ବଲିଉଡ୍ ଅଭିନେତା ସଲିମ ଘୋଷଙ୍କ ପରଲୋକ
ହୃଦଘାତ ଯୋଗୁଁ ସେ ପ୍ରାଣ ହରାଇ ଥିବା ସୂଚନା ମିଳିଛି ।
ମୁମ୍ବାଇ: ବଲିଉଡ୍ ଅଭିନେତା ସଲିମ ଘୋଷଙ୍କର ଗୁରୁବାର ସକାଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ହୃଦଘାତ ଯୋଗୁଁ ସେ ପ୍ରାଣ ହରାଇ ଥିବା ସୂଚନା ମିଳିଛି । ଟେଲିଭିଜନ ଶୋ ‘ଭାରତ ଏକ ଖୋଜ୍ ଏବଂ ସିନେମା ସର୍ଦ୍ଦାରୀ ବେଗମ ଓ ସୋଲଜରରେ ସଲିମଙ୍କ ବଳିଷ୍ଠ ଅଭିନୟ ତାଙ୍କୁ ବେଶ ଲୋକ ପ୍ରିୟ କରିପାରିଥିଲା। ବୁଧବାର ସଲିମଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଗତକାଲି ରାତିରେ ତାଙ୍କୁ କୋକିଲାବେନ ଧିରୁ ବାଈ ଆମ୍ବାନି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି। ୧୯୭୮ ମସିହାରେ ସ୍ୱର୍ଗ ନର୍କ ଚଳଚ୍ଚିତ୍ରରେ ଅଭିନୟ କରି ଫିଲ୍ମ ଦୁନିଆରେ ଡେବ୍ୟୁ କରଥିଲେ ସଲିମ ।
ପରେ ଶ୍ୟାମ ବେଙ୍ଗଲ, ମନ୍ଥନ, କଲିୟୁଗ୍, ସର୍ଦ୍ଦାରୀ ବେଗମ ଏବଂ ମହେଶ ଭଟ୍ଟଙ୍କ ସାରାସଂ ଓ ସଇଦ ଅକତାର ମିର୍ଜାଙ୍କ ପ୍ରଜୋଜିତ ‘ମୋହ ଜୋଶୀ ହାଜିର ହୋ’ ସିନେମାରେ ତାଙ୍କ ନିଖୁଣ ଅଭିନୟ ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଥିଲା। ଜଣେ ପ୍ରସିଦ୍ଧ ଟେଲି କଳାକାର ଭାବେ ସଲିମ ୧୯୮୭ରେ ଲୋକପ୍ରିୟ ଟିଭି ସୋ ‘ସୁବହ’ରେ ସେ ଅଭିନୟ କରିଥିଲେ। ଏଫଟିଆଇଆଇରୁ ଗ୍ରାଜୁଏଟ ସଲିମଙ୍କ ‘ଭାରତ ଏକ ଖୋଜ’ ଭଳି ଫିଚର ଫିଲ୍ମରେ ଅଭିନୟର ଯାଦୁ ଅତ୍ୟନ୍ତ ଚମତ୍କାର। ଏହି ଫିଲ୍ମରେ ସେ ରାମ ଏବଂ କୃଷ୍ଣ ଭୂମିକାରେ ଅଭିନୟ କରିଥିଲେ। ସେ ଏକାଧାରରେ ଜଣେ ଅଭିନେତା ସାଙ୍ଗକୁ ଜଣେ ଜଣାଣୁଣା ଭଏସ ଆର୍ଟିଷ୍ଟ ମଧ୍ୟ। ତାଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି।