
ବ୍ରହ୍ମପୁର : ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଦୁଇ ଜଣ ଜୁନିୟର ଆସିଷ୍ଟାଣ୍ଟ । ସେମାନେ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଫିସ୍ର ସୁଶୀଲ କୁମାର ପଟ୍ଟନାୟକ ଓ ଆସିକା ବ୍ଲକ୍ ଜୟପୁର ହାଇସ୍କୁଲ୍ର ପ୍ରଦୀପ କୁମାର ମହାନ୍ତି। ଜୟପୁର ହାଇସ୍କୁଲ୍ରେ ଲ୍ୟାବ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିବା କାଳୀଚରଣ ପାଣିଗ୍ରାହୀ ଗତ ମେ’ ମାସରେ ଅବସର ଗ୍ରହଣ କରିଥିଲେ। ପେନ୍ସନ୍ କରାଇ ଦେବା ପାଇଁ ସେ ସ୍କୁଲ୍ର ଜୁନିଅର ଆସିଷ୍ଟାଣ୍ଟ ପ୍ରଦୀପ କୁମାର ମହାନ୍ତିଙ୍କ ନିକଟକୁ ଯାଇଥିଲେ। ଏହି କାମ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁଶୀଲ କୁମାର ପଟ୍ଟନାୟକଙ୍କ ଦ୍ୱାରା ହେବ ବୋଲି କହିବା ସହିତ ପ୍ରଦୀପ ୧୦ ହଜାର ଟଙ୍କା ମାଗିଥିଲେ। ଘଟଣା ସଂପର୍କରେ କାଳୀଚରଣ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ଅନୁସାରେ ଆଜି କାଳୀଚରଣ ବ୍ରହ୍ମପୁର ଡିଇଓ ଅଫିସ୍କୁ ଆସିଥିଲେ। ସେଠାରେ ପ୍ରଦୀପ ମଧ୍ୟ ଉପସ୍ଥିତ ଥିଲେ। ସୁଶୀଲ ଓ ପ୍ରଦୀପ ଲାଞ୍ଚ ଅର୍ଥ ଗ୍ରହଣ କରିବା ବେଳେ ଭିଜିଲାନ୍ସ ସେମାନଙ୍କୁ ଧରିଥିଲା। ସୁଶୀଲଙ୍କ ପାଖରୁ ୭୦୦୦ ଟଙ୍କା ଓ ପ୍ରଦୀପଙ୍କ ପାଖରୁ ୩୦୦୦ ଟଙ୍କା ଜବତ କରିଛି ଭିଜିଲାନ୍ସ।