ବାଲିଅନ୍ତା ମାମଲା ହାତକୁ ନେଲା କ୍ରାଇମବ୍ରାଂଚ, ତଦନ୍ତ ପାଇଁ 2ଟି ଟିମ୍ ଗଠନ

ଭୁବନେଶ୍ୱର, 10 ମଇ- ବାଲିଅନ୍ତା ଥାନାରେ ରୁଜୁ ହୋଇଥିବା ଦୁଇଟି ମାମଲାର ତଦନ୍ତ ଭାର ଗ୍ରହଣ କରିଛି କ୍ରାଇମବ୍ରାଞ୍ଚ । ତଦନ୍ତ ଦାୟିତ୍ବ ନେବା ପରେ ବାଲିଅନ୍ତା ଥାନାରେ କ୍ରାଇମବ୍ରାଞ୍ଚ ଟିମ୍ ପହଂଚିଛି । ତଥ୍ୟ ଓ ସତ୍ୟ ଆଧାରରେ ତଦନ୍ତ ହେବ ବୋଲି ଏସ୍ପି ଅନିରୁଦ୍ଧ ରାଉତରାୟ କହିଛନ୍ତି ।
ଏହି ମାମଲାଗୁଡ଼ିକ ସାର୍ବଜନିକ ସ୍ଥାନରେ ହୋଇଥିବା ଯୌନ ଉତ୍ପୀଡ଼ନ ଏବଂ ପରବର୍ତ୍ତୀ ସମୟରେ ଲୋକଙ୍କ ଦ୍ୱାରା ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ମୃତ୍ୟୁ ସହ ସମ୍ପର୍କିତ ଅଟେ। ମାମଲାଗୁଡ଼ିକର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ସିଆଇଡି କ୍ରାଇମ ବ୍ରାଞ୍ଚ ତଦନ୍ତର ସମ୍ପୂର୍ଣ୍ଣ ଦାୟିତ୍ୱ ନିଜ ହାତକୁ ନେଇଛି।
ଏହି ମାମଲାଗୁଡ଼ିକୁ ୯ ମଇ ୨୦୨୬ରେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ବିଭିନ୍ନ ଧାରା ଅନୁଯାୟୀ ସିଆଇଡି ସିବି ଥାନା କେସ ନମ୍ବର ୦୬/୨୦୨୬ ଏବଂ ୦୭/୨୦୨୬ ଭାବେ ପୁନଃ ରୁଜୁ କରାଯାଇଛି। ସିଆଇଡି କ୍ରାଇମ ବ୍ରାଞ୍ଚର ଉପ ପୁଲିସ ଅଧୀକ୍ଷକ (ଡିଏସପି) ରତ୍ନପ୍ରଭା ଶତପଥୀଙ୍କୁ ଘଟଣାସ୍ଥଳରେ ତଦନ୍ତ ପାଇଁ ନିଯୁକ୍ତ କରାଯାଇଛି।
ବାଲିଅନ୍ତା ତଦନ୍ତ ପାଇଁ ୨ଟି ଟିମ୍ ଗଠନ କରାଯାଇଥିବା କ୍ରାଇମବ୍ରାଞ୍ଚ ଡିଆଇଜି ସୂଚନା ଦେଇଛନ୍ତି । ତଦନ୍ତ ପାଇଁ ୧୦ ଅଫିସର୍ଙ୍କୁ ନେଇ ୨ଟି ଟିମ୍ ଗଠନ କରାଯାଇଛି । ଗୋଟିଏ ଟିମ୍ ବାଲିଅନ୍ତା ଥାନା, ଆଉ ଗୋଟିଏ ଟିମ୍ ଘଟଣାସ୍ଥଳକୁ ଯିବ । ତଦନ୍ତରେ ସାଇଣ୍ଟିଫିକ ଓ ସାଇବର ଟିମ୍, ଡଗ୍ ସ୍କ୍ବାଡ୍ ସାମିଲ କରାଯାଇଛି । ଦୁଷ୍କର୍ମ, ହତ୍ୟା, ପୋଲିସର ଅବହେଳାକୁ ନେଇ ତଦନ୍ତ କରାଯିବ । ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବୁ ବୋଲି କ୍ରାଇମବ୍ରାଞ୍ଚ ଡିଆଇଜି କହିଛନ୍ତି ।



