ପୁଣି ନିରାଶ ହେଲେ କମେଡିଆନ ମୁନାୱର ଫାରୁକି

ନୂଆଦିଲ୍ଲୀ: ପୁଣି ନିରାଶ ହେଲେ କମେଡିଆନ ମୁନାୱର ଫାରୁକି। ଦିଲ୍ଲୀରେ ତାଙ୍କ ଶୋ’କୁ ଆୟୋଜନ ପାଇଁ ଅନୁମତି ଦେଇନି ପୁଲିସ୍। ମୁନାୱର କମେଡି ଶୋ କଲେ ଦିଲ୍ଲୀରେ ଥିବା ସଦଭାବ ପ୍ରଭାବିତ ହେବ। ତେଣୁ ତାଙ୍କୁ ଶୋ’ ଆୟୋଜନ ପାଇଁ ଅନୁମତି ଦିଆଯାଉ ନଥିବା ପୁଲିସ୍ କହିଛି। ଏହାପୂର୍ବରୁ ବେଙ୍ଗାଲୁରୁ ଓ ମୁମ୍ବାଇରେ ମଧ୍ୟ ମୁନାୱରଙ୍କ ଶୋ’ ପାଇଁ ଅନୁମତି ମିଳି ନଥିଲା। ଦିଲ୍ଲୀର ଡା. ସିପିଏମ ସିଭିକ ସେଣ୍ଟର ଓ କେଦାରନାଥ ସାହିନ ଅଡିଟୋରିୟମରେ ମୁନାୱରଙ୍କ ଶୋ’ ଆସନ୍ତାକାଲି ଦିନ ୨ଟା ରୁ ରାତି ୯.୩୦ ଯାଏ ଅନୁଷ୍ଠିତ ହେବାର ଥିଲା। ଏହା ଏକ ଘରୋଇ ସଂସ୍ଥା ପକ୍ଷରୁ ଆୟୋଜନ କରାଯାଉଥିଲା। ଏଥିପାଇଁ ଅନୁମତି ପୂର୍ବରୁ ଦିଆଯାଇଥିଲା। କିନ୍ତୁ ଏବେ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଅନୁମତି ମିଳିନି। ମୁନାୱର ଏଥିରେ କମେଡି କରିପାରିବେ ନାହିଁ ବୋଲି ପୁଲିସ୍ କହିଛି। ଅଗଷ୍ଟ ୨୫ରେ ବିଶ୍ୱ ହିନ୍ଦୁ ପରିଷଦ ଦିଲ୍ଲୀ ପୁଲିସ୍ କମିଶନରଙ୍କୁ ଚିଠି ଲେଖି ମୁନାୱର ଫାରୁକିଙ୍କ କାର୍ଯ୍ୟକ୍ରମ ବାତିଲ କରିବାକୁ ଦାବି କରିଥିଲା। ଯଦି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅନୁମତି ଦିଆଯିବ, ତା’ହେଲେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ବୋଲି କିଛି ସଂଗଠନ ଧମକ ମଧ୍ୟ ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ୍ ଫାରୁକିଙ୍କ ଶୋ’କୁ ଅନୁମତି ଦେଇ ନଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ନିଜର କମେଡି ମାଧ୍ୟମରେ ମୁନାୱର ଫାରୁକି ହିନ୍ଦୁ ଦେବାବଦୀ ଓ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ଅପମାନିତ କରିଥିବା ଅଭିଯୋଗ ମଧ୍ୟପ୍ରଦେଶର ଜଣେ ବିଜେପି ନେତାଙ୍କ ପୁଅ ଆଣିଥିଲେ। ସେ ପୁଲିସରେ ଏନେଇ ଅଭିଯୋଗ କରିବାରୁ ମଧ୍ୟପ୍ରଦେଶ ପୁଲିସ ତାଙ୍କୁ ଚଳିତ ବର୍ଷ ଜାନୁଆରୀ ମାସରେ ଗିରଫ କରିଥିଲା। ସୁପ୍ରିମକୋର୍ଟରୁ ଜାମିନ ମିଳିବାରୁ ସେ ଜେଲରୁ ଖଲାସ ହୋଇଥିଲେ। ଏବେ ସେ ପୁଣି ଶୋ’ କରିବାକୁ ଯାଉଥିବା ବେଳେ ଏଥିପାଇଁ ତାଙ୍କୁ ଅନୁମତି ମିଳୁନାହିଁ।