
ରେଢାଖୋଲ/ନାକଟିଦେଉଳ: ପଶ୍ଚିମ ଓଡ଼ିଶାର ବିକାଶକୁ ନୂଆ ଗତି ଦେବା ଲକ୍ଷ୍ୟରେ ରେଢାଖୋଲ ବିଧାନସଭା କ୍ଷେତ୍ରରେ ପ୍ରାୟ ୧୯୪ କୋଟି ଟଙ୍କା ବ୍ୟୟରେ ୪୮ଟି ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ରବିବାର ନାକଟିଦେଉଳରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବଲପୁର ସାଂସଦ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଏହି ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ କରିଥିଲେ।
ସେ କହିଥିଲେ, ଶିକ୍ଷା, ସ୍ୱାସ୍ଥ୍ୟ, ସଡ଼କ ସଂଯୋଗ ଓ କୃଷି କ୍ଷେତ୍ରରେ ଭିତ୍ତିଭୂମି ସୁଦୃଢ଼ କରି ରେଢାଖୋଲ, ନାକଟିଦେଉଳ ଓ ଯୁଯୁମୁରା ଅଞ୍ଚଳର ସାମଗ୍ରିକ ବିକାଶ କରାଯିବ। ଏହି ଅବସରରେ ୯.୧୭ କୋଟି ଟଙ୍କାର ୧୭ଟି ପ୍ରକଳ୍ପ ଲୋକାର୍ପିତ ହୋଇଥିବାବେଳେ ୧୮୪.୬୯ କୋଟି ଟଙ୍କାର ୩୧ଟି ନୂଆ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।
ପ୍ରମୁଖ ପ୍ରକଳ୍ପମାନଙ୍କ ମଧ୍ୟରେ ୮.୩ କୋଟି ଟଙ୍କା ବ୍ୟୟରେ ‘ଭୀମ ମଣ୍ଡଳୀ’ ଇକୋ ହେରିଟେଜ୍ ସାଇଟ୍ର ବିକାଶ, ନାକଟିଦେଉଳରେ ୧୮ କୋଟି ଟଙ୍କାର ନୂତନ କମ୍ୟୁନିଟି ହେଲ୍ଥ ସେଣ୍ଟର, ୧୬.୧ କୋଟି ଟଙ୍କାର ମିନି ଷ୍ଟାଡିୟମ୍ ଓ ରାମପୁର–ଗିରିଶଚନ୍ଦ୍ରପୁର ସଡ଼କର ଉନ୍ନତିକରଣ ସାମିଲ ଅଛି।
କେନ୍ଦ୍ରମନ୍ତ୍ରୀ କହିଥିଲେ, ଭୀମ ମଣ୍ଡଳୀ କେବଳ ପର୍ଯ୍ୟଟନସ୍ଥଳୀ ନୁହେଁ, ବରଂ ଓଡ଼ିଶାର ପ୍ରାଚୀନ ସଭ୍ୟତାର ଜୀବନ୍ତ ନିଦର୍ଶନ। ଏଠାରେ ମିଳିଥିବା ପ୍ରାଗଇତିହାସିକ ଶିଳାଚିତ୍ର ଓ ପାଷାଣ ଯୁଗର ସାମଗ୍ରୀ ଏହାର ଐତିହାସିକ ଗୁରୁତ୍ୱକୁ ପ୍ରମାଣିତ କରୁଛି।



