
ଗଜପତି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ କ୍ରାଇମ୍ବ୍ରାଞ୍ଚ ସ୍କାନର୍କୁ ଆସିଛନ୍ତି ବରିଷ୍ଠ ଓଏଏସ୍ ଅଫିସର ଦୀପ୍ତିରଞ୍ଜନ ବେହେରା । ସୌମ୍ୟଙ୍କ ମୃତ୍ୟୁରେ ତାଙ୍କ ଲିଙ୍କ୍ ଖୋଜୁଛି କ୍ରାଇମ୍ବ୍ରାଞ୍ଚ । ଖୁବ୍ ଶୀଘ୍ର ତାଙ୍କୁ ଜେରା କରାଯିବ ବୋଲି ଜଣାପଡିଛି । ସୌମ୍ୟଙ୍କ ପରିବାର ଲୋକଙ୍କ ଅଭିଯୋଗ ହେଲା ଦୀପ୍ତିରଞ୍ଜନ ସୌମ୍ୟଙ୍କ ମୃତ୍ୟୁ ବିଷୟରେ ସବୁ ଜାଣିଛନ୍ତି । ଏମିତିକି ଡିଏଫ୍ଓ ସଂଗ୍ରାମ କେଶରୀଙ୍କ ସହ ସେ ଅନେକ ଥର ଫୋନ୍ରେ କଥା ବି ହୋଇଛନ୍ତି । ତାଙ୍କ ଲିଙ୍କ୍ ଆସିବା ପରେ ତାଙ୍କୁ ତୁରନ୍ତ ବଦଳି କରି ଦିଆଯାଇଛି । ତାଙ୍କୁ ଜେରା ହେଲେ ଏଥିରେ ସାମିଲ ଥିବା ଅନ୍ୟ ବଡ଼ ବଡ଼ ବ୍ୟକ୍ତିଙ୍କ ଗୁମର ପଦାକୁ ଆସିବ । ସେଥିପାଇଁ କ୍ରାଇମ୍ବ୍ରାଞ୍ଚ୍ ଏ ଦିଗକୁ ଅଧିକ ଫୋକସ୍ ଦେଉ ବୋଲି ପରିବାର ଲୋକ ଦାବି କରିଛନ୍ତି । ଦୀର୍ଘ ୧୨ବର୍ଷ ଧରି ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଶ୍ରୀ ବେହେରାଙ୍କୁ ଅଗଷ୍ଟ ୨ ତାରିଖରେ ରାଜ୍ୟ ସରକାର ଅଚାନକ କୋରାପୁଟ ବଦଳି କରି ଦେଇଥିଲେ । ସେପଟେ ସୌମ୍ୟଙ୍କ ମୃତ୍ୟୁ ମାମଲାକୁ ଜାତୀୟ ମାନବାଧିକାର କମିସନ ଗୁରୁତ୍ୱର ସହ ନେଇଛନ୍ତି । ଏନେଇ ରାଜ୍ୟ ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଡିଜିପିକୁ ୬ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ ।