କେନ୍ଦ୍ର ସରକାରର ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗରେ ଖାଲି ପଡ଼ିଥିବା ପଦ ସଂଖ୍ୟା ଗତ ଦଶ ବର୍ଷରେ ପ୍ରାୟ ଦୁଇଗୁଣ ହୋଇଛି। ଏକ ଆରଟିଆଇ ଆବେଦନର ଉତ୍ତରରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୨୪ ମାର୍ଚ୍ଚ ସୁଦ୍ଧା କେନ୍ଦ୍ରରେ ୮.୨୪ ଲକ୍ଷରୁ ଅଧିକ ପଦ ଖାଲି ରହିଥିଲା। ୨୦୧୫ରେ ଏହି ସଂଖ୍ୟା ପ୍ରାୟ ୪.୨୧ ଲକ୍ଷ ଥିଲା।
କେନ୍ଦ୍ରର ୮୦ଟି ମନ୍ତ୍ରାଳୟ ଓ ବିଭାଗରେ ମୋଟ ୩୯.୨୩ ଲକ୍ଷ ପଦ ମଞ୍ଜୁର ହୋଇଥିବାବେଳେ ୩୦.୯୯ ଲକ୍ଷ ପଦ ପୂରଣ ହୋଇଛି। ଅବଶିଷ୍ଟ ୮.୨୩ ଲକ୍ଷ ପଦ ଖାଲି ରହିଛି। ଏହା ମଞ୍ଜୁରୀପ୍ରାପ୍ତ ପଦର ପ୍ରାୟ ୨୧ ପ୍ରତିଶତ।
ବିଭାଗ ଅନୁଯାୟୀ ଦେଖିଲେ, ପ୍ରତିରକ୍ଷା ବିଭାଗରେ ସର୍ବାଧିକ ୨.୪୨ ଲକ୍ଷ ପଦ ଖାଲି ରହିଛି। ରେଳବାଇରେ ୨.୪୦ ଲକ୍ଷ, ସ୍ୱରାଷ୍ଟ୍ର ମନ୍ତ୍ରାଳୟରେ ୧.୧୦ ଲକ୍ଷ ଏବଂ ରାଜସ୍ୱ ବିଭାଗରେ ପ୍ରାୟ ୬୯ ହଜାର ପଦ ଖାଲି ଥିବା ତଥ୍ୟରୁ ଜଣାପଡ଼ିଛି। ଡାକ ବିଭାଗରେ ମଧ୍ୟ ଖାଲି ପଦ ସଂଖ୍ୟା ୨୦୧୫ ତୁଳନାରେ ବହୁଗୁଣ ବୃଦ୍ଧି ପାଇଛି।
ଅନ୍ୟପଟେ ସରକାରୀ କମ୍ପାନୀଗୁଡ଼ିକରେ ଠିକା କର୍ମଚାରୀଙ୍କ ଅନୁପାତ ମଧ୍ୟ ବଢ଼ିଛି। ୨୦୨୫ରେ ୪୭୫ଟି ସରକାରୀ କମ୍ପାନୀରେ ଥିବା ୧୫.୪୨ ଲକ୍ଷ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୭.୫୯ ଲକ୍ଷ ଠିକା ଭିତ୍ତିରେ କାମ କରୁଥିଲେ। ୨୦୧୫ରେ ଠିକା କର୍ମଚାରୀଙ୍କ ଅନୁପାତ ୧୮.୬ ପ୍ରତିଶତ ଥିବାବେଳେ ୨୦୨୫ରେ ଏହା ୪୯.୧ ପ୍ରତିଶତକୁ ବୃଦ୍ଧି ପାଇଛି।
ଏହି ଚିତ୍ର ମଧ୍ୟରେ ଦେଶର ଯୁବପିଢ଼ିର ନିଯୁକ୍ତି ସ୍ଥିତିକୁ ନେଇ ମଧ୍ୟ ଚିନ୍ତା ବଢ଼ିଛି। ନୀତି ଆୟୋଗର ତଥ୍ୟ ଅନୁଯାୟୀ, ୧୫ରୁ ୨୯ ବର୍ଷ ବୟସର ପ୍ରାୟ ୮.୭ କୋଟି ଯୁବକଯୁବତୀ ନା ଚାକିରିରେ ଅଛନ୍ତି, ନା ଶିକ୍ଷା କିମ୍ବା କୌଶଳ ପ୍ରଶିକ୍ଷଣ ନେଉଛନ୍ତି। ଏମାନଙ୍କ ମଧ୍ୟରୁ ବହୁ ସଂଖ୍ୟକ ଘରୋଇ କାମରେ ନିୟୋଜିତ ଅଛନ୍ତି। ଏଭଳି ସ୍ଥିତିରେ ଖାଲି ସରକାରୀ ପଦଗୁଡ଼ିକରେ ଶୀଘ୍ର ନିଯୁକ୍ତି ଦେବା ନେଇ ଦାବି ଜୋରଦାର ହେଉଛି।



