
ନୂଆଦିଲ୍ଲୀ: ଲିଭ ଇନ ପାର୍ଟନର ଶ୍ରଦ୍ଧା ୱାଲକରଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣାରେ ଗିରଫ ଅଫତାବ ପୁନାୱାଲାକୁ ୧୩ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି କୋର୍ଟ। ଗିରଫ ହେବା ଦିନ ଠାରୁ ସେ ପୁଲିସ୍ ରିମାଣ୍ଡରେ ରହିଥିଲା। ହେଲେ ଆଜି ତାକୁ କୋର୍ଟ ଡିସେମ୍ବର ୮ ତାରିଖ ଯାଏ ଜେଲ ପଠାଇ ଦେଇଛନ୍ତି। ସେ ଏବେ ତିହାର ଜେଲରେ ରହିବ। ଏହି ସମୟରେ ପୁଲିସ୍ ଦରକାର ପଡ଼ିଲେ, ତା’କୁ ପଚରାଉଚରା ମଧ୍ୟ କରିବ।
ଆଜି ଅଫତାବର ରିମାଣ୍ଡ ଅବଧି ସରୁଥିବାରୁ ତା’କୁ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର କରାଯାଇଥିଲା। ଆଜି ସକାଳେ ଆମ୍ବେଦକର ହସ୍ପିଟାଲରେ ତା’ର ମେଡିକାଲ ଚେକଅପ କରାଯାଇଥିଲା। ଏହାପରେ ସେ ପୁଲିସ୍ ହେଫାଜତରେ ପୁଣି ଥାନାକୁ ଯାଇଥିଲା। ତେବେ ଅପରାହ୍ନ ପ୍ରାୟ ୨.୩୦ରେ ପୁଲିସ୍ ତା’କୁ ପୁଣି ହସ୍ପିଟାଲ ଆଣିଥିଲା। ମିଡିଆ ଓ ସର୍ବସମ୍ମୁଖରୁ ତା’କୁ ଦୂରେଇ ରଖିବା ପାଇଁ ପୁଲିସ୍ ହସ୍ପିଟାଲର ଗୋଟିଏ ରୁମରେ ହିଁ ଭିଡିଓ କନଫରେନ୍ସିଂ ଦ୍ୱାରା ଶୁଣାଣି ପାଇଁ ବ୍ୟବସ୍ଥା କରାଯାଇଥିଲା। ଏହି ସମୟରେ ଦିଲ୍ଲୀର ସକେତ କୋର୍ଟ ଅଫତାବକୁ ୮ ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।
ପୁଲିସ୍ ରିମାଣ୍ଡରେ ଥିବା ବେଳେ ଅଫତାବର ମାରାଥନ ପଲିଗ୍ରାଫ ଟେଷ୍ଟ କରାଯାଇଛି। ଗତକାଲି ଏହା ଶେଷ ହୋଇଛି। ସେହିପରି ସୋମବାର ତା’ର ନାର୍କୋ ଟେଷ୍ଟ ଆନାଲିସିସ କରାଯିବ। ବର୍ତ୍ତମାନ ସୁଦ୍ଧା ଏହି ନିର୍ମମ ହତ୍ୟାକାଣ୍ଡ ଘଟଣାରେ ଗିରଫ ଅଫତାବର ପଲିଗ୍ରାଫ ଟେଷ୍ଟ ହୋଇଛି। ଏହି ଟେଷ୍ଟ ବେଳେ ପୁଲିସ୍ ଓ ସାଇଣ୍ଟିଫିକ ଟିମ୍ ଅଫତାବକୁ ପ୍ରାୟ ୫୦ଟି ପ୍ରଶ୍ନ ପଚାରିଥିଲେ। ଏବେ ପୁଲିସ୍ ତା’ର ନାର୍କୋ ଆନାଲିସିସ ମଧ୍ୟ କରିବ। ମେ’ ୧୮ ତାରିଖରେ ଅଫତାବ ଦିଲ୍ଲୀ ସ୍ଥିତ ଫ୍ଲାଟରେ ପ୍ରଥମେ ଶ୍ରଦ୍ଧାଙ୍କୁ ତଣ୍ଟିଚିପି ହତ୍ୟା କରିଥିଲା। ଏହାପରେ ତାଙ୍କ ମୃତଦେହକୁ ପ୍ରାୟ ୧୦ ଘଣ୍ଟାର ପରିଶ୍ରମ କରି ୩୫ ଖଣ୍ଡ କରି କାଟି ପକାଇଥିଲା। ଏହି ଖଣ୍ଡବିଖଣ୍ଡିତ ଶରୀରର ଅଂଶକୁ ୧୮ ଦିନ ଧରି ଅଫତାବ ଦିଲ୍ଲୀର ମେହରାଉଲି ଓ ଛତ୍ରପୁର ଅଞ୍ଚଳରେ ପର୍ଯ୍ୟାୟକ୍ରମେ ଫିଙ୍ଗି ଥିଲା।