ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର, ଓଡ଼ିଶାବାସୀଙ୍କୁ ବଡ଼ ଆଶ୍ବସ୍ତି

ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ ସୁବିଧା ଆସିଛି। ଏବେ ଭିସା ସେବା ପାଇଁ କୋଲକାତା, ଦିଲ୍ଲୀ କିମ୍ବା ହାଇଦ୍ରାବାଦ ଭଳି ସହରକୁ ଯିବାକୁ ପଡିବ ନାହିଁ। ବିଦେଶ ଯାତ୍ରାକୁ ଇଚ୍ଛୁକ ବ୍ୟକ୍ତି ଓ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ମହତ୍ୱପୂର୍ଣ୍ଣ ଆଶ୍ୱସ୍ତି ଆଣିଛି।
ବରମୁଣ୍ଡାସ୍ଥିତ ବିଏସଏବିଟି ପ୍ରାଙ୍ଗଣରେ ଭିସା ଆବେଦନ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି। ଆଜିଠୁ ଏହି ସେବା ଭୁବନେଶ୍ୱରରେ ଉପଲବ୍ଧ ହୋଇଛି।
ଭିଏଫଏସ୍ ଗ୍ଲୋବାଲ୍ ଦ୍ୱାରା ପରିଚାଳିତ ଏହି କେନ୍ଦ୍ରରୁ ଚଳିତ ମାସର ୭ ତାରିଖରୁ ଇଂଲଣ୍ଡ, ଅଷ୍ଟ୍ରିଆ ଓ ସ୍ୱିଜରଲ୍ୟାଣ୍ଡ ପାଇଁ ଭିସା ସେବା ଆରମ୍ଭ ହେବ। ଏପ୍ରିଲ ୧୦ ତାରିଖରୁ ଆୟାରଲ୍ୟାଣ୍ଡ, ଇଟାଲୀ, ଜାପାନ ଓ ଏଷ୍ଟୋନିଆ ପାଇଁ ସେବା ମିଳିବ।
ସେହିପରି ଏପ୍ରିଲ ୧୭ରୁ ଇଜିପ୍ଟ ଓ ମରୋକ୍କୋ, ଏବଂ ଏପ୍ରିଲ ୨୪ରୁ ଯୁରୋପୀୟ ୟୁନିୟନର ମାଲ୍ଟା (ଡି-ଭିସା) ପାଇଁ ଭିସା ସୁବିଧା ଆରମ୍ଭ ହେବ। ଏହି କେନ୍ଦ୍ରରୁ ମୋଟ ୧୦ଟି ଦେଶ ପାଇଁ ଭିସା ସେବା ମିଳିବ ଓ ଆଗାମୀ ଦିନରେ ଆଉ ଦେଶ ଯୋଡ଼ାଯିବ ବୋଲି ସରକାର ସୂଚନା ଦେଇଛି।
ପ୍ରାୟ ୩,୦୦୦ ବର୍ଗଫୁଟ୍ ଅଞ୍ଚଳରେ ଏହି କେନ୍ଦ୍ର ସ୍ଥାପିତ ହୋଇଛି ଏବଂ ଆବଶ୍ୟକତା ପଡିଲେ ଅଧିକ ସ୍ଥାନ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଗତ ୨୩ ତାରିଖରେ ରାଜ୍ୟ ଗୃହ ବିଭାଗ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଓ ଭିଏଫଏସ୍ ଗ୍ଲୋବାଲ୍ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷର ହୋଇଥିଲା।
ଏହି ପଦକ୍ଷେପ ଦ୍ୱାରା ଓଡ଼ିଶାରୁ ବିଦେଶ ଯାତ୍ରା ପ୍ରକ୍ରିୟା ଆହୁରି ସହଜ ଓ ସୁବିଧାଜନକ ହେବ ବୋଲି ମନେ କରାଯାଉଛି।



