ଶତୃତା ମଧ୍ୟରେ ବି ରହିଛି ମାନବିକତା ।
ଯୁଦ୍ଧ ମଧ୍ୟରେ ଭାଇରାଲ୍ ହୋଇଛି ଏକ, ହୃଦୟ ବିଦାରକ ଭିଡିଓ ।

ଯୁଦ୍ଧ ମଧ୍ୟରେ ଭାଇରାଲ୍ ହୋଇଛି ଏକ, ହୃଦୟ ବିଦାରକ ଭିଡିଓ । ଘନ ଘନ ମିସାଇଲ ମାଡ ଓ ଅହରହ ଗୁଳି ମାଡରେ ଛାରଖାର ହୋଇଗଲାଣି ୟୁକ୍ରେନ୍ । ଭୟ ଓ ଶତ୍ରୁତା ମଧ୍ୟରେ ବି ଅଛି ମାନବିକତା । ଶତ୍ରୁ ପକ୍ଷର ସୈନ୍ୟକୁ ସୁରକ୍ଷା ଦେଉଛି ୟୁକ୍ରେନ୍ । ଗୋଟିଏ ପଟେ ୟୁକ୍ରେନ୍ ଭିତରେ ପଶି ତାଣ୍ଡବ ଚଳାଇଛନ୍ତି ଋଷ ସେନା । ଅନ୍ୟପଟେ ୟୁକ୍ରେନ୍ ଲୋକଙ୍କ ଆଗରେ କାନ୍ଦିପକାଇ ଆତ୍ମସମର୍ପଣ କରିଛନ୍ତି ଜଣେ ଋଷ ସୈନିକ । ଗୋଟିଏ ପଟେ ନିଷ୍ଠୁରତାର ସବୁ ସୀମା ପାର୍ କରୁଛି ଋଷ । ଅନ୍ୟପଟେ ଆତ୍ମସମର୍ପଣ କରିଥିବା ସୈନ୍ୟଙ୍କୁ ସୁରକ୍ଷା ଦେଉଛନ୍ତି ୟୁକ୍ରେନ୍ ନାଗରିକ । କେବଳ ସୁରକ୍ଷା ଦେଉଛନ୍ତି ତାହା ନୁହେଁ ଖାଇବାକୁ ମଧ୍ୟ ଦେଉଛନ୍ତି । ଆଉ ସାହସ ମଧ୍ୟ । କେବଳ ସେତିକି ନୁହେଁ ଫୋନ ଯୋଗେ ସେହି ସୈନ୍ୟଙ୍କ ମା’ ଙ୍କ ସହିତ କଥାବାର୍ତ୍ତା ବି କରାଇଛନ୍ତି । ମା’ ଙ୍କ ସହିତ କଥା ହେବା ବେଳେ ଭୋ ଭୋ ହୋଇ କାନ୍ଦି ପକାଉଛନ୍ତି ରୁଷ ସୈନ୍ୟ ଜଣଙ୍କ । ସେଥିରେ ନାହିଁ ଛଳନା କିମ୍ବା ଖସିଯିବାର ଅଭିନୟ । ବରଂ ଅନୁତାପ ଅନୁଶୋଚନା ଆଉ ବାସ୍ତବତା ।
ଏହି ଦୃଶ୍ୟ ଦେଖି ଅନୁମାନ କରାଯାଉଛି ଯେ ଯବାନ୍ ଜଣଙ୍କ ଖୁବ କମ୍ ଦିନ ହେବ ଋଷୀୟ ସେନାରେ ଯୋଗଦେଇଛନ୍ତି । ଏହି ଭିଡିଓକୁ ମାଥ୍ୟୁ ଲକ୍ସମୋରେ ନାମକ ଜଣେ ସାମ୍ବାଦିକ ସୋସିଆଲ ମିଡିଆରେ ସେୟା କରିଛନ୍ତି । ଯୁଦ୍ଧ ସମୟରେ ଏଭଳି ଦୃଶ୍ୟ ବିଚଳିତ କରିପକାଉଛି । ଆଉ ଜଣେଇ ଦେଉଛି ଯେ, ସବୁ ପରେ ବି ରହିଛି ମାନବିକତା । ୟୁକ୍ରେନ୍-ଋଷ ଯୁଦ୍ଧରେ ଗଲାଣି ଅନେକଙ୍କ ଜୀବନ । ତଥାପି ଥମୁନି ଯୁଦ୍ଧ । ମିସାଇଲ ଆଉ ଗୁଳି ମାଡ ଭିତରେ ବାଜି ଲାଗିଛି କେତେ ଜୀବନ ।