
ଗୁଜୁରାଟରେ ବିଷାକ୍ତ ମଦ ନେଲା ଜୀବନ । ଗୁଜୁରାଟର ବୋଟାଦ ଜିଲ୍ଲାରେ ରୋଜିଦ ଗାଁରେ ବିଷାକ୍ତ ମଦ ପିଇ ୧୯ ଜଣଙ୍କ ମୃତ୍ୟୁ ଏବଂ ୪୦ରୁ ଅଧିକ ଗୁରୁତର । ସମସ୍ତ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି । ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ଆଶଙ୍କା । ଘଟଣା ପରେ ବିଷାକ୍ତ ମଦ ବିକ୍ରି କାରବାରରେ ଲିପ୍ତ ଥିବା ୧୦ ଜଣଙ୍କୁ ପୁଲିସ୍ ଗିରଫ କରି ଅଧିକ ତଦନ୍ତ କରୁଥିବା ଡିଜିପି ଆଶିଷ ଭାଟିଆ ସୂଚନା ଦେଇଛନ୍ତି।
ସେ କହିଛନ୍ତି, “ସୋମବାର ସକାଳୁ ଏହି ଘଟଣା ସାମ୍ନାକୁ ଆସିବା ଆରମ୍ଭ ହୋଇଛି। ବାରଭାଲା ତାଲୁକା ଅଧୀନରେ ଥିବା ରୋଜିଦା ଗାଁ ଓ ଏହାର ଆଖ ପାଖ ଅଞ୍ଚଳରେ ରହୁଥିବା କିଛି ଲୋକଙ୍କ ଅବସ୍ଥା ସୋମବାର ସକାଳୁ ଖରା ହୋଇଥିଲା। ଏଥିପାଇଁ ସେମାନଙ୍କୁ ବାରଭାଲା ଓ ବୋଟାଡ ସହରରେ ଥିବା ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେମାନେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ପରୀକ୍ଷାରୁ ବିଷାକ୍ତ ମଦ ସମ୍ପର୍କରେ ଖବର ମିଳିଥିଲା।
ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଥମେ ୨ ଜଣ ପରେ ୮ ଜଣଙ୍କ ଜୀବନ ଯାଇଥିଲା। ଏହାପରେ ରାତି ସମୟରେ ଆଉ ୯ ଜଣ ଆଖି ବୁଜିଛନ୍ତି। ଏବେ ଅସୁସ୍ଥ ଥିବା ପ୍ରାୟ ୪୦ ଜଣଙ୍କୁ ସବୁ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଅଧିକାଂଶ ମୃତାହତ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି।”
ମଦ ନିଷେଦ୍ଧ ଥିବା ଗୁଜୁରାଟରେ ଏହି ଘଟଣା ସମସ୍ତଙ୍କୁ ଆଚମ୍ବିତ କରିଛି। ପ୍ରଶାସନ ଓ ପୁଲିସ୍ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଛନ୍ତି। ଭାବନଗର ରେଞ୍ଜର ଆଇଜି ଅଶୋକ କୁମାର ବୋଟାଡ ସିଭିଲ ହସ୍ପିଟାଲ ଯାଇ ଚିକିତ୍ସିତ ହେଉଥିବା ଲୋକମାନଙ୍କୁ ଭେଟିଛନ୍ତି। ସେ କହିଛନ୍ତି, ଡେପୁଟି ଏସପି ପାହ୍ୟାର ଜଣେ ଅଧିକାରୀଙ୍କୁ ନେଇ ଏସ୍ଆଇଟି ଗଠନ କରାଯାଇଛି। ଏସଆଇଟି ଘଟଣାର ବିସ୍ତୃତ ତଦନ୍ତ କରିବା ସହ ବେଆଇନ ମଦ କାରବାର କରୁଥିବା ଲୋକମାନଙ୍କୁ ଧରିବା ସହ ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ ।