୟସ୍ବାଲ କହିଛନ୍ତି ଯେ ବୁଣାକାରମାନଙ୍କ ଘରୁ ତାଙ୍କ ଉତ୍ପାଦିତ ସାମଗ୍ରୀ ସଂଗ୍ରହ, ତାହାର ଉପଯୁକ୍ତ ପ୍ୟାକିଂ ସହିତ ନିର୍ଦ୍ଦିଷ୍ଟ ଗ୍ରାହକଙ୍କ ପାଖରେ ପହଞ୍ଚାଇବା ଏବଂ ଆବଶ୍ୟକ ସ୍ଥଳେ ତାହା ଫେରାଇ ଆଣିବାକୁ ଫ୍ଲିପକାର୍ଟ ଚୁକ୍ତିବଦ୍ଧ ହୋଇଛି।