Breaking PLUSଖେଳଦେଶମୁଖ୍ୟ ଖବର

ଆଜି ଟି-୨୦ ବିଶ୍ୱକପ୍‌ରେ ଆମେରିକା-ଭାରତ ମୁକାବିଲା

ଚଳିତ ଟି-୨୦ ବିଶ୍ୱକପ୍‌ର ୯ମ ସଂସ୍କରଣରେ ଭାରତ ବୁଧବାର ତା’ର ତୃତୀୟ ମ୍ୟାଚ୍‌ରେ ସହ- ଆୟୋଜକ ଆମେରିକାକୁ ଭେଟିବ। ସ୍ଥାନୀୟ ନାସାଉ ଷ୍ଟାଡିୟମରେ ଗ୍ରୁପ୍‌-ଏ’ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଜିତି ଭାରତ ସୁପର-୮ ପର୍ଯ୍ୟାୟରେ ତା’ର ଅଭିଯାନ ଆହୁରି ଦୃଢ କରିବାକୁ ପ୍ରୟାସ କରିବ।

ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆୟର୍ଲାଣ୍ଡକୁ ୪୬ଟି ବଲ୍‌ ବାକିଥାଇ ୮ ୱିକେଟରେ ପରାସ୍ତ କରିଥିଲା। ସେହିପରି ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ରୋମାଞ୍ଚକ ଢଙ୍ଗରେ ୬ ରନରେ ପରାସ୍ତ କରିଥିଲା। ଭାରତ ୪ ପଏଣ୍ଟ ପାଇ ଗ୍ରୁପ୍‌ ଏ’ ଶୀର୍ଷରେ ରହିଛି। ସେହିପରି ଆମେରିକା ମଧ୍ୟ ଦୁଇଟି ମ୍ୟାଚ୍‌ ଖେଳି ଦୁଇଟିରେ ବିଜୟୀ ହୋଇ ୪ ପଏଣ୍ଟ ପାଇଥିଲେ ମଧ୍ୟ ନେଟ ରନରେଟ୍‌ରେ ପଛରେ ରହି ଦ୍ୱିତୀୟ ସ୍ଥାନରେ ରହିଛି।

ନାସାଉର ପିଚ୍‌ରେ ଅସାମାନ୍ୟ ବାଉନ୍ସ ହେଉଥିବାରୁ ବ୍ୟାଟରମାନେ ଏଠାରେ ସଂଘର୍ଷ କରୁଛନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରମାନେ ସଂଘର୍ଷ କରିଥିଲେ ଓ ଭାରତ ବଡ଼ ସ୍କୋର ହାସଲ କରିପାରି ନଥିଲା। ଭାରତୀୟ ବୋଲିଂ ଉଚ୍ଚକୋଟୀର ହୋଇଥିବା ବେଳେ ବ୍ୟାଟିଂ ଆଶାନୁରୂପ ହୋଇପାରିନାହିଁ। ତେଣୁ ଭାରତ ଆମେରିକା ବିପକ୍ଷରେ ବ୍ୟାଟିଂରେ ସୁଧାର ଆଣିବାକୁ ପ୍ରୟାସ କରିବ। ଟି-୨୦ ଫର୍ମାଟ୍‌ରେ ଭାରତ ପ୍ରଥମଥର ପାଇଁ ଆମେରିକାକୁ ଭେଟିବ। ଆମେରିକା ଅନଭିଜ୍ଞ ଦଳ ହୋଇଥିବାରୁ ଭାରତ ଏହି ମ୍ୟାଚ୍‌ରେ ଫେବରାଇଟ୍‌ ବିବେଚିତ ହେଉଛି। ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ଭାରତୀୟ ବୋଲରମାନେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଖାସ୍‌ କରି ଅଭିଜ୍ଞ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଜବରଦସ୍ତ ଫର୍ମରେ ରହିଛନ୍ତି। ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି।
ଆମେରିକା ଦଳରେ ଅଧିକାଂଶ ଖେଳାଳି ଭାରତୀୟ କିମ୍ବା ଭାରତୀୟ ବଂଶୋଦ୍ଭବ ହୋଇଥିବାରୁ ଏହି ମ୍ୟାଚ୍‌ର ରୋମାଞ୍ଚ ଆହୁରି ବୃଦ୍ଧି ପାଇବ। ଆମେରିକା ଅଧିନାୟକ ମୋନାଙ୍କ ପଟେଲ ଓ ଦ୍ରୁତ ବୋଲର ସୌରଭ ନେତ୍ରାଭାଲକର, ହରମିତ ସିଂଙ୍କ କିଭଳି ପ୍ରଦର୍ଶନ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ପୂର୍ବତନ ଚାମ୍ପିଅନ ପାକିସ୍ତାନକୁ ସୁପର ଓଭରରେ ହରାଇ ଆମେରିକା ବିପର୍ଯ୍ୟୟ ଘଟାଇ ନିଜ ଦକ୍ଷତା ପ୍ରମାଣିତ କରିଛି। ତେଣୁ ଆମେରିକାକୁ ଭାରତ ଆଦୌ ହାଲ୍‌କା ଭାବେ ନେବ ନାହିଁ ବୋଲି ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ହୃଦୟଙ୍ଗମ କରିଥିବ। ବୁମ୍‌ରା, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ୱିକେଟରକ୍ଷକ ବ୍ୟାଟର ଋଷଭ ପନ୍ତ ପୁଣିଥରେ ମ୍ୟାଚ୍‌ ବିଜୟୀ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି।

ବୁଧବାର ନ୍ୟୁୟର୍କ ପାଗ ସଫା ରହିବ ଓ ବର୍ଷା ହେବାର ଆଶଙ୍କା କମ୍‌ ରହିଛି। ଟସ୍‌ ବିଜୟୀ ଦଳ ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିବ। ଏହି ମ୍ୟାଚ୍‌ରେ ଶିବମ ଦୁବେଙ୍କୁ ଭାରତ ଖେଳାଇବା କି ନା ସେ ନେଇ ଚର୍ଚ୍ଚା ଚାଲିଛି। ଯଶସ୍ୱୀ ଜୟସ୍ୱାଲଙ୍କ ଭଳି ଖେଳାଳି ଦଳରେ ରହିଥିବାରୁ ଦୁବେଙ୍କ ବଦଳରେ କିଏ ଖେଳିବ ତାହା ଦେଖିବାକୁ ବାକି ରହିଲା। ଏହି ମ୍ୟାଚ୍‌ ଦେଖିବାକୁ ନାସାଉ କ୍ରିକେଟ ଷ୍ଟାଡିୟମରେ ଆମେରିକୀୟଙ୍କ ଅପେକ୍ଷା ଭାରତୀୟ ଓ ଭାରତୀୟ ବଂଶୋଦ୍ଭବ ପ୍ରଶଂସକ ଭିଡ ଦେଖିବାକୁ ମିଳିବ। ଭାରତ ବିପକ୍ଷ ଆମେରିକା କିଭଳି ପ୍ରଦର୍ଶନ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ଏହି ମ୍ୟାଚ୍‌ରେ ପ୍ରଶଂସକମାନେ ମଜା ଉଠାଇବେ ବୋଲି ଆଶା କରାଯାଉଛି।

Show More

Related Articles

Back to top button