ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବୁଧବାର ରେପୋ ରେଟ ବଢାଇବା ପାଇଁ ଘୋଷଣା କରିଛନ୍ତି। ରେପୋ ରେଟକୁ ୦.୪ ପ୍ରତିଶତ ବଢାଇ ୪.୪୦ ପ୍ରତିଶତ କରାଯାଇଛି । ଆରବିଆଇର ଏହି ନିଷ୍ପତ୍ତି ସେୟାର ବଜାର ସହ ଆର୍ଥିକ ବଜାର ସହ ଜଡିତ ଲୋକଙ୍କୁ ଚକିତ କରାଇଛି। ଗତମାସରେ ଆରବିଆଇ ମୁଦ୍ରାନୀତି ସମୀକ୍ଷାରେ ରେପୋ ରେଟରେ କୌଣସି ପ୍ରକାର ପରିବର୍ତ୍ତନ କରି ନଥିଲେ। ଏହାସହ ସେ ନିଜର ମନିଟାରୀ ପଲିସିକୁ ଉଦାର ରଖିବା ପାଇଁ ଘୋଷଣା କରିଥିଲା। ତେବେ ହଠାତ କାହିଁକି ରେପୋ ରେଟକୁ ବଢାଇଲା ଆରବିଆଇ? ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ କହିଛନ୍ତି ଦରବୃଦ୍ଧିକୁ କାବୁ କରିବା ପାଇଁ ରେପୋ ରେଟ୍ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ମନିଟାରୀ ପଲିସି କମିଟିର ଜରୁରୀକାଳୀନ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ମୁଦ୍ରାନୀତି କମିଟିର ସବୁ ସଦସ୍ୟଙ୍କ ଗୋଟିଏ ନିଷ୍ପତ୍ତିରେ ରେପୋ ରେଟ୍ ୦.୪ ପ୍ରତିଶତ ବୃଦ୍ଧି ପ୍ରସ୍ତାବ ସପକ୍ଷରେ ମତଦାନ କରିଥିଲେ। ଏଥିରୁ ଦରବୃଦ୍ଧିକୁ ନେଇ ଆରବିଆଇ କେତେ ଚିନ୍ତିତ ତାହା ସ୍ପଷ୍ଟ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ମାସ ଜୁନ ୬ରୁ ୮ ଯାଏଁ ମନିଟାରୀ ପଲିସି କମିଟିର ବୈଠକ ହେବ। କିନ୍ତୁ ଆରବିଆଇ ସୁଧ ହାର ବୃଦ୍ଧି କରିବା ପାଇଁ ଜୁନ ଯାଏଁ ବି ଅପେକ୍ଷା କରିଲା ନାହିଁ। କେନ୍ଦ୍ରୀୟ ବ୍ୟାଙ୍କ କେବଳ ରେପୋ ରେଟ୍ ବୃଦ୍ଧି କରିନାହିଁ ବରଂ କ୍ୟାସ ରିଜର୍ଭ ରେସିୟୋରେ ମଧ୍ୟ ୦.୫୦ ପ୍ରତିଶତ ବୃଦ୍ଧି କରିଛି। ଏହାପରେ ସିଆରଆର ୪.୫ ପ୍ରତିଶତ ହୋଇଛି। ଉଲ୍ଲେଖଯୋଗ୍ୟ, ସବୁ ବ୍ୟାଙ୍କ ଗୁଡିକୁ ମୋଟ ଡିପୋଜିଟର ଗୋଟିଏ ଭାଗ କ୍ୟାସ ଆକାରରେ ରିଜର୍ଭ ବ୍ୟାଙ୍କରେ ଡିପୋଜିଟ୍ କରି ରଖିବାକୁ ପଡିଥାଏ। ସିଆରଆରରେ ୦.୫୦ ପ୍ରତିଶତ ବୃଦ୍ଧି ଅର୍ଥାତ ବ୍ୟାଙ୍କ ଗୁଡିକୁ ଅଧିକ ଟଙ୍କା ଆରବିଆଇ ନିକଟରେ ଜମା ରଖିବାକୁ ପଡିବ। ଏହାଦ୍ୱାରା ଲୋନ ଦେବା ପାଇଁ ବ୍ୟାଙ୍କ ଗୁଡିକ ନିକଟରେ କମ ରାଶ ଉପଲବ୍ଧ ରହିବ। ଦରବୃଦ୍ଧିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଆରବିଆଇ ରେପୋ ରେଟ୍ ଏବଂ ସିଆରଆର ବଢାଇଛି । କହୁଯାଉଛି ଏହାଦ୍ୱାରା ଲିକ୍ୱିଡିଟି ହ୍ରାସ ପାଇବ। ବ୍ୟାଙ୍କିଂ ସିଷ୍ଟମରୁ ପ୍ରାୟ ୮୬,୦୦୦ କୋଟି ଟଙ୍କା ବାହାର କରାଯିବ। ଫଳରେ ବ୍ୟାଙ୍କ ଗୁଡିକ ନିକଟରେ ଲୋନ ଦେବା ପାଇଁ କମ ଟଙ୍କାର ରହିବ।
ଅନ୍ୟପଟେ ରେପୋ ରେଟରେ ବୃଦ୍ଧି ଯୋଗୁଁ ଲୋନ ଉପରେ ସୁଧ ମଧ୍ୟ ବଢିବ। ହୋମ ଲୋନ, କାର ଲୋନ ଏବଂ ପର୍ସନଲ ଲୋନ ସହ ସବୁ ପ୍ରକାର ଲୋନ ମହଙ୍ଗା ହେବ। କିଛି ବିଶେଷଜ୍ଞ ଗତ ମାସରେ ହୋଇଥିବା ମୁଦ୍ରାନୀତି ସମୀକ୍ଷାରେ ସୁଧ ହାର ବୃଦ୍ଧି ନେଇ ଅନୁମାନ କରିଥିଲେ। ବିଶେଷଜ୍ଞଙ୍କ କହିବା କଥା ଥିଲା, ଦରବୃଦ୍ଧିକୁ କାବୁ କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଏହି ନିଷ୍ପତ୍ତି ନେଇପାରେ। କିନ୍ତୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ରେପୋ ରେଟରେ ପରିବର୍ତ୍ତନ କରିନଥିଲେ। ଉଲ୍ଲେଖଯୋଗ୍ୟ, ସାରା ଦୁନିଆରେ ମହଙ୍ଗା ମାଡ ସହୁଛୁ । ୟୁକ୍ରେନ ସଂକଟ ଯୋଗୁଁ ଦରବୃଦ୍ଧି ଆକାଶ ଛୁଆଁ ହେବାରେ ଲାଗିଛି। ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ପୀତି ୬.୯୫ ପ୍ରତିଶତ ପହଞ୍ଚିଥିଲା, ଯାହା ଆରବିଆଇ ଟାର୍ଗେଟ ଠାରୁ ବେଶି ଅଧିକ ଥିଲା। ଲୋନ ମହାଙ୍ଗା ହେବା ପରେ ଘର, କାର, ଘରକରଣା ସାମଗ୍ରୀ ସହ ଅନ୍ୟ ସାମଗ୍ରୀର ଚାହିଦା ହ୍ରାସ ପାଇବ। ଆରବିଆଇ ମଧ୍ୟ ଏହା ଚାହୁଁଛି। ଚାହିଦା କମିବା ପରେ ଦରବୃଦ୍ଧି ନିୟନ୍ତ୍ରଣକୁ ଆଣିବାରେ ସହାୟକ ହେବ। ସାରା ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କ ଗୁଡିକ ଦରବୃଦ୍ଧିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସୁଧ ହାର ବୃଦ୍ଧି କରିଛନ୍ତି। ଆମେରିକାରରେ ଦରବୃଦ୍ଧି ୪୦ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏହି କାରଣରୁ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ବ୍ୟାଙ୍କ ଅନେକ ଥର ସୁଧ ହାର ବୃଦ୍ଧି କରିଛି।