ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି ଅନୁଷ୍ଠିତ

ପୁରୀ : ଆଜି ହେଉଛି ଭାଦ୍ରବ ମାସ ଶୁକ୍ଲପକ୍ଷ ଦ୍ୱାଦଶୀ ତିଥି । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ । ଏହି ଅବସରରେ ଶ୍ରୀମନ୍ଦିରରେ ୪ ଘଣ୍ଟା ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିରରେ ବାମନ ଜନ୍ମ ଅବସରରେ ଆଜି ସକାଳୁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଆରମ୍ଭ ହୋଇଛି । ମଧ୍ୟାହ୍ନ ଧୂପ ବଢିବା ପରେ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ,ପବିତ୍ରା ଲାଗି ଓ ଇନ୍ଦ୍ରଧ୍ୱଜା ପୂଜା ବିଧି ଅନୁଷ୍ଠିତ ହେବ । ଏଥିପାଇଁ ଆଜି ଅପରାହ୍ନ ୫ ଟା ଠାରୁ ରାତ୍ର ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ବାମନ ଜନ୍ମ ନୀତି ସରିବା ପରେ ପୁନର୍ବାର ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଆଜି ହେଉଛି ପବିତ୍ର ସୁନିଆ ଉତ୍ସବ। ଆଜିଠାରୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆରମ୍ଭ ହୋଇଛି ୧୪୩୦ ସାଲ ୬୫ ଅଙ୍କର ପ୍ରବେଶ। ଏହି ଅବସରରେ ଆଜି ସନ୍ଧ୍ୟାରେ ପୁରୀ ଗଜପତିଙ୍କ ଶ୍ରୀନଅରରେ ପାଳିତ ହେବ ସୁନିଆଁ ଉତ୍ସବ। ଆଜିଠାରୁ ଗଜପତି ମହାରାଜାଙ୍କର ୬୫ ଅଙ୍କ ଆରମ୍ଭ ହେବ । ଜାତକ ଓ ପାଞ୍ଜି ଅଙ୍କ ଗଣନାର ରହିଛି ବିଶେଷ ମହତ୍ୱ। ସୁନିଆଁ ଅବସରରେ ଶ୍ରୀନହର ପ୍ରାଙ୍ଗଣରେ ଥିବା କନକ ଦୁର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯିବ । କନକଦୁର୍ଗା, ଶ୍ୟାମାକାଳୀ, ରାଧାକୃଷ୍ଣ ,ନୃସିଂହ ଆଦି ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରିବେ ଗଜପତି ମହାରାଜ । ଗଜପତିଙ୍କର ଏହି ପୂଜାକୁ ଦେବାର୍ଚ୍ଚନା କୁହାଯାଏ। ଦେବାର୍ଚ୍ଚନା ଓ ମଙ୍ଗଳାର୍ପଣ ପରେ ଶ୍ରୀନହରରେ ସୁନିଆଁର ବିଶେଷ ପର୍ବ ଆରମ୍ଭ ହେବ ।