ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍କ୍ରିପସନ୍, ସହଜ ହେବ ରୋଗୀଙ୍କ ଚିକିତ୍ସା

ଆଗାମୀ ଦିନରେ ରୋଗୀଙ୍କୁ ଆଉ ପୁରୁଣା ପ୍ରେସ୍କ୍ରିପସନ୍ ଓ ମେଡିକାଲ ରିପୋର୍ଟର ଫାଇଲ ଧରି ହସ୍ପିଟାଲ ଯିବାକୁ ପଡ଼ିନପାରେ। ଦେଶର ସ୍ୱାସ୍ଥ୍ୟସେବାକୁ ଡିଜିଟାଲ କରିବା ଲକ୍ଷ୍ୟରେ ଖୁବଶୀଘ୍ର ଡିଜିଟାଲ ପ୍ରେସ୍କ୍ରିପସନ୍ ବ୍ୟବସ୍ଥା ଆରମ୍ଭ କରିବାକୁ ଯୋଜନା ହୋଇଛି।
ନୂଆ ବ୍ୟବସ୍ଥାରେ ଡାକ୍ତରଙ୍କ ପ୍ରେସ୍କ୍ରିପସନ୍ ଡିଜିଟାଲ ଭାବେ ସଂରକ୍ଷିତ ରହିବ। ରୋଗୀଙ୍କ ଚିକିତ୍ସା ଇତିହାସ, ଔଷଧର ବିବରଣୀ ଏବଂ କରାଯାଇଥିବା ବିଭିନ୍ନ ପରୀକ୍ଷାର ତଥ୍ୟ ମଧ୍ୟ ଡିଜିଟାଲ ରେକର୍ଡରେ ଉପଲବ୍ଧ ହେବ। ଫଳରେ ଅନ୍ୟ ହସ୍ପିଟାଲରେ ଚିକିତ୍ସା ନେବା ସମୟରେ ପୂର୍ବ ଚିକିତ୍ସା ସମ୍ପର୍କିତ ତଥ୍ୟ ଜାଣିବା ଡାକ୍ତରଙ୍କ ପାଇଁ ସହଜ ହେବ।
ଏହାର ଆଉ ଏକ ବଡ଼ ଲାଭ ହେଉଛି ଅନାବଶ୍ୟକ ପରୀକ୍ଷାକୁ ରୋକିବା। ପୂର୍ବରୁ ହୋଇଥିବା ପରୀକ୍ଷାର ରିପୋର୍ଟ ଡିଜିଟାଲ ରେକର୍ଡରେ ରହିଲେ ସମାନ ପରୀକ୍ଷା ବାରମ୍ବାର କରିବାର ଆବଶ୍ୟକତା କମିପାରେ। ଏହାଦ୍ୱାରା ରୋଗୀଙ୍କ ସମୟ ଓ ଖର୍ଚ୍ଚ ଉଭୟ ବଞ୍ଚିବ।
ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ଏବିଡିଏମ୍) ଅଧୀନରେ ଏହି ଡିଜିଟାଲ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆଗକୁ ନିଆଯିବ। ଡିଜିଟାଲ ପ୍ଲାଟଫର୍ମରେ ନିକଟସ୍ଥ ପରୀକ୍ଷା କେନ୍ଦ୍ର, ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ଓ ଔଷଧ କେନ୍ଦ୍ର ସମ୍ପର୍କରେ ମଧ୍ୟ ରୋଗୀଙ୍କୁ ସୂଚନା ମିଳିପାରିବ।
ଏହି ବ୍ୟବସ୍ଥା ଆଣ୍ଟିବାୟୋଟିକ୍ର ଅନାବଶ୍ୟକ ବ୍ୟବହାର ଉପରେ ମଧ୍ୟ ନଜର ରଖିବାରେ ସହାୟକ ହେବ। କେଉଁ ଅଞ୍ଚଳରେ କେଉଁ ଆଣ୍ଟିବାୟୋଟିକ୍ ଅଧିକ ପରିମାଣରେ ଲେଖାଯାଉଛି, ତାହାର ତଥ୍ୟ ବିଶ୍ଳେଷଣ କରାଯାଇପାରିବ। ଫଳରେ ଆବଶ୍ୟକତା ନଥାଇ ଆଣ୍ଟିବାୟୋଟିକ୍ ବ୍ୟବହାର ଉପରେ ଅଙ୍କୁଶ ଲଗାଇବା ସମ୍ଭବ ହେବ।
ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି, ସ୍ୱାସ୍ଥ୍ୟସେବାକୁ ଅଧିକ ସୁବିଧାଜନକ କରିବା ପାଇଁ ସରକାର ପ୍ରଯୁକ୍ତିର ବ୍ୟବହାର ବଢ଼ାଉଛନ୍ତି। ‘ୱାନ୍ ନେସନ୍, ୱାନ୍ ହେଲ୍ଥ’ ଏବଂ ‘ଆରୋଗ୍ୟ ସେତୁ ୨.୦’ ଭଳି ପଦକ୍ଷେପ ସହ ଡିଜିଟାଲ ପ୍ରେସ୍କ୍ରିପସନ୍ ଦେଶର ସ୍ୱାସ୍ଥ୍ୟସେବାକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି।



