ଲିଭ୍-ଇନ୍ ରିଲେଶନଶିପ୍ ନୈତିକ ତଥା ସାମାଜିକ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ
ଲିଭ୍-ଇନ୍ ରିଲେଶନଶିପ୍ ନୈତିକ ତଥା ସାମାଜିକ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ ବୋଲି ପଞ୍ଜାବ ଓ ହରିୟାଣା ହାଇକୋର୍ଟ ବିଚିତ୍ର ଟିପ୍ପଣୀ ଦେଇଛନ୍ତି। ଏହାସହ ଆବେଦନକାରୀ ଯୋଡ଼ିଙ୍କୁ ସୁରକ୍ଷା ଦେବାକୁ ମନା କରି ସେମାନଙ୍କ ପିଟିଶନକୁ ଖାରଜ କରିଦେଇଛନ୍ତି। ହାଇକୋର୍ଟଙ୍କ ଏଭଳି ରକ୍ଷଣଶୀଳ ଓ ପୁରୁଣାକାଳିଆ ଆଭିମୁଖ୍ୟକୁ ସାମାଜିକ ଗଣମାଧ୍ୟମରେ ତୀବ୍ର ବିରୋଧ କରାଯାଇଛି।
ଲିଭ୍-ଇନ୍ ରିଲେଶନଶିପ୍ ନୈତିକ ତଥା ସାମାଜିକ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ ବୋଲି ପଞ୍ଜାବ ଓ ହରିୟାଣା ହାଇକୋର୍ଟ ବିଚିତ୍ର ଟିପ୍ପଣୀ ଦେଇଛନ୍ତି। ଏହାସହ ଆବେଦନକାରୀ ଯୋଡ଼ିଙ୍କୁ ସୁରକ୍ଷା ଦେବାକୁ ମନା କରି ସେମାନଙ୍କ ପିଟିଶନକୁ ଖାରଜ କରିଦେଇଛନ୍ତି। ହାଇକୋର୍ଟଙ୍କ ଏଭଳି ରକ୍ଷଣଶୀଳ ଓ ପୁରୁଣାକାଳିଆ ଆଭିମୁଖ୍ୟକୁ ସାମାଜିକ ଗଣମାଧ୍ୟମରେ ତୀବ୍ର ବିରୋଧ କରାଯାଇଛି। ଟୁଇଟରରେ କେତେଜଣ ୟୁଜର୍ସ ହାଇକୋର୍ଟଙ୍କୁ ଖାପ୍ ପଞ୍ଚାୟତ ସହ ତୁଳନା କରିଛନ୍ତି।
ଉତ୍ତରପ୍ରଦେଶର ଜଣେ ୧୯ ବର୍ଷୀୟ ଯୁବତୀ ଓ ପଞ୍ଜାବର ୨୨ ବର୍ଷୀୟ ଯୁବକ ଲିଭ୍-ଇନ୍ ସମ୍ପର୍କରେ ରହୁଥିଲେ। ଯୁବତୀଙ୍କ ପରିବାର ପକ୍ଷରୁ ସେମାନଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ଉଭୟେ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁରକ୍ଷିତ ଭାବେ ଏକାଠି ରହିବା ପାଇଁ ସ୍ବାଧୀନତା ପ୍ରଦାନ ନିମନ୍ତେ ପଞ୍ଜାବ ପୋଲିସକୁ ନିର୍ଦ୍ଦେଶ ଦେବା ଲାଗି ଆବେଦନକାରୀ ଯୋଡ଼ି ହାଇକୋର୍ଟଙ୍କୁ ନିବେଦନ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ପିଟିଶନ ଦାଏର କରି ଆଇନଜୀବୀ ଜେ.ଏସ୍. ଠାକୁର ଦର୍ଶାଇଥିଲେ ଯେ, ଉଭୟେ ୪ ବର୍ଷ ହେଲା ଲିଭ୍-ଇନ୍ ସମ୍ପର୍କରେ ରହିଆସୁଛନ୍ତି। ଦୁହେଁ ଭିନ୍ନ ଜାତିର ହୋଇଥିବାରୁ ଯୁବତୀଙ୍କ ପରିବାର ଏହାକୁ ବିରୋଧ କରୁଛି। ଏପରି କି ତାଙ୍କ ପରିବାର ଲୋକେ ସେମାନଙ୍କୁ ଧମକ ମଧ୍ୟ ଦେଇଛନ୍ତି। ଜୀବନ ଭୟରେ ସେ ଘର ଛାଡ଼ି ପଳାଇଆସିଛନ୍ତି। ଏନେଇ ଗତ ଏପ୍ରିଲରେ ଏହି ଯୋଡ଼ି ପଞ୍ଜାବ ପୋଲିସକୁ ଇ-ମେଲ୍ ଜରିଆରେ ଗୁହାରି କରିଥିଲେ। ଦୁହେଁ ପରସ୍ପରକୁ ବିବାହ କରିବାକୁ ଚାହୁଁଥିବାରୁ ସେମାନଙ୍କୁ ଆଇନତଃ ସୁରକ୍ଷା ଦିଆଯାଉ। ଜଷ୍ଟିସ୍ ଏଚ୍.ଏସ୍. ମଦାନଙ୍କ ଜଣିକିଆ ଖଣ୍ଡପୀଠ ଏହି ପ୍ରସଙ୍ଗରେ
ଶୁଣାଣି କରି କହିଛନ୍ତି, ଆବେଦନକାରୀ ଦ୍ୱୟ କେବଳ ନିଜ ସମ୍ପର୍କକୁ ସ୍ବୀକୃତି ପ୍ରଦାନ ପାଇଁ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି, ଯାହାକି ନୈତିକ ଓ ସାମାଜିକ ରୂପେ ଗ୍ରହଣୀୟ ନୁହେଁ। ବାସ୍ତବରେ ଆବେଦନକାରୀ ବର୍ତ୍ତମାନ ପିଟିଶନ ଦାଏର କରିବା ଆଳରେ ନିଜ ଲିଭ୍-ଇନ୍ ରିଲେଶନ୍ଶିପ୍ ଉପରେ ସ୍ବୀକୃତିର ମୋହର ଲଗାଇବାକୁ ଦାବି କରୁଛନ୍ତି। ତେଣୁ ଏହି ପିଟିଶନରେ କୌଣସି ସୁରକ୍ଷା ଆଦେଶ ଦିଆଯାଇ ପାରିବ ନାହିଁ। ଏଭଳି ଟିପ୍ପଣୀ ଦେବା ସହ ହାଇକୋର୍ଟ ସେମାନଙ୍କ ପିଟିଶନକୁ ଖାରଜ କରିଦେଇଛନ୍ତି। ପ୍ରକାଶ ଯେ, ମାତ୍ର ୬ ଦିନ ପୂର୍ବରୁ ଜଷ୍ଟିସ୍ ଅନିଲ କ୍ଷେତ୍ରପାଳଙ୍କ ଖଣ୍ଡପୀଠ ଅନ୍ୟ ଏକ ଲିଭ୍-ଇନ୍ ଯୋଡ଼ିଙ୍କ ସୁରକ୍ଷା ପିଟିଶନକୁ ଖାରଜ କରିଦେଇଥିଲେ। ଯଦି ଏଭଳି ଭାବେ ସୁରକ୍ଷା ମାଗୁଥିବା ଯୋଡ଼ିଙ୍କୁ ଅନୁମତି ଦିଆଯାଏ ତେବେ ସମାଜର ସମରସତା ବିଗିଡ଼ିଯିବ ବୋଲି ହାଇକୋର୍ଟ ଦର୍ଶାଇଥିଲେ।