Breaking PLUSଓଡ଼ିଶାମୁଖ୍ୟ ଖବର

କୋଭିଡରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିବେ ରାଜ୍ୟ ସରକାର

ସ୍ୱତନ୍ତ୍ର ମୋବାଇଲ ଆପ୍ 'କ୍ୟାପ୍ସ' ଯୋଗେ ମଧ୍ୟ ମିଳିପାରିବ ଏହି ରାଶି

ରାଜ୍ୟରେ କୋଭିଡ ମୃତକଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା । ପ୍ରତ୍ୟେକ ପରିବାରକୁ ୫୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ । ଏଥିପାଇଁ ମୃତକଙ୍କ ପରିବାର ପକ୍ଷରୁ ଆବେଦନ କରିବାକୁ ହେବ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆବେଦନକାରୀଙ୍କୁ ଏଥିପାଇଁ କୋଭିଡ ପଜିଟିଭ୍ ସାର୍ଟିଫିକେଟ ସହିତ ମୃତ୍ୟୁ ପ୍ରମାଣ ପତ୍ର ସହ ଆବେଦନ କରିବାକୁ ହେବ । ପରେ ଆବେଦନକାରୀଙ୍କୁ ମିଳିବ କୋଭିଡ ଜନିତ ମୃତ୍ୟୁ ସାର୍ଟିଫିକେଟ । ସାର୍ଟିଫିକେଟ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନଲାଇନ୍ ଓ ଅଫଲାଇନ୍ ଯେକୌଣସି ଗୋଟିଏ ଫର୍ମାଟରେ ଆବେଦନ କରିବାକୁ ହେବ । ଆବେଦନ କରିବାର ମାସକ ମଧ୍ୟରେ ସମ୍ପୃକ୍ତ ପରିବାରକୁ ୫୦ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ମିଳିବ । ଏଥିପାଇଁ ଏକ ଟୋଲ ଫ୍ରି ନମ୍ବର ୧୫୫୩୩୫ ଜାରି କରାଯାଇଛି ।

ସୂଚନାଯୋଗ୍ୟ, ଏନେଇ ପୂର୍ବରୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ନିକଟତମ ସମ୍ପର୍କୀୟଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ରହିଛି । ଏହି ଆର୍ଥିକ ସହାୟତା ପ୍ରଦାନ ପ୍ରକ୍ରିୟାକୁ ସୁଗମ କରିବାକୁ ସରକାର ଏକ ସ୍ୱତନ୍ତ୍ର ମୋବାଇଲ ଆପ୍ ‘କ୍ୟାପ୍ସ’ ପ୍ରସ୍ତୁତ କରିଛନ୍ତି ।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ ଜିଲ୍ଲାପାଳ ଏହି ଆପ ମାଧ୍ୟମରେ ହିତାଧିକାରୀ (ମୃତକଙ୍କ ନିକଟ ସଂପର୍କୀୟ)ଙ୍କୁ ଏହି ସହାୟତା ରାଶି ପ୍ରଦାନ କରିବେ । ସହାୟତା ରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ । ଲୋକମାନେ ଏହି ସହାୟତା ରାଶି ପାଇବା ପାଇଁ ଆସନ୍ତା ୩ତାରିଖରୁ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିପାରିବେ । ଆବେଦନ ନିର୍ଦ୍ଦିଷ୍ଟ ଫର୍ମାଟରେ ଅନଲାଇନରେ କିମ୍ବା ଅଫଲାଇନରେ ଡାକ ମାଧ୍ୟମରେ କରିପାରିବେ । ସେମାନେ ଆବେଦନ ଫର୍ମ ସହ କୋଭିଡ୍ ମୃତ୍ୟୁ ପ୍ରମାଣପତ୍ର ଓ ଅନ୍ୟାନ୍ୟ ଆବଶ୍ୟକୀୟ କାଗଜପତ୍ର ସଂଲଗ୍ନ କରିବେ । ଗୋଟିଏ କୋଭିଡ୍ ମୃତ୍ୟୁ ପାଇଁ ଗୋଟିଏ ଆବେଦନ ପତ୍ର ଦାଖଲ କରାଯାଇପାରିବ । ଆବେଦନ ପତ୍ର ପାଇବା ପରେ ଜିଲ୍ଲାପାଳ ତାହାର ଏକ କପି ତହସିଲଦାରଙ୍କ ନିକଟକୁ ଯାଞ୍ଚ ପାଇଁ ପଠାଇବେ । ତହସିଲଦାର ମୃତକଙ୍କ ନିକଟ ସଂପର୍କୀୟଙ୍କୁ ଚିହ୍ନଟ କରିବା ସହ ତାଙ୍କର ବ୍ୟାଙ୍କ ଖାତା ସଂପର୍କିତ ତଥ୍ୟ ହାସଲ କରି ଉପଜିଲ୍ଲାପାଳଙ୍କ ନିକଟକୁ ପଠାଇବେ । ଉପଜିଲ୍ଲାପାଳ ନିଜର ମନ୍ତବ୍ୟ ସହ ଆବେଦନକୁ ଏଡିଏମଙ୍କ ଜରିଆରେ ଜିଲ୍ଲାପାଳଙ୍କ ନିକଟକୁ ପଠାଇବେ । ଏହା ପରେ ଜିଲ୍ଲାପାଳ ଆବେଦନକୁ ମଞ୍ଜୁର କରିବେ ।

Show More

Related Articles

Back to top button