
ଲକ୍ଷ୍ନୌ: ଡେଙ୍ଗୁ ରୋଗୀଙ୍କୁ ପ୍ଲେଟଲେଟ୍ ବଦଳରେ ଫଳ ରସ ଚଢ଼ାଇ ଦିଆଦେଲେ । ଫଳରେ ରୋଗୀର ମୃତ୍ୟୁ ହେବାରୁ ପ୍ରଶାସନ ପକ୍ଷରୁ ହସ୍ପିଟାଲକୁ ସିଲ୍ କରି ଦିଆଯାଇଛି। ଉତ୍ତରପ୍ରଦେଶର ପ୍ରୟାଗରାଜରେ ଗୋଟିଏ ଘରୋଇ ହସ୍ପିଟାଲରେ ଜଣେ ଡେଙ୍ଗୁ ରୋଗୀଙ୍କୁ ପ୍ଲେଟଲେଟ୍ ଦିଆଯିବାର ଥିଲା । ହେଲେ ହସ୍ପିଟାଲ କର୍ମଚାରୀ ପ୍ଲେଟଲେଟ୍ ବଦଳରେ ଫ୍ରୁଟ ଜୁସକୁ ସାଲାଇନ ଆକାରରେ ଚଢ଼ାଇଦେଲେ । ଫଳରେ ରୋଗୀର ଅବସ୍ଥା ଗୁରୁତର ହେବାରୁ ହସ୍ପିଟାଲ କର୍ତ୍ତପକ୍ଷ ତାଙ୍କୁ ଆଉ ଏକ ହସ୍ପିଟାଲକୁ ପଠାଇ ଦେଇଥିଲେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ପ୍ଲେଟଲେଟ୍ ବଦଳରେ ଫ୍ରୁଟ୍ ଜୁସ୍ ଦିଆଯିବାର ଦୃଶ୍ୟ ଭାଇରାଲ ହେବା ଓ ରୋଗୀଙ୍କ ମୃତ୍ୟୁ ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ।ଏହାସହ ସଂପୃକ୍ତ ହସ୍ପିଟାଲକୁ ସିଲ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଗତ ସଂଧ୍ୟାରେ ପ୍ରଶାସନ ପକ୍ଷରୁ ହସ୍ପିଟାଲକୁ ସିଲ୍ କରି ଦିଆଯାଇଛି। ଉତ୍ତରପ୍ରଦେଶରେ ଡେଙ୍ଗୁ ମାମଲା ଅତି ଭୟଙ୍କର ଭାବେ ବଢ଼ିବାରେ ଲାଗିଛି। ସରକାର ରାଜ୍ୟରେ ସମସ୍ତ ଡାକ୍ତର ଏବଂ ପାରାମେଡିକାଲ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି, ଗତବର୍ଷ ତୁଳନାରେ ଚଳିତ ବର୍ଷ ଡେଙ୍ଗୁ ମାମଲା କମ୍ ରହିଛି। ହସ୍ପିଟାଲରେ ବେଡ୍ ସଂରକ୍ଷିତ ରଖାଯାଇଛି ଏବଂ ପର୍ଯ୍ୟାପ୍ତ ପ୍ଲେଟଲେଟ୍ ଉପଲବ୍ଧ ପାଇଁ ପ୍ରସ୍ତୁତି ଜାରି ରହିଛି। ଅନ୍ୟପକ୍ଷେ ଡେଙ୍ଗୁ ମୁକାବିଲା ପାଇଁ କେନ୍ଦ୍ର ସରକାର ଉତ୍ତରପ୍ରଦେଶକୁ ଏକ ଉଚ୍ଚସ୍ତରୀୟ ଟିମ୍ ପଠାଇଛନ୍ତି। କେନ୍ଦ୍ର ସରକାର ୬ ଜଣିଆ ସଦସ୍ୟ ବିଶିଷ୍ଟ ଉଚ୍ଚସ୍ତରୀୟ ଟିମ୍ ମୁତୟନ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଉତ୍ତରପ୍ରଦେଶକୁ ଏହି ଟିମ୍ ପଠାଯାଇଛି। ଉତ୍ତରପ୍ରଦେଶରେ ୩ ହଜାରରୁ ଅଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।



