ଦେଶରାଜନୀତିସ୍ୱତନ୍ତ୍ର

ପଶ୍ଚିମ ଓଡିଶା ପାଇଁ ୯ଟି ପ୍ରକଳ୍ପ ଲୋକାର୍ପିତ କରିବା ସହ ଆଉ ୯ଟି ପ୍ରକଳ୍ପ ପାଇଁ ଭିତ୍ତିଭୂମି ରଖିଛନ୍ତି ସରକାର

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୧୪.୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୯ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି । ଏଥିସହିତ ସେ ୩୩.୬୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମୁଦାୟ ପ୍ରକଳ୍ପ ପାଇଁ ୪୮.୩୭ କୋଟି ଟଙ୍କା ବିନିଯୋଗ କରାଯାଉଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଲୋଗୋ ଉନ୍ମୋଚନ ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପର୍ଯ୍ୟାଲୋଚନା ନିମନ୍ତେ ପରିଷଦ ଦ୍ୱାରା ପ୍ରସ୍ତୁତ ଏକ ମନିଟରିଂ ଆପ୍ଲିକେସନ୍‌ର ମଧ୍ୟ ଶୁଭାରମ୍ଭ କରିବେ।

ଲୋକାର୍ପିତ ହୋଇଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି ବରଗଡ଼ ଜିଲାର ପଦ୍ମପୁରସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷ, ବଲାଙ୍ଗିର ଜିଲାର ସଦର ମହକୁମାଠାରେ ଏକ କଲ୍ୟାଣ ମଣ୍ଡପ, ଟିଟିଲାଗଡ଼ ବାଳକ ଉଚ୍ଚ ବିଦ୍ୟାଳୟର ଏକାଡେମିକ୍‌ ବ୍ଲକ୍‌, ବୌଦ୍ଧ ଜିଲା ସଂଗ୍ରହାଳୟର ସମ୍ପ୍ରସାରଣ, ଦେବଗଡ଼ ଜିଲାର ସାଂସ୍କୃତିକ ପ୍ରେକ୍ଷାଳୟ ତଥା କ୍ରୀଡ଼ା କକ୍ଷ, ଝାରସୁଗୁଡ଼ାର ମରାକୁଟାଠାରେ କହ୍ନେଇନାଳ ଉପରେ ପୋଲ, ଭବାନୀପାଟଣା ଟାଉନ୍‌ ହଲ ଓ ଜୁନାଗଡ଼ ଏନ୍‌ଏସିଠାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଷ୍ଟାଡିୟମ୍‌ ଏବଂ ନୂଆପଡ଼ାର କୋମନାଠାରେ ମାଣ୍ଡିଆ ଆଦି ଶସ୍ୟର ପ୍ରକ୍ରିୟାକରଣ ।

ସେହିପରି ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲାର ଡେବ୍ରିଗଡ଼ ଅଭୟାରଣ୍ୟ ସନ୍ନିକଟ ବାରବଖରା ଜଳପ୍ରପାତ ଓ ଗୁମ୍ଫା ନିକଟରେ ଇକୋ ପଯର୍‌ୟଟନ ସ୍ଥଳୀର ବିକାଶ, ବରଗଡ଼ ସହରରେ ଏକ ପାଞ୍ଚଶହ ଆସନବିଶିଷ୍ଟ ପ୍ରେକ୍ଷାଳୟ, ପଦ୍ମପୁରଠାରେ ବଡ଼ବନ୍ଧର ପୁନରୁଦ୍ଧାର, ସୌନ୍ଦର୍ଯ୍ୟକରଣ ଓ ଆଲୋକୀକରଣ, ବରଗଡ଼ ସହରର ବିକାଶ ବିଦ୍ୟାଳୟଠାରୁ ହଳଦୀପାଲି ଛକ ପର୍ଯ୍ୟନ୍ତ ସିମେଣ୍ଟ କଂକ୍ରିଟ ଡ୍ରେନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆଞ୍ଚଳିକ ବୈଷମ୍ୟ ଦୂର କରିବାର ଲକ୍ଷ୍ୟ ନେଇ ରାଜ୍ୟ ସରକାର ପଶ୍ଚିମ ଓଡିଶାର ବିକାଶ ଉପରେ ଗୁରୁତ୍ବ ଦେଇ କାମ କରୁଛନ୍ତି । ୨୦୦୦ ମସିହାରୁ ଏପର୍ଯ୍ୟନ୍ତ ପଶ୍ଚିମ ଓଡିଶା ବିକାଶ ପରିଷଦ ଜରିଆରେ ପ୍ରାୟ ୪୦ ହଜାର ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯାଇଛି। ଗତବର୍ଷ ପରିଷଦର ବାର୍ଷିକ ଅନୁମୋଦନକୁ ୧୦୦ କୋଟିରୁ ୨୦୦ କୋଟିକୁ ବୃଦ୍ଧି କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ଅଧିକ ପ୍ରକଳ୍ପ ହାତକୁ ନେବା ପାଇଁ ସୁଯୋଗ ସୃଷ୍ଟି କରିଛି ।

ପଶ୍ଚିମ ଓଡିଶାର ବିକାଶ ପାଇଁ ଭିତ୍ତିଭୂମି ସହିତ କୃଷି, ଜଳସେଚନ ଓ ଶିଳ୍ପ ଉପରେ ଆମେ ବିଶେଷ ଜୋର ଦେଉଛୁ । ତାସହିତ ପର୍ଯ୍ୟଟନ ଓ ହସ୍ତତନ୍ତ ଆଦିର ବିକାଶ ପାଇଁ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ ହେଉଛି। ସେହିପରି ହରିଶଙ୍କର, ନୃସିଂହନାଥ ଓ ମା ସମଲେଇ କ୍ଷେତ୍ରର ବିକାଶ ପାଇଁ ମଧ୍ୟ କାମ ଚାଲିଛି ବୋଲି ସେ କହିଥିଲେ। ବିଜୁ ଏକ୍‌ସପ୍ରେସ୍‌ ୱେର ପଶ୍ଚିମ ଓଡିଶା କରିଡର କାମ ଶୀଘ୍ର ଶେଷ ହେବାକୁ ଯାଉଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଏହାଦ୍ବାରା ଏଠାରେ ଅର୍ଥନୈତିକ ପ୍ରକ୍ରିୟା ତ୍ବରାନ୍ବିତ ହେବ। ଆଗାମୀ ମେକ୍‌-ଇନ୍‌-ଓଡିଶା କନ୍‌କ୍ଲେଭରେ ଶିଳ୍ପ ପାଇଁ ଏକ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରାଯିବ ବୋଲି ସେ କହିଥିଲେ। ପଶ୍ଚିମ ଓଡିଶାରେ ବିକାଶ ରଥକୁ ଆହୁରି ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶା ବିକାଶ ପରିଷଦର ଏକ ସ୍ବତନ୍ତ୍ର ଲୋଗୋ ଓ ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ ଉନ୍ମୋଚନ କରିଥିଲେ। ଏହି ଅବସରରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ପଶ୍ଚିମ ଓଡିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଉଦ୍ୟମର ଉଚ୍ଚପ୍ରଶଂସା କରିବା ସହିତ ରାଜ୍ୟର ବିଭିନ୍ନ ବିକାଶ କାର୍ଯ୍ୟକ୍ରମ ଜରିଆରେ ଓଡିଶାକୁ ଦେଶର ଏକ ପ୍ରମୁଖ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ସଂପର୍କରେ ବର୍ଣ୍ଣନା କରିଥିଲେ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିସନର ପି.କେ. ଜେନା ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ।

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ପ୍ରାରମ୍ଭିକ ସୂଚନା ଦେଇ କହିଥିଲେ ଯେ ପଶ୍ଚିମ ଓଡିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ବ ଦେଇଛନ୍ତି ଓ ପରିଷଦର ମାର୍ଗଦର୍ଶନ କରିଛନ୍ତି । ପରିଷଦ ପକ୍ଷରୁ ପଶ୍ଚିମ ଓଡିଶାର ପ୍ରତ୍ୟେକ ଜିଲ୍ଲାର ବେସଲାଇନ ଇକୋନୋମି ଡାଟା ରଖାଯାଇଛି ଏବଂ ବିଭିନ୍ନ ଅଞ୍ଚଳର ମୌଳିକ ସୁବିଧା ଆସୁବିଧାକୁ ଦୃଷ୍ଟିରେ ରଖି ପ୍ରକଳ୍ପ ନିର୍ମାଣ କରାଯାଉଛି । ପଶ୍ଚିମ ଓଡିଶାର ପ୍ରତ୍ୟେକ ଜିଲ୍ଲାରେ ବିକାଶ ପରିଷଦର କାର୍ଯ୍ୟାଳୟ ଖୋଲାଯାଇଛି ବୋଲି ସେ କହିଥିଲେ । ପଶ୍ଚିମ ଓଡିଶା ବିକାଶ ପରିଷଦର ସିଇଓ ଅଜିତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ପଶ୍ଚିମ ଓଡିଶାର ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ ।

Show More

Related Articles

Back to top button