![](https://www.utkalprahari.com/wp-content/uploads/2022/10/Mohammed-Shami-780x470.jpg)
ଇନ୍ଦୋର: ଆହତ କାରଣରୁ ଟି-୨୦ ବିଶ୍ୱକପରୁ ବାଦ ପଡ଼ିଥିବା ଟିମ୍ ଇଣ୍ଡିଆର ସ୍ପିଡଷ୍ଟର ଯଶପ୍ରୀତ ବୁମ୍ରାଙ୍କ ସ୍ଥାନ କିଏ ନେବେ, ତା’କୁ ନେଇ ଚର୍ଚ୍ଚା ଲାଗି ରହିଛି। ଏହି ଦୌଡ଼ରେ ସବୁଠାରୁ ଆଗରେ ରହିଛନ୍ତି ମହମ୍ମଦ ଶାମି। ୨୦୨୨ ଆଇପିଏଲ ପରଠାରୁ ଶାମି ଅବଶ୍ୟ ଟି-୨୦ କ୍ରିକେଟ ଖେଳି ନାହାନ୍ତି। କିନ୍ତୁ ଟିମ ଇଣ୍ଡିଆର ମୁଖ୍ୟ କୋଚ ରାହୁଲ ଦ୍ରାଭିଡ ଓ ଅଧିନାୟକ ରୋହିତ ଶର୍ମା ତାଙ୍କୁ ବୁମ୍ରାଙ୍କ ସ୍ଥାନରେ ଖେଳାଳି ଭାବେ ବ୍ୟବହାର କରିବା ମୁଡରେ ରହିଥିବା ସଙ୍କେତ ଦେଇଛନ୍ତି। ବିଶ୍ୱକପ ପୂର୍ବରୁ ଭାରତୀୟ ଟିମ ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ପ୍ରଥମେ ରବୀନ୍ଦ୍ର ଜାଡେଜା ଆଣ୍ଠୁ ଜନିତ ସମସ୍ୟା ଯୋଗୁ ଟି-୨୦ ବିଶ୍ୱକପରୁ ବାଦ ପଡ଼ିଥିଲେ। ଏହାପରେ ଯଶପ୍ରୀତ ବୁମ୍ରା ଆହତ ହେବା ଟିମ ପାଇଁ ଶକ୍ତ ଝଟକା ଲାଗିଛି। ବୁମ୍ରା ନିକଟରେ ଆହତ ସମସ୍ୟାରୁ ମୁକୁଳିଥିଲେ। ବ୍ୟାକ ଇଞ୍ଜୁରୀ ଯୋଗୁ ସେ ଏସିଆ କପ ଖେଳି ନଥିଲେ। କିନ୍ତୁ ସେ ସୁସ୍ଥ ହେବାରୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ କମବ୍ୟାକ କରିଥିଲେ। ତେବେ ତାଙ୍କର ପୁଣି ବ୍ୟାକ ଇଞ୍ଜୁରୀ ଦେଖାଯିବାରୁ ସେ ପ୍ରଥମେ ଦକ୍ଷିଣ ଆଫ୍ରିକା ସିରିଜ ଓ ଶେଷରେ ବିଶ୍ୱକପ ସ୍କ୍ୱାଡରୁ ବାଦ ପଡ଼ିଛନ୍ତି। ମହମ୍ମଦ ଶାମି ଟି-୨୦ ବିଶ୍ୱକପର ଷ୍ଟାଣ୍ଡବାଇ ଖେଳାଳି ଭାବେ ରହିଛନ୍ତି। ଏବେ ସେ ମୁଖ୍ୟ ୧୫ ଜଣିଆ ସ୍କ୍ୱାଡରେ ବୁମ୍ରାଙ୍କ ସ୍ଥାନରେ ଖେଳାଳି ଭାବେ ସ୍ଥାନ ପାଇପାରନ୍ତି। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଉମେଶ ଯାଦବ ଏବଂ ମହମ୍ମଦ ସିରାଜଙ୍କୁ ସୁଯୋଗ ମିଳିଥିଲା। ହେଲେ ଏହି ଦୁଇ ଦ୍ରୁତ ବୋଲର ନିଜର ପ୍ରଭାବ ସେତେଟା ଦେଖାଇ ପାରିନାହାନ୍ତି। ତେଣୁ ଷ୍ଟାଣ୍ଡବାଇରେ ଥିବା ଶାମି ହିଁ ବୁମ୍ରାଙ୍କ ସ୍ଥାନ ନେବେ ବୋଲି କୁହାଯାଉଛି। ଏ ସମ୍ପର୍କରେ ରାହୁଲ ଦ୍ରାଭିଡ ମୁହଁ ଖୋଲିଛନ୍ତି। କରୋନା ଯୋଗୁ ଶାମି ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ଖେଳି ପାରି ନଥିଲେ। ତାଙ୍କ ମେଡିକାଲ ରିପୋର୍ଟକୁ ଟିମ ମ୍ୟାନେଜମେଣ୍ଟ ଅପେକ୍ଷା କରିଛି। ବୁମ୍ରାଙ୍କ ବଦଳ ଖେଳାଳିଙ୍କ ନାଁ ଘୋଷଣା ପାଇଁ ଭାରତ ପାଖରେ ଅକ୍ଟୋବର ୧୫ ଯାଏ ସମୟ ରହିଛି।ଡ୍ରାଭିଡ କହିଛନ୍ତି, “ସେ(ଶାମି) ବର୍ତ୍ତମାନ ସମୟରେ ଏନସିଏରେ ରହିଛନ୍ତି। ସେ କେମିତି ସୁସ୍ଥ ହେଉଛନ୍ତି, ତା’ର ରିପୋର୍ଟ ଦେଖିବାକୁ ପଡ଼ିବ। ୧୪-୧୫ ଦିନର କୋଭିଡ ପରେ ସେ କେମିତି ଅଛନ୍ତି, ସେକଥା ଜାଣିବା ଦରକର। ସେ କେମିତି ଅନୁଭବ କରୁଛନ୍ତି, ତା’ର ରିପୋର୍ଟ ମିଳିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏହାପରେ ଚୟନକର୍ତ୍ତାମାନେ ମଧ୍ୟ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ। ଶାମି ଏବେ ଷ୍ଟାଣ୍ଡବାଇରେ ଅଛନ୍ତି। କିନ୍ତୁ ଦୁର୍ଭାଗ୍ୟବଶତଃ ସେ ଏହି ସିରିଜ୍ ଖେଳିପାରି ନାହାନ୍ତି।